କେନ୍ଦ୍ର କୃଷି ବିଲ ପ୍ରତ୍ୟାହାର ପାଇଁ ରାଷ୍ଟ୍ରପତିଙ୍କୁ ସ୍ମାରକପତ୍ର : ତିନି କୃଷି ବିରୋଧୀ ବିଲକୁ ସରକାର ପ୍ରତ୍ୟାହାର କର‌ନ୍ତୁ, କହିଲେ ସମରେନ୍ଦ୍ର

ବଲାଙ୍ଗିର, (ଦେବାଶିଷ ମିଶ୍ର) : ମୋଦୀ ସରକାର ଷଡଯନ୍ତ୍ର କରି ମାଲିକ ଶ୍ରେଣୀଙ୍କ ଉଦ୍ଦେଶ୍ୟରେ କୃଷି ବିଲ ଆଣିଲେ । ସେହି ତିନୋଟି କୃଷକ ବିରୋଧୀ ବିଲ ମାଧ୍ୟମରେ ମୋଦୀ ସରକାର ଆଜି ପୁଣି ଥରେ ସ୍ୱାଧୀନତା ପୂର୍ବବର୍ତ୍ତି ଜମିଦାରୀ ପ୍ରଥାକୁ ଜୋର ଜବରଦସ୍ତ ଦେଶବାସୀଙ୍କ ଉପରେ ଲଦି ଦେବାକୁ ଯାଉଛନ୍ତି । କେନ୍ଦ୍ର ସରକାର ଆଣିଥିବା ଏହି ତିନୋଟି ଦେଶ ବିରୋଧୀ କଳା କୃଷକ ବିରୋଧୀ ବିଲ ବିରୁଦ୍ଧରେ ସ୍ଥାନୀୟ ଜିଲ୍ଲାପାଳ କାର୍ୟ୍ୟାଳୟ ସମ୍ମୁଖରେ ଜିଲ୍ଲା କଂଗ୍ରେସ ତରଫରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ବଲାଙ୍ଗିର ଜିଲ୍ଲା କଂଗ୍ରେସ ତରଫରୁ ଏଆଇସିସି ସଦସ୍ୟ ସମରେନ୍ଦ୍ର ମିଶ୍ର ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏହି ବିଲକୁ ପ୍ରତ୍ୟାହାର କରିବା ପାଇଁ ଏକ ସ୍ମାରକପତ୍ର ମାନ୍ୟବର ଜିଲ୍ଲାପାଳଙ୍କୁ ପ୍ରଦାନ କରିଛନ୍ତି । ଏହି ଅବସରରେ ସେ କହିଛନ୍ତି, ଯେ ଦେଶର ୬୨ କୋଟି କୃଷକ ଏବଂ କୃଷି ଶ୍ରମିକ ଦେଶସାରା ଏହି ବିଲ ବିରୁଦ୍ଧରେ ଆନ୍ଦୋଳନ କରୁଛନ୍ତି । ୨୫୦ରୁ ଅଧିକ କୃଷକ ସଂଗଠନ ଆଜି ଦେଶ ଜାକର ରାଜରାସ୍ତାରେ ଆନ୍ଦୋଳନମୁହାଁ । କେଉଠି ଅନଶନ ତ କେଉଁଠି ଧାରଣା ଦିଆ ଚାଲିଛି । କିନ୍ତୁ କ୍ଷମତାରେ ଅନ୍ଧ ମୋଦୀ ସରକାରଙ୍କ ଦ୍ୱାରା ଦେଶର ମୁଷ୍ଟିମେୟ ପୁଞ୍ଜିପତିଙ୍କ ସ୍ୱାର୍ଥ ପାଇଁ ସାରା ଦେଶର ସ୍ୱାର୍ଥକୁ ଜଳାଞ୍ଜଳି ଦିଆଯାଉଛି । ମୋଦୀ ସରକାର ସଂସଦରେ ନିଜର ସଂଖ୍ୟା ଗରିଷ୍ଠତାର ବେଆଇନ ପ୍ରୟୋଗ କରି ଦେଶର ସଙ୍ଘୀୟ ବ୍ୟବସ୍ଥାକୁ ଅପଦସ୍ତ କରୁଛ‌ନ୍ତି । ଏହି ତିନି କଳା ବିଲ ଅସାମ୍ବିଧାନିକ ଭାବେ ରାଜ୍ୟସଭାରେ ପାସ କରି ଦିଆଯାଇଛି । ଏପରି କି ଭୋଟ ବିଭାଜନ ମଧ୍ୟ କରା ଯାଇନାହିଁ । ଏହି ସ୍ମାରକପତ୍ରରେ ଉପରୋକ୍ତ ତିନି କୃଷକ ବିରୋଧୀ ବିଲ ଉପରେ ରାଷ୍ଟ୍ରପତିଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି । ଆହୁରି ମଧ୍ୟ ମଣ୍ଡିପ୍ରଥା ଫସଲର ସର୍ବନିମ୍ନ ମୂଲ୍ୟକୁ ସମ୍ପୁର୍ଣ୍ଣ ଭାବରେ ଏହି ବିଲରେ ଅଣଦେଖା କରାଯାଉ ଥିବାରୁ ଦେଶର ଚାଷୀମାନଙ୍କୁ ପୁଣି ସ୍ୱାଧୀନତା ପୂର୍ବବର୍ତ୍ତି ଜମିଦାରୀ ପ୍ରଥାକୁ ଠେଲି ଦେଇ କୃଷି ଓ କୃଷକର ଭାଗ୍ୟକୁ ମୁଷ୍ଟିମେୟ ପୁଞ୍ଜିପତିଙ୍କ ଆଗରେ ଟେକି ଦିଆଯାଇଥିବା କଂଗ୍ରେସ ଅଭିଯୋଗ କରିଛି । ଏଣୁ ଏହି ବିଲକୁ ତୁରନ୍ତ ପ୍ରତ୍ୟହାର କରିବା ପାଇଁ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଦିଆଯାଇଥିବା ସ୍ମାରକପତ୍ରରେ ଦାବୀ କରାଯାଇଛି ।


ଆଜିର ଏହି କାର୍ୟ୍ୟକ୍ରମକୁ ଜିଲ୍ଲା କଂଗ୍ରେସ ସଭାପତି ଦିଲିପ ବେହେରା ନେତୃତ୍ୱ ନେଇଥିବା ବେଳେ ରାଜ୍ୟ କଂଗ୍ରେସ ସଂପାଦକ ଉମାଶଙ୍କର ପଣ୍ଡା, ଉପ-ସଭାପତି ମନୀଷ ମିଶ୍ର, ଅସୀତ କୁମାର ମୁଖ୍ୟ, ଅଜୟ ବାଲି, ଟିକୁନୁ କୁମ୍ଭାର, ଉମାଶଙ୍କର ସାହୁ, ସାନନ୍ଦ ମିଶ୍ର, ଚନ୍ଦ୍ରମଣି ତ୍ରିପାଠି, ସଂଜୟ ମିଶ୍ର, ଅଖଣ୍ଡ ସେଠ, କୈଳାସ ମିଶ୍ର, ଚିଣ୍ଟୁ ପଣ୍ଡା, କିଶୋର ଦଣ୍ଡସେନା, ଝୁପଲୁ ମହାନ୍ତି, ମିଟୁ ସାହୁ, ଲୋପନ ମିଶ୍ର, ସୁରେନ୍ଦ୍ର ଅଶ୍ୱପାଲ ଏବଂ ସୁଦର୍ଶନ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.