କଣ୍ଟାବାଞ୍ଜି, (କେପିଏନ୍ଏସ୍) : ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଲାଙ୍ଗିର ଜିଲ୍ଲାର କଣ୍ଟାବାଞ୍ଜି ଓ ଗଞ୍ଜାମ ଜିଲ୍ଲାର ହିଞ୍ଜିଳି ନିର୍ବାଚନ ମଣ୍ଡଳୀରୁ ବିଧାନସଭା ସଭ୍ୟ ପଦ ପାଇଁ ପ୍ରତିଦ୍ୱନ୍ଦିତା କରିବା ପରେ ଏହି ଦୁଇ ନିର୍ବାଚନ ମଣ୍ଡଳୀର ଶ୍ରମିକମାନଙ୍କ ସମସ୍ୟାକୁ ନେଇ ରାଜ୍ୟ ବ୍ୟାପୀ ଚର୍ଚ୍ଚା ଜୋର ଧରିଛି । ଏହି ଦୁଇ ନିର୍ବାଚନ ମଣ୍ଡଳୀରୁ ପେଟ ପୋଷିବା ପାଇଁ ଭିଟାମାଟି ଛାଡି ଅନ୍ୟ ରାଜ୍ୟକୁ ପଳାୟନ କରୁଥିବା ଶ୍ରମିକଙ୍କୁ ଦାଦନ ଶ୍ରମିକ ଭାବେ ବିଭିନ୍ନ ରାଜନୈତିକ ଦଳ ଓ ବ୍ୟକ୍ତିବିଶେଷଙ୍କ ପକ୍ଷରୁ ଚିତ୍ରଣ କରି ଏମାନଙ୍କ ସାମାଜିକ ଓ ଅର୍ଥନୈତିକ ସ୍ଥିତି ସମାନ ବର୍ଗର ବୋଲି କୁହାଯାଉଛି ଯାହାକି ସମ୍ପୂର୍ଣ୍ଣ ଭୁଲ ବୋଲି ବିଶିଷ୍ଟ ସୂଚନା ଅଧିକାର କର୍ମୀ ହେମନ୍ତ କୁମାର ପଣ୍ଡା କହିଛନ୍ତି । ଅବିକଶିତ କେବିକେ ଅଞ୍ଚଳ ମଧ୍ୟରେ ରହିଥିବା ଅତି ପଛୁଆ ତଥା ଉତ୍କଟ ଦରିଦ୍ର୍ୟରେ ପ୍ରପୀଡିତ ୩ଟି ବ୍ଲକ ବଙ୍ଗୋମୁଣ୍ଡା, ତୁରେକେଲା ଓ ମୁରିବାହାଲ ରହିଛି । ଏହି ୩ଟି ବ୍ଲକରୁ ଆନ୍ଧ୍ର ପ୍ରଦେଶ ଓ ତେଲେଙ୍ଗାନା ରାଜ୍ୟର ବିଭିନ୍ନ ଜିଲ୍ଲାର ଇଟା ଭାଟିରେ କାମ କରିବା ପାଇଁ ଶ୍ରମିକଙ୍କୁ ଅଗ୍ରୀମ ଦିଆଯାଇ ନିର୍ଦ୍ଦିଷ୍ଟ ପରିମାଣର ଇଟା ଗଢିବା ପର୍ଯ୍ୟନ୍ତ ତଥା ଏକ ନିର୍ଦ୍ଦିଷ୍ଟ ସମୟ ପର୍ଯ୍ୟନ୍ତ ବନ୍ଧକ ରଖାଯାଇ ଶ୍ରମିକଙ୍କଠାରୁ କାର୍ଯ୍ୟ ହାସଲ କରାଯାଇଥାଏ । କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀରୁ ସ୍ଥାନାନ୍ତର ହେଉଥିବା ଶ୍ରମିକମାନେ ତେଲେଙ୍ଗାନାର ଅନ୍ୟତମ ପଛୁଆ ରଙ୍ଗାରେଡ୍ଡି ଜିଲ୍ଲା ଭଳି କେତେକ ଜିଲ୍ଲାକୁ ସ୍ଥାନାନ୍ତର ହୋଇଥାନ୍ତି । କିନ୍ତୁ ହିଞ୍ଜିଳି ନିର୍ବାଚନ ମଣ୍ଡଳୀର ଶ୍ରମିକମାନେ ଅଧିକ ପାରିଶ୍ରମିକ ପାଇଁ ଗୁଜୁରାଟର ସୁରଟ ଅଞ୍ଚଳକୁ ଯାଉଛନ୍ତି । ଅବିକଶିତ ଅଞ୍ଚଳରୁ ବିକଶିତ ଅଞ୍ଚଳକୁ ପ୍ରାୟତଃ ଶ୍ରମିକ ସ୍ଥାନାନ୍ତର ହେବା ଏକ ସାଧାରଣ ପ୍ରକ୍ରିୟା ଏବଂ ଏହି କ୍ରମରେ ହିଞ୍ଜିଳି ତଥା ଗଞ୍ଜାମ ଜିଲ୍ଲାରୁ ଶ୍ରମିକ ସ୍ଥାନାନ୍ତର ହୋଇଥାନ୍ତି ହେଲେ ବଲାଙ୍ଗିର ଜିଲ୍ଲା କଥା ସମ୍ପୂର୍ଣ୍ଣ ଭିନ୍ନ ବୋଲି ପଣ୍ଡା କହିଛନ୍ତି । କଣ୍ଟାବାଞ୍ଜି ବିଧାନସଭା କ୍ଷେତ୍ରର ବଙ୍ଗୋମୁଣ୍ଡା, ତୁରେକେଲା ଓ ମୁରିବାହାଲ ବ୍ଲକର ସମୂଦାୟ ୬୭ଟି ପଞ୍ଚାୟତରୁ ଦାଦନ ଋତୁରେ ହଜାର ହଜାର ସଂଖ୍ୟାରେ ଶ୍ରମିକ ସ୍ଥାନନ୍ତର ହୋଇଥାନ୍ତି । ସବୁ ବର୍ଷ ଦାଦନ ଋତୁ ସମୟରେ କଣ୍ଟାବାଞ୍ଜିର ଏହି ଅଞ୍ଚଳ ସମ୍ବାଦ ଶିରୋନାମାର ଶୀର୍ଷରେ ରହିଥାଏ । ମାନବାଧିକାରର ହନନ ଓ ଜୀବନ ଯନ୍ତ୍ରଣା ପ୍ରତ୍ୟହ ଲୋକଲୋଚନକୁ ଆସିଥାଏ । ଦାଦନ ଋତୁ ପ୍ରାରମ୍ଭରେ ଅନ୍ୟ ରାଜ୍ୟରୁ ଦଲାଲ ମାନେ କଣ୍ଟାବାଞ୍ଜି ଆସି ଡେରା ପକାଇଥାନ୍ତି । ଶ୍ରମିକ ମାନଙ୍କୁ ନେବା ପାଇଁ ମୂଲଚାଲ କରିଥାନ୍ତି । ଇଟାଭାଟିମାନଙ୍କୁ ଏକ ନିର୍ଦ୍ଦିଷ୍ଟ ସମୟ ବ୍ୟବଧାନ ପର୍ଯ୍ୟନ୍ତ କାମ କରିବାକୁ ବଇନା ବା ଅଗ୍ରୀମ ଟଙ୍କା ଦେଇଥାନ୍ତି । ନାବାଳକ ଶିଶୁମାନେ ଥିବା ପରିବାରମାନଙ୍କୁ ଅଧିକ ଟଙ୍କାରେ ମୂଲଚାଲ କରିଥାନ୍ତି । କାରଣ ମାଟି ତିଆରି ଇଟାକୁ ପୋଡିବା ପୂର୍ବରୁ କଞ୍ଚା ଇଟାକୁ ବିସ୍ତିର୍ଣ୍ଣ ଅଞ୍ଚଳରେ ଶୁଖା ଯାଇଥାଏ ଏବଂ ବିସ୍ତିର୍ଣ୍ଣ ଅଞ୍ଚଳରେ ଶୁଖା ଯାଇଥିବା କଞ୍ଚା ଇଟାକୁ ଓଲଟାଇବା ପାଇଁ କମ୍ ଓଜନର ଶ୍ରମିକର ଆବଶ୍ୟକତା ହୋଇଥାଏ । ତେଣୁ ଶିଶୁଙ୍କୁ ଏହି କାର୍ଯ୍ୟରେ ବ୍ୟବହାର କରାଯାଇଥାଏ । ରାଜ୍ୟ ସରକାର ଏହି ଅମାନବିକ କାର୍ଯ୍ୟକୁ ରୋକିବାରେ ବର୍ତ୍ତମାନ ପର୍ଯ୍ୟନ୍ତ ସଫଳ ହୋଇ ନାହାନ୍ତି । ରାଜ୍ୟ ସରକାରଙ୍କ ଫୋକସ୍ରେ ରହିଥିବା ଦାଦନ ପ୍ରବଣ ବ୍ଲକଗୁଡିକ ମଧ୍ୟରେ କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀର ଏହି ତିନୋଟି ବ୍ଲକକୁ ଦାଦନ ପ୍ରବଣ ବୋଲି ଘୋଷଣା କରି