ଲୋଇସିଂହାରେ ଧାନକ୍ରୟ ଶୁଭାରମ୍ଭ କଲେ ଜିଲ୍ଲାପାଳ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ବଲାଙ୍ଗିର ଜିଲ୍ଲାରେ ଚଳିତ ଖରିଫ ଋତୁ ପାଇଁ ଆଜିଠାରୁ ଧାନକ୍ରୟ ଆରମ୍ଭ ହୋଇଛି । ଜିଲ୍ଲାପାଳ ଗୌରବ ଶିବାଜୀ ଇଶଲୱାର ଲୋଇସିଂହା ପେକ୍ସରେ ଧାନମଣ୍ଡି ଶୁଭାରମ୍ଭ କରିବା ସହିତ ଜିଲ୍ଲାର ୯୭ ହଜାର ୫୬୬ ଜଣ ଚାଷୀଙ୍କ ଠାରୁ ୧୫୮ଟି ପେକ୍ସ ଓ ୧୪ଟି ସ୍ଵୟଂ ସହାୟିକା ଗୋଷ୍ଠୀଙ୍କ ଜରିଆରେ ୨୪ ଲକ୍ଷ ୬୦ ହଜାର କ୍ଵିଣ୍ଟାଲ ଧାନ କିଣାଯିବା ସକାଶେ ଲକ୍ଷ୍ୟ ଧାର୍ଯ୍ୟ ଥିବା ସୂଚନା ଦେଇଥିଲେ । ଏଥିପାଇଁ ୪୬ ଜଣ ମିଲର ଚୁକ୍ତିବଦ୍ଧ ହୋଇଥିବା ଜଣାଯାଇଛି । ଜିଲ୍ଲା ଯୋଗାଣ ବିଭାଗ, ସମବାୟ ବିଭାଗ ତଥା ନିୟନ୍ତ୍ରିତ ବଜାର କମିଟିର ମିଳିତ ସହଯୋଗ କ୍ରମେ ଧାନକିଣାରେ ସ୍ୱଚ୍ଛତା ଅବଲମ୍ବନ କରିବା ସହିତ ଆବଶ୍ୟକ ଭିତ୍ତିଭୂମି ଉପଲବ୍ଧ କରିବା ସକାଶେ ଉପସ୍ଥିତ ଅଧିକାରୀଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ଧାନର ଆର୍ଦ୍ରତା ତଥା ଗୁଣବତ୍ତା ଯାଞ୍ଚ କରାଯାଇ ଚାଷୀଙ୍କ ଠାରୁ ନିର୍ଦ୍ଧାରିତ ସରକାରୀ ଦରରେ ଧାନ କିଣାଯିବ । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ବଲାଙ୍ଗିର ସିଏସଓ ରଞ୍ଜନ ପଣ୍ଡା, ଏସିଏସଓ ଶରତ ରାଉତ, ଡିଆରସିଏସ ପ୍ରମୋଦ ବରିହା, ଏଆରସିଏସ ଗାବ୍ରିଏଲ୍ ସୋରେନ ହେମ୍ବ୍ରମ, ଏସଆରସିଏସ ରବୀନ୍ଦ୍ର ପଣ୍ଡା, ଆରଏମସି ସମ୍ପାଦକ ବଳରାମ ଜେନା, ଲୋଇସିଂହା ବିଡ଼ିଓ ଅକ୍ଷୟ ପାଣି ଉଦୁ, ବ୍ଲକ ଅଧ୍ୟକ୍ଷ ଯତୀନ୍ଦ୍ର ପଟେଲ, ଲୋଇସିଂହା ପେକ୍ସ୍ ସଭାପତି ମୋହିତ ମିଶ୍ର, ସମ୍ପାଦକ ଲାଲୁ ପ୍ରସାଦ ପଟେଲ, ଆରଏମସି କର୍ମଚାରୀ ସନ୍ତୋଷ ବଗାର, ରଜନୀକାନ୍ତ ପଟେଲ, ଶାନ୍ତନୁ ହୋତା, ସନ୍ତୋଷ ଭୂୟାଁଙ୍କ ସମେତ ଶତାଧିକ ଚାଷୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.