jayashree

୭୨ବର୍ଷରେ ଡ଼ଙ୍ଗାବାହାଲ-ଡ଼ୁମେରଗୁଡ଼ା ଶ୍ରୀରାମଲୀଳା

  • ଏକତାର ସୂତ୍ରଧର ହେଉଛି ରାମଲୀଳା ମହୋତ୍ସବ

ମ.ରାମପୁର, (ହେମନ୍ତ ସାହୁ) : ନିରବଚ୍ଛିନ୍ନ ଭାବରେ ସାଂସ୍କୃତିକ ଧାରା ବଜାୟ ରଖିବା ଏକ କଷ୍ଟ ସାଧ୍ୟ ବ୍ୟାପାର । କିନ୍ତୁ ସଂସ୍କୃତି ପ୍ରତି ଗଭୀର ରୁଚି ଏବଂ ନିଷ୍ଠା ଏଭଳି ଏକ ପ୍ରବହମାନ ଧାରାକୁ ଆଗକୁ ନେଇଥାଏ । କଳାହାଣ୍ଡି ଜିଲ୍ଲା ମ. ରାମପୁର ବ୍ଲକ ଡ଼ମ୍ବକର୍ଲାଖୁଂଟା ପଂଚାୟତର ଡ଼ଙ୍ଗାବାହାଲ-ଡ଼ୁମେରଗୁଡ଼ାର ପ୍ରସିଦ୍ଧ ରାମଲୀଳା । ଚଳିତ ବର୍ଷ ଏହି ରାମଲୀଳା ୭୨ବର୍ଷରେ ପଦାର୍ପଣ କରିଥିବା ବେଳେ ୧୯୫୨ ମସିହାରୁ ଆରମ୍ଭ ହୋଇଥିବା ଏହି ରାମଲୀଳା ଏବେ ବି ଜାରି ରହିଛି । ଶ୍ରୀ ରାମଜୀଉ ନାଟ୍ୟ କଳା ପରିଷଦ, ଡ଼ଙ୍ଗାବାହାଲ-ଡ଼ୁମେରଗୁଡ଼ା ଦ୍ୱାରା ପ୍ରଥମେ ୧୯୫୨ରୁ ୧୯୬୫(ପ୍ରଥମ ୧୪ ବର୍ଷ) ସଂପନ୍ନ ହୋଇଥିବା ବେଳେ ଏହି ମହାନ ଇତିହାସର ପ୍ରଥମ ନିର୍ଦ୍ଦେଶକ ହନୁ ପ୍ରସାଦ ସାହୁ, ଲେଖକ ସଦାଶିବଙ୍କ ରାମଲୀଳାକୁ ଜୀବନ୍ତ ଅଭିନୟ କରିଥିଲେ ମୁଖ୍ୟ କଳାକାର ବଙ୍ଗାଳୀ ବିଶ୍ୱାଳ, ହୃଷିକେଶ ବିଶ୍ୱାଳ, ବୁଧୁ ନାଏକ, ଖଗେଶ୍ୱର ସାହୁ, ସୁଜନ କୁମୁରା ପ୍ରମୁଖ । ଦ୍ୱିତୀୟ ପର୍ଯ୍ୟାୟ୧୯୬୬ରୁ ୧୯୭୯ ମସିହା ପର୍ଯ୍ୟନ୍ତ ହୋଇଥିବା ବେଳେ ନିର୍ଦ୍ଦେଶନା ହନୁ ପ୍ରସାଦ ସାହୁ ନିର୍ବାହ କରିଥିବା ବେଳେ ଏଥିରେ ମୁଖ୍ୟ କଳାକାର ଘାସିରାମ ସାହୁ, ପବିତ୍ର ବିଶ୍ୱାଳ, ବୁଦୁଙ୍ଗ ସାହୁ, ତପି ପାତ୍ର, ରବି କଅଁର, କଦଳୀ ଧରୁଆ, ଠିକ୍ ସେହିପରି ତୃତୀୟ ପର୍ଯ୍ୟାୟ ୧୯୮୦ରୁ ୧୯୯୩(ପଂଚମ ପର୍ଯ୍ୟାୟ)ରେ ନିର୍ଦ୍ଦେଶନା ବିଭୀଷଣ ନାଏକ, ଡ଼ଙ୍ଗାବାହଲ ଓ ମୁଖ୍ୟ କଳାକାର ଦିଗାମ୍ବର ନାଏକ, ଥବିର