
ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ କାର୍ଯ୍ୟାଳୟ ପରିସରରେ ଭୀମ ଭୋଇ ସାମର୍ଥ୍ୟ ଶିବିର ବୁଧବାର ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ ଶିବିରକୁ ମୁଖ୍ୟ ଅତିଥି ରୂପେ ପାଟଣାଗଡ ବିଧାୟକ ସରୋଜ କୁମାର ମେହେର ଯୋଗଦେଇ ଉଦ୍ଘାଟନ କରିଥିଲେ । ସମ୍ମାନିତ ଅତିଥି ରୂପେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ମଦନଜିତ ହୋତା, ଖପ୍ରାଖୋଲ ବ୍ଲକ ଅଧ୍ୟକ୍ଷା ନିରୁପମା ପଟେଲ, ବିଡ଼ିଓ ଆକାଶ ରଞ୍ଜନ ସାହୁ ପ୍ରମୁଖ ଯୋଗଦେଇ ଥିବା ବେଳେ ବିଏସ୍ଏସ୍ଓ କାନିଷ୍କ ବିଭାର ଅଧ୍ୟକ୍ଷତା କରିଥିଲେ । ଅତିଥି ମାନେ ଶିବିରର ଉଦ୍ଦେଶ୍ୟ ଉପରେ ଆଲୋକପାତ କରିଥିବା ବେଳେ ଶାରୀରିକ, ମାନସିକ ସ୍ତରରେ ଅନଗ୍ରସର ମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ସହ ପ୍ରମାଣ ପତ୍ର ପ୍ରଦାନ, ବିଭିନ୍ନ ଉପକରଣ ପ୍ରଦାନ ପାଇଁ ହିତାଧିକାରୀ ଚିହ୍ନଟ ଉପରେ କହିଥିଲେ । ଏହି ଅବସରରେ ୧୧୭ ଜଣ ନାମ ପଞ୍ଜିକରଣ କରିଥିବା ଜଣାଯାଇଛି । ଅନ୍ୟପଟେ ଭିନ୍ନକ୍ଷମ ପ୍ରମାଣପତ୍ର ପାଇବା ପାଇଁ ଅନ୍ଲାଇନ ପଞ୍ଜୀକୃତ କରାଯିବା ବ୍ୟବସ୍ଥା ରହିଥିଲେ ମଧ୍ୟ ପର୍ଯ୍ୟାପ୍ତ ପରିମାଣରେ ଅନଲାଇନ ପଞ୍ଜୀକରଣ ପାଇଁ ବ୍ଲକ ପକ୍ଷରୁ ବ୍ୟବସ୍ଥା କରାଯାଇ ନ ଥିବାରୁ ଅନେକ ବ୍ୟକ୍ତି ପଞ୍ଜୀକୃତ କରି ନ ପାରି ନିରାଶରେ ଫେରିଛନ୍ତି । ଉପଯୁକ୍ତ ପ୍ରଚାର ପ୍ରସାର ଅଭାବରୁ କମ୍ ସଂଖ୍ୟକ ଉପସ୍ଥିତ ଥିବାବେଳେ ଗତ ବର୍ଷ ୪୧୫ ଅଧିକ ପଞ୍ଜିକରଣ ହୋଇଥିବା ଜଣାଯାଇଛି । ଏହି ଅବସରରେ ମାନସିକ ଅନଗ୍ରସର, ଦୃଷ୍ଟି ବାଧିତ, ଶ୍ରବଣ ବାଧିତ, ଶାରୀରିକ ଅକ୍ଷମ ରୋଗୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିବା ଜଣାଯାଇଛି ।