ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : କୋରୋନା ମହାମାରୀର କରାଳ ଛାୟାରେ କେତେ ଯେ ପରିବାର ସର୍ବସାନ୍ତ ହୋଇପଡିଛି, କେତେ ଯେ ଛୁଆକୁ ବେସାହାରା କରିଦେଇଛି । ପ୍ରଥମ ଲହର, ଦ୍ଵିତୀୟ ଲହରରେ ସାଧାରଣ ଜୀବନ ପ୍ରଭାବିତ ହୋଇ ଭାଙ୍ଗି ପଡିଛି । ଏପରି ସ୍ଥଳେ ତୃତୀୟ ଲହରର ସମ୍ଭାବନା ନେଇ ସ୍ବାସ୍ଥ୍ୟ ବିଶେଷଜ୍ଞ ମାନେ ସତର୍କ ସୂଚନା ଦେଇସାରିଲେଣି ଯାହାକି ଛୋଟ ଛୋଟ ଛୁଆମାନେ ଅଧିକ ପ୍ରଭାବିତ ହେଇପାରନ୍ତି । ତେଣୁ ତୃତୀୟ ଲହରରୁ ବଞ୍ଚିବା ନିମନ୍ତେ ଅଧିକ ସତର୍କତା ଅବଲମ୍ବନ ଜରୁରୀ ହୋଇପଡିଛି । ଗ୍ରାମାଞ୍ଚଳରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଗଞ୍ଜାମ ଅଞ୍ଚଳର ଅଗ୍ରଣୀ ସ୍ବେଚ୍ଛାସେବୀ ଯୁବ ସଂଗଠନ ୟୁଥ୍ ଫର୍ ଭିଲେଜ୍ ଓ ଦିଗ୍ ଦର୍ଶନ ୟୁଥ୍ କ୍ଳବ୍ ପକ୍ଷରୁ ଗୁଗୁଲ୍ ମିଟ୍ ମାଧ୍ୟମରେ ରାଜ୍ୟସ୍ତରୀୟ ୱେବିନାର୍ ଆୟୋଜନ କରାଯାଇଥିଲା । ଅନୁଷ୍ଠିତ ୱେବିନାର୍ରେ ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟର ଶିଶୁ ରୋଗ ବିଶେଷଜ୍ଞ ଡକ୍ଟର ନିକୁଞ୍ଜ ବିହାରୀ ଦାଶ ମୁଖ୍ୟ ବ୍ୟକ୍ତା ରୂପେ ଯୋଗଦେଇ କୋରୋନା ମହାମାରୀ ସମୟରେ କିପରି ଭାବେ ଶିଶୁ ସ୍ଵାସ୍ଥ୍ୟ ପ୍ରତି ସତର୍କ ରହିବେ ଓ ଯତ୍ନବାନ ହେବେ ତାହା ଉଲ୍ଲେଖ କରିଥିଲେ । ଡକ୍ଟର ଦାଶ କୋରୋନାରେ ପୀଡିତ ଥିବା ଛୁଆର ପ୍ରାଥମିକ ଲକ୍ଷଣ ଠାରୁ ସୁସ୍ଥ ହେବା ପର ପର୍ୟ୍ୟନ୍ତ ବିଭିନ୍ନ ସ୍ବାସ୍ଥ୍ୟ ଅବସ୍ଥାକୁ ଅତି ସରଳ ଭାବେ ପ୍ରକାଶ କରିବା ଓ କିପରି ଯତ୍ନବାନ ହେବା ବର୍ଣ୍ଣନା କରିବା ସହ ଅଂଶ ଗ୍ରହଣ କରିଥିବା ପ୍ରତିଭାଗୀ ମାନଙ୍କ ବହୁ ପ୍ରଶ୍ନର ଉତ୍ତର ରଖିଥିଲେ । ଯେଉଁଥିରେ ଅଙ୍ଗନୱାଡ଼ି କର୍ମୀ, ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ, ଅବିଭାବକ, ନର୍ସିଂ ଛାତ୍ରଛାତ୍ରୀ, ଷ୍ଟାଫ୍ ନର୍ସ ଓ ଡାକ୍ତରଖାନା କର୍ମଚାରୀ ଅଂଶ ଗ୍ରହଣ କରିଥିଲେ । ୟୁଥ୍ ଫର୍ ଭିଲେଜ୍ ପ୍ରତିଷ୍ଠାତା ତଥା କାର୍ୟ୍ୟକ୍ରମ ମୁଖ୍ୟ ଡି ଦେବହରି ରେଡ୍ଡିଙ୍କ ସଂଯୋଜନା ଏବଂ ଗଞ୍ଜାମ ପ୍ରେସ କ୍ଲବ୍ ତଥା ଦିଗ୍ ଦର୍ଶନ ୟୁଥ୍ କ୍ଳବ୍ ସଭାପତି ଉମାକାନ୍ତ ବେହେରା ଏଭଳି କାର୍ୟ୍ୟକ୍ରମର ଆଭିମୁଖ୍ୟ ସ୍ପଷ୍ଟ କରିବା ସହ ଆୟୋଜନ ପାଇଁ ପ୍ରଶଂସା କରି ଧନ୍ୟବାଦ୍ ଅର୍ପଣ କରିଥିଲେ । ଏହି କାର୍ୟ୍ୟକ୍ରମରେ ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ ଜିଲ୍ଲାର ବିଭିନ୍ନ ଅଞ୍ଚଳ ସମେତ ଜାମସେଦପୁର ଓ ମୁମ୍ବାଇରୁ ପୁଷ୍ପାଞ୍ଜଳି ପତି, ସ୍ତାଣୁଧର ପାତ୍ର, ବସନ୍ତ ବେହେରା, ଅଜିତ ଦାସ, ଚିନ୍ମୟ ପଣ୍ଡା, ଜି ଗଙ୍ଗା, ଚିନ୍ମୟୀ ପଣ୍ଡା, ପୂର୍ଣ୍ଣଚନ୍ଦ୍ର ଗୌଡ, ଭାରତୀ ରେଡ୍ଡି, ଜି ଗୌରୀ, ସୁପ୍ରିତି ସାମନ୍ତ, ରାଜଲକ୍ଷ୍ମୀ ମହାକୁଡ଼, ଶିକ୍ଷାବିତ୍ ଅଶୋକ ବେହେରା, ୱାଈ ରବୀନ୍ଦ୍ର, ପ୍ରକାଶ ଦାସ, ବବି ସେଠୀ, ଡକ୍ଟର ସନ୍ତୋଷ ରାଜୁ, ଗତିକୃଷ୍ଣ ପଣ୍ଡା, ଇପସା ମହାପାତ୍ର, ପୁଷ୍ପଲତା ମାଝୀ, ବି ଲକ୍ଷ୍ମୀ ଦେବୀ, ବି ଗାୟତ୍ରୀ, ପୁଷ୍ପା ରେଡି, କଲ୍ୟାଣୀ ପଣ୍ଡା, ଜି ଗାୟତ୍ରୀ ରାଓ, ଅନିତା ହୋତାଙ୍କ ସମେତ ୟୁଥ୍ ଫର୍ ଭିଲେଜ୍ ସମସ୍ତ ସଦସ୍ୟ ଅଂଶ ଗ୍ରହଣ କରି ନିଜ ନିଜର ମତ ରଖିଥିଲେ ।