ବାଗ, ରାମ ପ୍ରସାଦ ସାହୁ, ହୃଷିକେଶ ସାହୁ, ଶତୃଘ୍ନ ପାତ୍ର ଏହି ଧାରାକୁ ବଜାୟ ରଖିଥିଲେ । ପରବର୍ତ୍ତୀ ସମୟରେ ୧୯୯୪ରୁ ୨୦୦୭(ଷଷ୍ଠ ପର୍ଯ୍ୟାୟ) ମଧ୍ୟ ନିର୍ଦ୍ଦେଶନା ବିଭୀଷଣ ନାଏକ ଭାର ସମ୍ଭାଳି ଥିଲେ ଏବଂ ଏହି ୧୪ ବର୍ଷ ମଧ୍ୟରେ ମୁଖ୍ୟ କଳାକାର ହରିହର ପାତ୍ର, ଅଖିଲ ନାଏକ, କର୍ଣ୍ଣ କଅଁର, କ୍ଷମାନିଧି ପଧାନ, ସୁକାସନ ସାହୁ ନିଜ ନିଜ ବ୍ରତ ପାଳନ ସହିତ ରାମଲୀଳା ମହୋତ୍ସବ ଚାଲୁ ରଖିଥିଲେ । ୨୦୦୮ରୁ ୨୦୨୧(ସପ୍ତମ ପର୍ଯ୍ୟାୟ) ତୃତୀୟ ଥର ପାଇଁ ନିର୍ଦ୍ଦେଶନା ବିଭୀଷଣ ନାଏକ ନେଇଥିଲେ । ଏଥିରେ ମୁଖ୍ୟ କଳାକାର କରୁଣାକର ସାହୁ, ଶରଣ ବିଶ୍ୱାଳ, ଝସକେତନ ପଧାନ, ମଦନ ପଧାନ, ନିରଞ୍ଜନ ସାହୁ ପ୍ରମୁଖ ଏହି ସମୟରେ ନିଜର କଳାଚାତୁରୀ ପ୍ରଦର୍ଶନ କରିଥିଲେ । ସଂପ୍ରତି ଅତ୍ୟାଧୁନିକ ଯୁଗରେ ଯୁଗ ସହ ତାଳ ଦେଇ ୨୦୨୨ରୁ ଅଷ୍ଟମ ପର୍ଯ୍ୟାୟ ଆରମ୍ଭ ହୋଇଥିବା ବେଳେ ଲେଖକ ଓ ନିର୍ଦ୍ଦେଶକ ସୁରେନ୍ଦ୍ର ମିଶ୍ର, ଦଶପଲ୍ଲା, ନୟାଗଡ଼ ରହିଛନ୍ତି ଏବଂ ଚଳିତ ଥର ଏହି ମହାନ ରାମଲୀଳା ମହୋତ୍ସବରେ ମୁଖ୍ୟ କଳାକାର ପୁଷ୍ପେନ୍ଦ୍ର ସାହୁ, ମାନସ ରଂଜନ ପଧାନ, ନିବାସପାତ୍ର, ଉଦିତ ପାତ୍ର, ପ୍ରିୟ ରଂଜନ ସାହୁ ପ୍ରମୁଖ ନିଜ ନିଜ ଅଭିନୟ ଚାତୁରୀ ମାଧ୍ୟମରେ ଦର୍ଶକଙ୍କୁ ବାନ୍ଧି ରଖିବାରେ ସକ୍ଷମ ହେଉଛନ୍ତି । ୭୨ବର୍ଷର ଏହି ଧର୍ମୀୟ ଧାରା ଏହି ଗାଁକୁ ଆଜି ବି ଏକତାର ସୂତ୍ରରେ ବାନ୍ଧି ରଖିଛି । ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଏହି ଗାଁର ରାମଲୀଳାରେ ଦର୍ଶକଙ୍କ ସମାଗମ ହେଉଥିବା ଦେଖାଯାଇଛି ।

Leave A Reply

Your email address will not be published.