om academy

ବୌଦ୍ଧ ଜିଲ୍ଲାରେ ସଫଳତାର ସହ ଶେଷ ହେଲା ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର

jsm

ବୌଦ୍ଧ, (କେପିଏନ୍‌ଏସ୍‌) : ଗତ ୧୪ ତାରିଖ ଦିନ ବୌଦ୍ଧ ବ୍ଲକ କାର୍ଯ୍ୟାଳୟ, ୧୬ ତାରିଖରେ କଣ୍ଟାମାଳ ହାଇସ୍କୁଲ ଏବଂ ୧୭ ତାରିଖରେ ହରଭଙ୍ଗା ବ୍ଲକ ଚାରିଛକ ହାଇସ୍କୁଲ ପରିସରରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ବୌଦ୍ଧ ବ୍ଲକରେ ୧୮୪ ଜଣ ପଂଜିକୃତ ହୋଇଥିବା ବେଳେ ସେଥିରୁ ୪୩ ଜଣଙ୍କୁ ୟୁଡି ଆଇଡି ଭିନ୍ନକ୍ଷମ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା । ଏଥିସହିତ ୭ ଜଣଙ୍କୁ ତିନିଚକିଆ ସାଇକେଲ, ୧୦ ଜଣଙ୍କୁ ହୁଇଲ ଚେୟାର ଓ ୨୦ଟି ଶ୍ରବଣ ଯନ୍ତ୍ର ପ୍ରଦାନ କରାଯାଇଥିଲା । କଣ୍ଟାମାଳ ବ୍ଲକରେ ୫୦୧ ଜଣ ପଂଜିକୃତ ହୋଇଥିବା ବେଳେ ୮୫ ଜଣଙ୍କୁ ୟୁଡି ଆଇଡି ପ୍ରମାଣପତ୍ର, ୧୦ ଜଣଙ୍କୁ ତିନି ଚକିଆ ସାଇକେଲ, ୧୦ ଜଣଙ୍କୁ ହୁଇଲ ଚେୟାର ଏବଂ ୨ଟି ଆଶାବାଡି ପ୍ରଦାନ କରାଯାଇଥିଲା । ସେହିପରି ହରଭଙ୍ଗା ବ୍ଲକର ୨୩୦ ଜଣ ପଂଜିକୃତ ମଧ୍ୟରୁ ୮୦ ଜଣଙ୍କୁ ୟୁଡି ଆଇଡି ଭିନ୍ନକ୍ଷମ ପ୍ରମାଣପତ୍ର, ୧୩ ଜଣଙ୍କୁ ତିନି ଚକିଆ ସାଇକେଲ, ୧୭ ଜଣଙ୍କୁ ହୁଇଲ ଚେୟାର, ୪ଟି ଶ୍ରବଣ ଯନ୍ତ୍ର, ୪ଟି ଆଶାବାଡି ଏବଂ ଦୁଇ ଗୋଟି ସିପି ଚେୟାର ପ୍ରଦାନ କରାଯାଇଥିଲା । ଚାରିଛକ ହାଇସ୍କୁଲଠାରେ ଜିଲ୍ଲାପାଳ ସତ୍ୟରଞ୍ଜନ ସାହୁ ଶିବିର ଶେଷ ହେବା ପର୍ଯ୍ୟନ୍ତ ଉପସ୍ଥିତ ରହି ସମସ୍ତ କାଉଣ୍ଟରକୁ ତଦାରଖ କରିବା ସହ ଲୋକଙ୍କ ଅଭିଯୋଗ ଶୁଣି ତାର ଆଶୁ ସମାଧାନ କରିଥିଲେ । ଏହି ଅବସରରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଜଣେ ହିତାଧିକାରୀଙ୍କୁ ବାର୍ଦ୍ଧକ୍ୟ ଭତ୍ତା, ୧୦ ଜଣଙ୍କୁ ମୁଖ୍ୟମନ୍ତ୍ରୀ ସହାୟତା ପାଣ୍ଠିରୁ ୮୫ ହଜାର ଟଙ୍କା ଏବଂ ୫ ଜଣଙ୍କୁ ରେଡକ୍ରସ୍‌ ପାଣ୍ଠିରୁ ୪୦ ହଜାର ଟଙ୍କାର ସହାୟତା ପ୍ରଦାନ କରାଯାଇଥିଲା । ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସୁଧାଂଶୁ ଶେଖର ପୁଝାରୀ, ବିଡିଓ ବୌଦ୍ଧ ଅବିନାଶ ପାଣ୍ଡିଆ, କଣ୍ଟାମାଳ ବିଡିଓ କଳାକୃଷ୍ଣ ପ୍ରଧାନ, ହରଭଙ୍ଗା ବିଡିଓ ସ୍ୱପ୍ନିତା ନାୟକ, ସିଡିପିଓ ବୌଦ୍ଧ ମିନତୀ ଦେଓ, କଣ୍ଟାମାଳ ସିଡିପିଓ ଜ୍ୟୋତ୍ସ୍ନାରାଣୀ ପାଢି ଓ ହରଭଙ୍ଗା ସିଡିଫିଓ ନିରୁପମା ପାଣି, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ବୌଦ୍ଧ ସାନନ୍ଦ ସାହୁ, କଣ୍ଟାମାଳ ସୂର୍ଯ୍ୟ ନାରାୟଣ ଦାଶ, ହରଭଙ୍ଗା ସୁନିଲ ମହାନ୍ତି ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଶିବିର ପରିଚାଳନାରେ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ । ଏହି ଶିବିରରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର କର୍ଣ୍ଣ, ନାଶା, ଗଳା, ଚକ୍ଷୁ, ଭେସଜ, କୁଷ୍ଠ ବିଭାଗର ବିଶେଷଜ୍ଞ ଡାକ୍ତରମାନେ ଉପସ୍ଥିତ ଥିଲେ । ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ଜୟକୃଷ୍ଣ ମିଶ୍ର, କିମ୍ସର ଅସ୍ଥିଶଲ୍ୟ ବିଶେଷଜ୍ଞ ପ୍ରଦିପ୍ତ କୁମାର ପାତ୍ର, ବୌଦ୍ଧ ମେଡିକାଲର ଡା. କିଶୋର ଚନ୍ଦ୍ର ପଟ୍ଟନାୟକ, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରିତାକାନ୍ତି ବଳିୟାରସିଂହ, ପୋଲିସ କର୍ମଚାରୀ, ଅଙ୍ଗନୱାଡି କର୍ମୀ, ଆଶା କର୍ମୀ, ସ୍ୱେଚ୍ଛାସେବୀ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମସ୍ତ ତାଲିମ ଅଧିକାରୀ, ସହକାରୀ ଜିଲ୍ଲାପାଳମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ । ସୂଚନାଯୋଗ୍ୟ ଯେ, ଆସନ୍ତା ମାର୍ଚ୍ଚ ୩ ତାରିଖରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରେ ମନ୍ତ୍ରୀ ପ୍ରଦୀପ କୁମାର ଅମାତଙ୍କ ଦ୍ୱାରା ସମସ୍ତ ଯୋଗ୍ୟ ହିତାଧିକାରୀମାନଙ୍କୁ ସେମାନଙ୍କ ପ୍ରଥମ ଭତ୍ତା ବାଣ୍ଟିବାର ବ୍ୟବସ୍ଥା କରାଯାଇଛି ।

Leave A Reply

Your email address will not be published.