ଫୋକସ୍ରେ ରଖାଯାଇଥିଲେ ମଧ୍ୟ ଆନ୍ତରିକତାର ଅଭାବରୁ କୌଣସି ସୁଫଳ ମିଳିନାହିଁ । ନୂଆଖାଇ ପରେପରେ ତଥା ସେପ୍ଟେମ୍ବର, ଅକ୍ଟୋବର ମାସରୁ ଶ୍ରମିକ ଚାଲାଣ ଆରମ୍ଭ ହୋଇଥାଏ ଏବଂ ପରବର୍ତ୍ତି ବର୍ଷା ଋତୂ ଆଗମନ ପୂର୍ବରୁ ଏମାନେ ନିଜ ଗାଁକୁ ଫେରିଥାନ୍ତି । କର୍ମ କ୍ଷେତ୍ର ଅତ୍ୟନ୍ତ ଯନ୍ତ୍ରଣାଦାୟକ ହେଲେ ମଧ୍ୟ ଦୀର୍ଘ ସମୟ ପାଇଁ ଏକ ନିର୍ଦ୍ଦିଷ୍ଟ ସ୍ଥାନରେ କର୍ମ ନିଯୁକ୍ତି ମିଳିବା ଯୋଗୁଁ ଶ୍ରମିକମାନେ ଅଭ୍ୟାସଗତ ଭାବେ ସ୍ଥାନାନ୍ତର ହୋଇଥାନ୍ତି । ବଲାଙ୍ଗିର ଜିଲ୍ଲାରେ କ୍ରମାଗତ ମରୁଡି, କର୍ମ ନିଯୁକ୍ତି ସୁଯୋଗର ଅଭାବ ଓ ଦାରିଦ୍ର୍ୟ ଅନାଟନ ପାଇଁ ବିଶେଷ କରି ଜମିହୀନ, ନାମ ମାତ୍ର ଚାଷୀ, ଗରିବ ଶ୍ରେଣୀର ଜନତା ଓ କୃଷିଶ୍ରମିକମାନେ ଅନ୍ୟ ରାଜ୍ୟକୁ ପେଟ ପୋଷିବା ପାଇଁ ଚାଲି ଯାଇଥାନ୍ତି । ଗାଁରେ ରହିଥାନ୍ତି କେବଳ ବୃଦ୍ଧବୃଦ୍ଧା ଓ ଗୃହ ପାଳିତ ପଶୁପକ୍ଷୀ । କୋମଳମତି ଶିଶୁମାନେ ପାଠପଢା ଛାଡି ଶ୍ରମିକ ଭାବେ ଦିନରାତି କାମ କରିଥାନ୍ତି । ବଲାଙ୍ଗିର ଜିଲ୍ଲାରେ ୧୯୬୫ ମସିହାରେ ହୋଇଥିବା ମହାମରୁଡିରୁ ଏହି ଧାରା ଆରମ୍ଭ ହୋଇଥିଲା । ଏହି ବର୍ଷର ମହାମରୁଡିରୁ ଉତ୍ପନ୍ନ ଧାରା ଆଜି ପର୍ଯ୍ୟନ୍ତ ଗତାନୁଗତିକ ଭାବେ ଜାରି ରହିଛି । ମହାମରୁଡି ଏତେ ଭୟଙ୍କର ଥିଲା ଯେ, ବଲାଙ୍ଗିର ଜିଲ୍ଲାରେ ଅନ୍ନଛତ୍ର ଗୁଡିକ ଖୋଲାଯାଥିଲା । ଜିଲ୍ଲାର ବିଭିନ୍ନ ସ୍ଥାନରୁ ବଲାଙ୍ଗିର ସହରକୁ ଖାଦ୍ୟ ଅନ୍ୱେଷଣରେ ଆସିଥିବା ଶହଶହ ଲୋକଙ୍କୁ ବଏଜ୍ ଏମ୍. ଇ. ସ୍କୁଲରେ ସାମୟିକ ଥଇଥାନ କରାଯାଇ ଖାଦ୍ୟ ଦିଆଯାଉଥିଲା । ଜାତୀୟ ସମ୍ବାଦପତ୍ର ଗୁଡିକରେ ଏହି ଖବର ପ୍ରକାଶ ପାଇବା ପରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଶ୍ରୀମତୀ ଇନ୍ଦିରା ଗାନ୍ଧୀ ୧୪ ମେ ୧୯୬୬ ମସିହାରେ ବଙ୍ଗୋମୁଣ୍ଡା ଆସି ସବୁଠୁ ବେଶୀ ପ୍ରଭାବିତ ହରିଜନ ବସ୍ତିକୁ ପରିଦର୍ଶନ କରିଥିଲେ । ସୁଲଭ ମୂଲ୍ୟରେ ଖାଦ୍ୟ ସାମଗ୍ରୀ ଲୋକଙ୍କୁ ବିତରଣ କରିବା ପାଇଁ ଓ ପାନୀୟ ଜଳର ବନ୍ଦୋବସ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ରତ୍କାଳୀନ ପ୍ରଧାନମନ୍ତ୍ରୀ ପିଭି ନରସିଂହ ରାଓ ମୁଖ୍ୟମନ୍ତୀ ବିଜୁ ବାବୁଙ୍କ ସହ ୧୯୯୩-୯୪ ମସିହାରେ ଖପ୍ରାଖୋଲ ବ୍ଲକର ଟଙ୍କପାଣି ଗାଁକୁ ଦାଦନ ସମାସ୍ୟାର ଭୟାବହତା ଦେଖିବାକୁ ଆସିଥିଲେ । ସେତେବେଳେ ଖପ୍ରାଖୋଲ ବ୍ଲକର ଏହି ଅଞ୍ଚଳ କଣ୍ଟାବାଞ୍ଜି ବିଧାନସଭା ନିର୍ବାଚନ ମଣ୍ଡଳୀ ଅଧୀନରେ ଥିଲା । ଏହି ଘଟଣାର ତିନି ବର୍ଷ ପରେ ତଥା ୧୯୯୬ ମସିହାରେ ଏଚ୍ଡି ଦେବାଗୌଡା ବଙ୍ଗୋମୁଣ୍ଡା ବ୍ଲକର ଭାଲୁମୁଣ୍ଡା ପଞ୍ଚାୟତକୁ ଆସି ଏହି ଅଞ୍ଚଳର ଦାରିଦ୍ର୍ୟକୁ ଆକଳନ କରିଥିଲେ । କିନ୍ତୁ ଆଜିବି ସାମାଜିକ ଓ ଅର୍ଥନୈତିକ କ୍ଷେତ୍ରରେ ଏହି ଅଞ୍ଚଳରେ ବିଶେଷ ପରିବର୍ତ୍ତନ ହୋଇନାହିଁ । କଣ୍ଟାବାଞ୍ଜି ବିଧାନସଭା ଅନ୍ତର୍ଗତ ରାଜ୍ୟର ଅତି ପଛୁଆ ଏହି ୩ଟି ବ୍ଲକ ଯଥା ବଙ୍ଗୋମୁଣ୍ଡା, ତୁରେକେଲା ଓ ମୁରିବାହାଲର ଲୋକଙ୍କ ଜୀବନଧାରଣ ମାନରେ ଉନ୍ନତି ପରିଲକ୍ଷିତ ହୋଇନାହିଁ । ଉତ୍କଟ ଦାରିଦ୍ର୍ୟ ଓ ଅନାହାର ଜନିତ ଜୀବନ ଯନ୍ତ୍ରଣାର ବଳୟରୁ ସରକାରୀ ବ୍ୟବସ୍ଥା ଲୋକଙ୍କୁ ମୁକ୍ତି ଦେଇପାରି ନାହିଁ । ରାଜନୈତିକ କାରଣରୁ ଦୀର୍ଘ ବର୍ଷ ଧରି ଏହି ଅଞ୍ଚଳର ବିକାଶ ହେଲା ନାହିଁ । ୧୯୬୧ ମସିହାରେ ରାଜେନ୍ଦ୍ର ନାରାୟଣ ସିଂଦେଓ ଏଠାରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ତାଙ୍କ ନେତୃତ୍ୱାଧିନ ଗଣତନ୍ତ୍ର ପରିଷଦ ତତ୍କାଳୀନ ବଲାଙ୍ଗିର ଜିଲ୍ଲାର ସମସ୍ତ ଆସନରେ ବିଜୟୀ ହୋଇଥିଲେ ମଧ୍ୟ ସେ ବିରୋଧୀ ଦଳ ନେତା ପଦରେ ରହିଲେ । ସ୍ୱାଧୀନତା ପରେ ଓଡିଶାରେ ଶାସନ କ୍ଷମତାରେ ରହୁଥିବା ରାଜନୈତିକ ଦଳ ବିପକ୍ଷରେ ବଲାଙ୍ଗିର ଜିଲ୍ଲାର ଜନତା ମତଦାନ କରି ବହୁ ବର୍ଷ ଧରି କ୍ରମାଗତ ଭାବେ ରାଜ୍ୟର ବିରୋଧୀ ପକ୍ଷକୁ ସମର୍ଥନ ଦେଇ ରାଜ୍ୟରେ ଏକ ରାଜନୈତିକ ବିକଳ୍ପକୁ ଶକ୍ତିଶାଳୀ କରିବାକୁ ଉଦ୍ୟମ କରିଥିଲେ ମଧ୍ୟ ଏହା ବିଶେଷ ଭାବେ ସଫଳ ହୋଇ ନଥିଲା । ରାଜନୈତିକ ବିକଳ୍ପର କେନ୍ଦ୍ରବିନ୍ଦୁ ରାଜେନ୍ଦ୍ର ନାରାୟଣ ସିଂଦେଓ ୧୯୬୭ ମସିହାରେ ମାତ୍ର ୩ ବର୍ଷ ୧୦ମାସ ଧରି ରାଜ୍ୟରେ ମୁଖ୍ୟମନ୍ତ୍ରୀ ରହିଥିଲେ । ସମସ୍ତ କ୍ଷେତ୍ରରେ ପଛୁଆ ବଲାଙ୍ଗିର ଜିଲ୍ଲାରେ ଅନାବୃଷ୍ଟି ଜନିତ କ୍ରମାଗତ ମରୁଡି ଲୋକଙ୍କ ଆର୍ଥିକ ମରୁଦଣ୍ଡକୁ ଭାଙ୍ଗି ଦେଲା ଫଳସ୍ୱରୁପ କର୍ମ ନିଯୁକ୍ତି ପାଇଁ ଲୋକ ଅନ୍ୟ ରାଜ୍ୟକୁ ପଳାୟନ କରିବାକୁ ଲାଗିଲେ । ଏହି ଅଞ୍ଚଳର ଅନେକ ଲୋକ ରାୟପୁର ଓ ବିଶାଖାପାଟଣା ଚାଲିଯାଇ ରିକ୍ସା ଟାଣିଲେ । ଆଉ କେତେକ ହୀରାକୁଦ ସେଚାଞ୍ଚଳକୁ ସାମୟିକ ଭାବେ ଯାଇ କୃଷି ଶ୍ରମିକଭାବେ କାର୍ଯ୍ୟ କଲେ ଏବଂ ଅଧିକାଂଶ ଆନ୍ଧ୍ର ପ୍ରଦେଶକୁ ଯାଇ ଇଟା ଗଢିବା କାର୍ଯ୍ୟରେ ନିଜକୁ ନିୟୋଜିତ କଲେ । ଏହି ଧାରା ଆଜି ପର୍ଯ୍ୟନ୍ତ ଲାଗି ରହିଛି । ଗତ ୨୪ ବର୍ଷର ଶାସନ ମଧ୍ୟରେ ରାଜ୍ୟର ନବୀନ ପଟ୍ଟନାୟକ ସରକାର ଶ୍ରମିକ ଚାଲାଣକୁ ବନ୍ଦ କରିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି । ରାଜ୍ୟ ମୁଖ୍ୟମନ୍ତ୍ରୀ ଆଗାମୀ ଦିନରେ ହେବାକୁ ଥିବା ନିର୍ବାଚନରେ କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀରୁ ବିଧାନସଭାକୁ ପ୍ରାର୍ଥୀ ହୋଇଥିବାରୁ କଣ୍ଟାବାଞ୍ଜି ବର୍ତ୍ତମାନ ସାରା ଭାରତର ଦୃଷ୍ଟି ଆକର୍ଷଣ କରିଛି । ବର୍ତ୍ତମାନ କଣ୍ଟାବାଞ୍ଜି ଅଞ୍ଚଳର ଦାଦନ ଶ୍ରମିକ ସମସ୍ୟାକୁ ହାଲୁକା କରିଦେବା ପାଇଁ ଓ ଏକ ସାଧାରଣ ଘଟଣା ଭାବେ ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ସହ ଯୋଡି ଦେଇ ବିଭିନ୍ନ ରାଜନୈତିକ ଦଳ ଓ ବ୍ୟକ୍ତି ବିଶେଷଙ୍କ ପକ୍ଷରୁ ଦିଆଯାଉଥିବା ବିବୃତ୍ତିକୁ ସୂଚନା କର୍ମୀ ପଣ୍ଡା ନିନ୍ଦା କରିଛନ୍ତି ।
Next Post