ବଲାଙ୍ଗିର, (କେପିଏନ୍ଏସ୍) : ଆଜି ନବମ ବେଶରେ ମା’ ସିଦ୍ଧି ପ୍ରଦାୟିନୀ ‘ସିଦ୍ଧିଦାତ୍ରୀ’ ଦେବୀ ପୀଠ ମାନଙ୍କରେ ବିରାଜମାନ କରିଛନ୍ତି । ସହରର ସମଲେଇ ମନ୍ଦିର, ପାଟଣେଶ୍ୱରୀ ମନ୍ଦିର, ଦୁର୍ଗା ମନ୍ଦିର ତଥା ଅନ୍ୟସବୁ ଦେବୀ ମନ୍ଦିରରେ ମା’ ଆଜି ସିଦ୍ଧିଦାତ୍ରୀ ରୂପରେ ପୂଜା ଗ୍ରହଣ କରିବେ । ଏହି ବେଶର ପୌରାଣିକ ମହାତ୍ମ୍ୟ ସଂପର୍କରେ ଆସନ୍ତୁ ଜାଣିବା କିଛି କଥା ।
ସିଦ୍ଧଗନ୍ଧର୍ବଯକ୍ଷାଦ୍ୟୈବସୁରୈରମରୈରପି ।
ସେବ୍ୟମାନା ସଦା ଭୂୟାତ୍ ସିଦ୍ଧିଦା ସିଦ୍ଧିଦାୟିନୀ । ।
ମାତା ଦୁର୍ଗାଙ୍କର ନବମ ଶକ୍ତିର ନାମ ସିଦ୍ଧିଦାତ୍ରୀ । ଏହି ମାତା ସକଳ ପ୍ରକାର ସିଦ୍ଧି ପ୍ରଦାନ କରନ୍ତି । ମାର୍କଣ୍ଡେୟ ପୁରାଣ ଅନୁଯାୟୀ ସିଦ୍ଧି ହେଉଛି ଆଠ ପ୍ରକାର, ଯଥା- ଅଣିମା, ମହିମା, ଗରିମା, ଲଘିମା, ପ୍ରାପ୍ତି, ପ୍ରାକାମ୍ୟ, ଈଶିତ୍ୱ ଏବଂ ବଶିତ୍ୱ । ବ୍ରହ୍ମବୈବର୍ତ୍ତ ପୁରାଣର ଶ୍ରୀକୃଷ୍ଣ ଜନ୍ମ ଖଣ୍ଡରେ ସିଦ୍ଧି ଅଠର ପ୍ରକାର ବୋଲି କୁହାଯାଇଛି । ଯଥା- ଅଣିମା, ଲଘିମା, ପ୍ରାପ୍ତି, ପ୍ରାକାମ୍ୟ, ମହିମା, ଈଶିତ୍ୱ ବା ବଶିତ୍ୱ, ସର୍ବକାମାବସାୟିତା, ସର୍ବଜ୍ଞତ୍ୱ, ଦୁରଶ୍ରବଣ, ପରକାୟପ୍ରବେଶନ, ବାକ୍ସିଦ୍ଧି, କଳ୍ୱବୃକ୍ଷତ୍ୱ, ସୃଷ୍ଟି, ସଂହାରକରଣମାତର୍ଥ୍ୟ, ଅମରତ୍ୱ, ସର୍ବନ୍ୟାୟକତ୍ୱ, ଭାବନା ଓ ସିଦ୍ଧି ।
ଭକ୍ତ ଓ ସାଧକମାନଙ୍କୁ ଏହି ସମସ୍ତ ସିଦ୍ଧି ପ୍ରଦାନ କରିବାକୁ ମାତା ସିଦ୍ଧିଦାତ୍ରୀ ସମର୍ଥ । ଦେବୀ ପୁରାଣ ଅନୁଯାୟୀ ମା’ଙ୍କ କୃପାରୁ ହିଁ ଭଗବାନ ଶିବ ଏହି ସବୁ ସିଦ୍ଧି ପ୍ରାପ୍ତି କରିଥବଲେ । ତାଙ୍କରି ଅନୁକଂପାରେ ହିଁ ଶିବଙ୍କର ଅଧା ଶରୀର ଦେବୀଙ୍କ ଶରୀର ପରି ହୋଇଥିଲା । ତେଣୁ ସେ ଲୋକରେ ଅର୍ଦ୍ଧନାରୀଶ୍ୱର ନାମରେ ବିଖ୍ୟାତ । ମା’ ସିଦ୍ଧିଦାତ୍ରୀ ଚତୁର୍ଭୁଜା, ସିଂହବାହିନୀ ଏବଂ ପଦ୍ମାସନା । ସେ ଡାହାଣ ପଟର ହାତରେ ଗଦା ଓ ତଳ ହାତରେ ଚକ୍ର ଏବଂ ବାଆଁ ପଟର ଉପର ହାତରେ ପଦ୍ମ ଓ ତଳ ହାତରେ ଶଙ୍ଖ ଧରିଥାନ୍ତି । ନବରାତ୍ର ପୂଜାର ନବମ ଦିନ ତାଙ୍କର ଉପାସନା କରାଯାଏ । ଯେଉଁମାନେ ସେ ଦିନ ଶାସ୍ତ୍ରୀୟ ବିଧିବିଧାନ ଅନୁସାରେ ପୂର୍ଣ୍ଣ ନିଷ୍ଠାର ସହିତ ସାଧନା କରନ୍ତି, ମାତାଙ୍କ କୃପାରୁ ସେମାନଙ୍କୁ ସକଳ ସିଦ୍ଧି ପ୍ରାପ୍ତ ହୋଇଯାଏ । ସୃଷ୍ଟିର କୌଣସି ବି ବିଷୟ ସେମାନଙ୍କ ନିମନ୍ତେ ଅଗମ୍ୟ ହୋଇ ରହିଯାଏନାହିଁ । ସେମାନଙ୍କ ଭିତରେ ବ୍ରହ୍ମାଣ୍ଡକୁ ପୂର୍ଣ୍ଣ ବିଜୟ କରିବାର ସାମର୍ଥ୍ୟ ଆସିଯାଏ ।
ମାତା ସିଦ୍ଧିଦାତ୍ରୀଙ୍କର କୃପା ପ୍ରାପ୍ତ ହେବା ନିମନ୍ତେ ନିରନ୍ତର ପ୍ରଯତ୍ନ କରିବା ହେଉଛି ପ୍ରତ୍ୟେକ ମନୁଷ୍ୟର କର୍ତ୍ତବ୍ୟ । ତାଙ୍କର ଆରାଧନା ପଥରେ ଅଗ୍ରସର ହେବା ଆବଶ୍ୟକ । ତାଙ୍କରି କୃପାରୁ ଅନନ୍ତ ଦୁଃଖ ରୂପକ ସଂସାରରେ ନିର୍ଲିପ୍ତ ରହି, ସକଳ ସୁଖ ଭୋଗ କରି ମନୁଷ୍ୟ ମୋକ୍ଷ ପ୍ରାପ୍ତ ହୋଇପାରେ ।
ନବଦୁର୍ଗାଙ୍କ ମଧ୍ୟରେ ମା’ ସିଦ୍ଧିଦାତ୍ରୀ ହେଉଛନ୍ତି ଶେଷ ଦୁର୍ଗା । ଶାସ୍ତ୍ରୀୟ ବିଧି-ବିଧାନ ଅନୁସାରେ ଅନ୍ୟ ଅଷ୍ଟ ଦୁର୍ଗାଙ୍କର ପୂଜା-ଉପାସନା ଶେଷ କରି ସାଧକ ନବମ ଦିନ ଏହି ମାତାଙ୍କ ଉପାସନାରେ ପ୍ରବୃତ୍ତ ହୁଅନ୍ତି । ଏହି ସିଦ୍ଧିଦାତ୍ରୀ ମାତାଙ୍କର ଉପାସନା ପୂର୍ଣ୍ଣ କରି ଦେବା ପରେ ଭକ୍ତ ଓ ସାଧକମାନଙ୍କର ଲୌକିକ-ପାରଲୌକିକ ସକଳ ପ୍ରକାର କାମନା ପୂର୍ଣ୍ଣ ହୋଇଯାଏ । ମା’ଙ୍କର କୃପାପାତ୍ର ଭକ୍ତଙ୍କ ଭିତରେ ଆଉ ଏପରି କୌଣସି କାମନା ରହିଯାଏ ନାହିଁ, ଯାହାକୁ କି ସେ ପୂର୍ଣ୍ଣ କରିବାକୁ ଚାହାନ୍ତି । ସେ ସକଳ ସାଂସାରିକ ଇଚ୍ଛା, ଆବଶ୍ୟକତା ଓ ସ୍ପୃହାର ଉପରକୁ ଉଠିଯାଇ ମାନସିକ ରୂପରେ ମାତା ଭଗବତୀଙ୍କର ଦିବ୍ୟାଲୋକରେ ବିଚରଣ କରନ୍ତି ଏବଂ ମାଆଙ୍କର କୃପା ରସ ଅମୃତ ନିରନ୍ତର ପାନ କରି ବିଷୟ ଭୋଗ ଶୂନ୍ୟ ହୋଇଯାଆନ୍ତି । ମାତା ଭଗବତୀଙ୍କର ପରମ ସାନ୍ନିଧ୍ୟ ହିଁ ତାଙ୍କର ସର୍ବସ୍ୱ ହୋଇଯାଏ । ସେହି ପରମପଦକୁ ପାଇଯିବା ପରେ ତାଙ୍କର ଆଉ କୌଣସି ବସ୍ତୁର ଆବଶ୍ୟକତା ରହେନାହିଁ ।