ସୁନ୍ଦରଗଡ଼, (ସସ୍ମିତା ପ୍ରଧାନ) : ଆସନ୍ତା ଜାନୁଆରୀ ୧ ତାରିଖ ଦିନ ହେଉଛି ସୁନ୍ଦରଗଡ଼ ଜିଲ୍ଲା ପ୍ରତିଷ୍ଠା ଦିବସ ବା “ସୁନ୍ଦରଗଡ଼ ଦିବସ” । ସ୍ଥାନୀୟ ନାରୀ କଲ୍ୟାଣ କେନ୍ଦ୍ର ପଡ଼ିଆ ଠାରେ ଜାନୁୟାରୀ ୧ ଓ ୨ ତାରିଖରେ ସୁନ୍ଦରଗଡ଼ ଦିବସ ଆୟୋଜିତ ହେବ । ଏହି ଅବସରରେ ଜାନୁୟାରୀ ୧ ତାରିଖରେ ସହର ମଧ୍ୟରେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହେବ । ଏହି ସାଂସ୍କୃତିକ ଶୋଭାଯାତ୍ରା ଆୟୋଜନ ନେଇ ସ୍ଥାନୀୟ ସଦଭାବନା ଭବନଠାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକର ନିଷ୍ପତି ଅନୁସାରେ ଜାନୁୟାରୀ ଏକ ତାରିଖ ଦିନ ସକାଳ ୮ଟା ସମୟରେ ସମଲେଇ ମନ୍ଦିର ଠାରେ ପୂଜାର୍ଚ୍ଚନା କରି ଏହି ବର୍ଣ୍ଣାଢ଼୍ୟ ଶୋଭାଯାତ୍ରା ଆରମ୍ଭ ହେବ । ଏହି ଶୋଭାଯାତ୍ରାଟି ସମଲେଇ ମନ୍ଦିରରୁ ବାହାରି ଜଗନ୍ନାଥ ମନ୍ଦିର ଛକ, ରିଜେଣ୍ଟ ମାର୍କେଟ, ସୁନାରିପଡ଼ା, ରଙ୍ଗାଢିପା ଛକ, ମେଡିକାଲ ଛକ, ଡିଆର୍ଡିଏ ଛକ, ପୁରୁଣା ବସଷ୍ଟାଣ୍ଡ ଛକ, ପଞ୍ଚମୁଖୀ ହନୁମାନ ମନ୍ଦିର ଛକ ଦେଇ ନାରୀ କଲ୍ୟାଣ କେନ୍ଦ୍ର ପଡ଼ିଆ ଠାରେ ପହଞ୍ଚିବ । ଏହି ସମସ୍ତ ଛକ ମାନଙ୍କରେ ସାଂସ୍କୃତିକ ଶୋଭାଯାତ୍ରାକୁ ବିଭିନ୍ନ ଅନୁଷ୍ଠାନ, ପୂଜା କାମଟି, ସଂଗଠନ ମାନଙ୍କ ଦ୍ଵାରା ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯିବ । ଏହି ଅବସରରେ ଜିଲ୍ଲା ପ୍ରଶାସନ କାର୍ଯ୍ୟକ୍ରମକୁ ସରସ ସୁନ୍ଦର ତଥା ଶାନ୍ତିପୂର୍ଣ୍ଣ ଭାବେ ଆୟୋଜନ ନିମନ୍ତେ ସମସ୍ତ କମିଟି, ସଂଗଠନ ତଥା ସମସ୍ତ ଜିଲ୍ଲାବାସୀ ମାନଙ୍କର ସହଯୋଗ କାମନା କରିଥିଲେ । ବୈଠକରେ ଅତିରିକ୍ତ ଜିଲ୍ଲାପାଳ ସୂରଜ ପଟ୍ଟନାୟକ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଅଭିମନ୍ୟୁ ମାଝୀ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ସୁରଞ୍ଜନ ସାହୁ, ସଦର ଉପଜିଲ୍ଲାପାଳ ଶ୍ରୀମତୀ ତେଜସ୍ଵିନୀ ବେହେରା, ଭାରପ୍ରାପ୍ତ ଜିଲ୍ଲା ସଂସ୍କୃତି ଅଧିକାରୀ ନନ୍ଦିନୀ ମୁଣ୍ଡାରୀ, ସୁନ୍ଦରଗଡ଼ ପୌର ପରିଷଦର ଉପ-ଅଧ୍ୟକ୍ଷ ଲଲାଟେନ୍ଦୁ ପରିଡ଼ା, ବିଜେପି ଜିଲ୍ଲା ସଭାପତି ଗିରିଶ ସାହୁ, ବିଭିନ୍ନ ପୂଜା କମିଟି, ବିଭିନ୍ନ ସମାଜ, ବିଭିନ୍ନ ସଂଘ, ଅନୁଷ୍ଠାନର କର୍ମକର୍ତ୍ତାମାନେ ଉପସ୍ଥିତ ରହିଥିଲେ ।