ବଲାଙ୍ଗିର, (କେପିଏନ୍ଏସ୍) : ବ୍ୟସନ ମୁକ୍ତ ସମାଜ ଗଠନ ଦିଗରେ ଯୁବ ସାମାଜକୁ ନିଶା ଗ୍ରହଣରୁ ରୋକିବା ପାଇଁ ବିଭିନ୍ନ ପୋଷ୍ଟର, ପ୍ଲାକାର୍ଡ ନେଇ ସ୍ଵାମୀ ବିବେକାନନ୍ଦଙ୍କ ଜୟନ୍ତୀ ଜାତୀୟ ଯୁବ ଦିବସରେ ଗାୟତ୍ରୀ ପରିବାର ବଲାଙ୍ଗିର ପକ୍ଷରୁ ଏକ ସଚେତନତା ଶୋଭାଯାତ୍ରା ବାହାରିଥିଲା । ଆଜି ଅପରାହ୍ନ ତିନି ଘଣ୍ଟାରୁ ଗୋପାଳଜୀ ମନ୍ଦିର ପରିସରରେ ଥିବା ଗାୟତ୍ରୀ ଶକ୍ତି ପୀଠରୁ ସ୍ୱାମୀ ବିବେକାନନ୍ଦଙ୍କ ପ୍ରତିକୃତିରେ ଦୀପ ପ୍ରଜ୍ୱଳନ ପରେ ବଲାଙ୍ଗିର ଜିଲ୍ଲା ସଂଯୋଜକ ସତ୍ୟନାରାୟଣ ଗୁପ୍ତାଙ୍କ ନେତୃତ୍ଵରେ ଜିଲ୍ଲାର ବିଭିନ୍ନ ଅଞ୍ଚଳ ଏଥିରେ କୁଡାସିଂହା ପ୍ରଜ୍ଞାପୀଠ ପରିଜନ ବୃନ୍ଦ, ପୁଇଁତଳା ବ୍ଳକ, ବଲାଙ୍ଗିର ବ୍ଲକ, ଦେଓଗାଁ ବ୍ଲକ ବଲାଙ୍ଗିର ନଗରରୁ ଆସିଥିବା ପରିଜନ ମହିଳା ସଦସ୍ୟ, ଯୁବା ବାହିନୀ ସଦସ୍ୟମାନେ ସହର ମଧ୍ୟରେ ଯାଇ ସମଲେଶ୍ୱରୀ ମନ୍ଦିର, ଦୈନିକ ବଜାର, ଟିକରାପଡ଼ା, କଳାମଣ୍ଡଳ ପୁରୁଣା ସରକାରୀ ଓ ଘରୋଇ ବସଷ୍ଟାଣ୍ଡ ହୋଇ ସଂସ୍ଥାର ପ୍ରସ୍ତୁତ ବିଭିନ୍ନ ପୁସ୍ତକ ପ୍ରଚାର ପତ୍ର ରାସ୍ତାରେ ବିଭିନ୍ନ ଲୋକଙ୍କୁ ବଣ୍ଟନ କରିଥିଲେ । ବିଭିନ୍ନ ସ୍ଥାନରେ ନିଶାପାନ, ବିଡି, ଗୁଟକା ଦ୍ଵାରା ହେଉଥିବା କୁପରିଣାମ ଉପରେ ଲୋକଙ୍କୁ ସଚେତନ କରିଥିଲେ । ଆମ ଦେଶରେ ଯୁବସମାଜ ବ୍ୟସନରେ ଅଭ୍ୟସ୍ତ ହୋଇ କୁପଥଗାମୀ ହେଉଥିବା ଉପରେ ଅଖିଳ ବିଶ୍ଵ ଗାୟତ୍ରୀ ପରିବାର ହରିଦ୍ଵାର ଆହ୍ଵାନରେ ସମଗ୍ର ଦେଶରେ ବ୍ୟସନ ମୁକ୍ତ ସ୍ଵର୍ଣ୍ଣିମ ଭାରତ ଗଠନ ଦିଗରେ ମହାଅଭିଯାନ ଆରମ୍ଭ କରିଛି । ଏହିକ୍ରମରେ ବଲାଙ୍ଗିର ଗାୟତ୍ରୀ ପରିବାର ବର୍ଷ ତମାମ ବିଭିନ୍ନ ସଂସ୍କାର କାର୍ଯ୍ୟକ୍ରମ କରୁଛି । ଆଜିର ଦିନରେ ଯୁବ ଦିବସ ପାଳନ କରି ଶୋଭାଯାତ୍ରା ମାଧ୍ୟମରେ ସଚେତନତା ସୃଷ୍ଟି ଦିଗରେ ପ୍ରୟାସରତ ହୋଇଥିଲା ।