ଆଇ.ଆର୍‌.ଇ.ଏଲ୍. (ଇଣ୍ଡିଆ) ପ୍ଲାଣ୍ଟରେ ସ୍ଥାୟୀ ନିଯୁକ୍ତି, ସଂରକ୍ଷଣ ଦାବିରେ ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର

ବ୍ରହ୍ମପୁର, (କେ ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ଉପକଣ୍ଠରେ ଥିବା ଆଇ.ଆର୍‌.ଇ.ଏଲ୍.(ଇଣ୍ଡିଆ) ପ୍ଲାଣ୍ଟରେ ସ୍ଥାୟୀ ନିଯୁକ୍ତି ଏବଂ ସଂରକ୍ଷଣ ତଥା ଅନ୍ୟାନ୍ୟ ଆନୁସଙ୍ଗିକ ଦାବି ପ୍ରସଙ୍ଗରେ ଏକ ସ୍ମାରକପତ୍ର ରବିବାର ବ୍ରହ୍ମପୁର ଗସ୍ତରେ ଆସିଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ପ୍ରଦତ୍ତ ହୋଇଛି । ଓଡ଼ିଶା ବିଧାନସଭାର ପୂର୍ବତନ ଉପ ବାଚସ୍ପତି ରାମଚନ୍ଦ୍ର ପଣ୍ଡାଙ୍କ ନେତୃତ୍ୱରେ ଜଗନ୍ନାଥପୁର ଛକ ନିକଟରେ ଦିଆଯାଇ ଉକ୍ତ ଦାବୀପତ୍ର ସମ୍ପର୍କରେ ଆଲୋକପାତ କରି କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବାଦଲ ବେହେରା, ମନୋରଞ୍ଜନ ବେହେର, ବି.ବୈରାଗୀ ପ୍ରମୁଖ ଉପସ୍ଥିତ ଥିଲେ । ଏହି ପ୍ଲାଣ୍ଟରେ ଦୀର୍ଘ ୭ ବର୍ଷ ତଥା ତା’ଠାରୁ ବି ଅଧିକ ସମୟ ଧରି ଶ୍ରମିକମାନେ ବିଭିନ୍ନ ପଦବୀ ଯଥା କୁଶଳୀ, ଅଣକୁଶଳୀ, ସୁପରଭାଇଜର ଭାବେ କାର୍ଯ୍ୟ କରିଆସୁଛନ୍ତି, କିନ୍ତୁ ଏମାନେ ସ୍ଥାନୀୟ ବାସିନ୍ଦା ହେବା ସତ୍ତ୍ୱେ ଆଜି ପର୍ଯ୍ୟନ୍ତ ଏମାନଙ୍କୁ ଏଠାରେ ସ୍ଥାୟୀ ନିଯୁକ୍ତି ଦିଆଗଲା ନାହିଁ । ଦୁଃଖର ବିଷୟ ଏଠାରେ କିନ୍ତୁ ପ୍ରତ୍ୟେକ ବର୍ଷ ବାହାର ରାଜ୍ୟର ପିଲାମାନଙ୍କୁ ବହୁତ ସୁଯୋଗ ଦିଆଯାଉଛି । ସେମାନେ ନିଯୁକ୍ତି ପାଇବା ପରେ ବର୍ଷେ କିମ୍ବା ୨ ବର୍ଷ ଚାକିରି କରି ଅନ୍ୟ ଜାଗାକୁ ଚାଲିଯାଉଛନ୍ତି । ଯାହା ଦ୍ୱାରା ପ୍ଲାଣ୍ଟର ବି ବିଶେଷ କ୍ଷତି ମ ଧ୍ୟ ହେଉଛି । ତେଣୁ ଏମାନଙ୍କ ବିଶେଷ ଅନୁରୋଧ ପ୍ଲାଣ୍ଟରେ ଯଦି ଆମ ରାଜ୍ୟର ଶ୍ରମିକମାନଙ୍କ ଶିକ୍ଷାଗତ ଯୋଗ୍ୟତା ଅନୁଯାୟୀ ଯଦି ୭୫% ସଂରକ୍ଷଣ ପାଇଁ ବ୍ୟବସ୍ଥା ହୁଅନ୍ତା, ତେବେ ହୁଏତ ଏଠାରେ ଆମ ରାଜ୍ୟର ଦୀର୍ଘ ୭ ବର୍ଷରୁ ଅଧିକ ଧରି କାର୍ଯ୍ୟରତ ଥିବା ଶ୍ରମିକମାନଙ୍କୁ କିଛି ନୂତନ ଚାକିରିର ସୁଯୋଗ ମିଳିପାରନ୍ତା ଓ କିଛି ଲୋକଙ୍କର ବି ରୋଜଗାର ପାଇଁ ନୂତନ ପନ୍ଥା ଖୋଲନ୍ତା । ସେହିପରି ସମ୍ବିଧାନରେ ଲେଖାଥିବା ସମାନତା ଅଧୂକାର ହିସାବରେ ଏଠାରେ କାର୍ଯ୍ୟରତ ମହିଳା ଶ୍ରମିକମାନଙ୍କୁ ମଜୁରୀ ଏବଂ ପ୍ରତ୍ୟେକ ବର୍ଷର ବୋନସ୍‌ ଦେବାକୁ ଦାବି ହୋଇଛି । ଉପରୋକ୍ତ ବିଷୟରେ ଥରକୁ ଥର ସମସ୍ତ ଅଧିକାରୀଙ୍କୁ ଜଣାଇଲେ ମଧ୍ୟ କେହି ଏହା ଉପରେ ବିଶେଷ ଧ୍ୟାନ ଦେଉନାହାନ୍ତି । ସେହିପରି ଉଚ୍ଚ ରେଡ଼ିଏସନ ଅଞ୍ଚଳରେ କାମ କରୁଥିବା ବ୍ୟକ୍ତି ବିଶେଷଙ୍କ ସୁରକ୍ଷା ବ୍ୟବସ୍ଥା ଉପରେ ବିଶେଷ ଧ୍ୟାନ ଦିଆଗଲେ ସମସ୍ତେ ଚିର ଉପକୃତ ହୁଅନ୍ତେ ବୋଲି କୁହାଯାଇଛି ।

Leave A Reply

Your email address will not be published.