centurian jitm

ମିନାକ୍ଷୀ ଧରଙ୍କ ଦ୍ଵିତୀୟ ପୂଣ୍ୟ ତିଥି ଶ୍ରାଦ୍ଧ ଉତ୍ସବ ପାଳିତ

nschool

ରାଉରକେଲା, (ସସ୍ମିତା ପ୍ରଧାନ) : ମିନାକ୍ଷୀ ଧର ଫାଉଣ୍ଡେସନ ପକ୍ଷରୁ ବିବିଧ ପ୍ରତିଭାର ଅଧିକାରିଣୀ ଉଦ୍‌ଘୋଷିକା, କଣ୍ଠଶିଳ୍ପୀ, ସୁସଙ୍ଗଠିକା ତଥା ସମାଜସେବୀ ସ୍ୱର୍ଗତା ମିନାକ୍ଷୀ ଧରଙ୍କ ଦ୍ୱିତୀୟ ପୂଣ୍ୟ ତିଥି ଶ୍ରଦ୍ଧାଞ୍ଜଳି ସଭା ସ୍ଥାନୀୟ ଭଞ୍ଜଭବନ ପରିସରରେ ଥିବା ଆଦର୍ଶ ସାହିତ୍ୟ ଘରଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପୂର୍ବତନ ବରିଷ୍ଠ ପ୍ରଶାସକ ମହେନ୍ଦ୍ର କୁମାର ପଟ୍ଟନାୟକ ଅଧ୍ୟକ୍ଷତା କରିଥିଲେ । ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଉରକେଲା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ଆଜିର ଶ୍ରମମନ୍ତ୍ରୀ ସାରଦା ପ୍ରସାଦ ନାୟକ ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ଆର୍‌ସିସିଆଇର ଅଧ୍ୟକ୍ଷ ସୁବ୍ରତ କୁମାର ପଟ୍ଟନାୟକ ଯୋଗ ଦେଇଥିବା ବେଳେ ସମ୍ବଲପୁର ବିଶ୍ୱବିଦ୍ୟାଳୟର ଅବସରପ୍ରାପ୍ତ ପ୍ରାଧ୍ୟାପକ ଡ଼. ଶ୍ୟାମ ସୁନ୍ଦର ଧର ମୁଖ୍ୟ ଆଲୋଚକ ଭାବେ ମଂଚାସୀନ ଥିଲେ । ଅତିଥିମାନେ ତାଙ୍କ ସ୍ମୃତିଚାରଣ କରି କହିଲେ ଯେ, ବାସ୍ତବରେ ମିନାକ୍ଷୀ କେବଳ ରାଉରକେଲରେ ନୁହେଁ ବରଂ ସମଗ୍ର ଓଡ଼ିଶାର ଜନମାନସରେ ନିଜର ଏକ ଅନନ୍ୟ ପରିଚୟ ଓ ସ୍ୱତନ୍ତ୍ର ସ୍ଥାନ ପ୍ରତିଷ୍ଠା କରିଯାଇଛନ୍ତି । ଏଭଳି ଜଣେ ବିରଳ ବ୍ୟକ୍ତିତ୍ଵର ଅଧିକାରିଣୀ ସ୍ୱର୍ଗତା ଶ୍ରୀମତୀ ଧର ଆଜି ଆମ ଗହଣରେ ନାହାଁନ୍ତି ସତ ମାତ୍ର ଅଗଣିତ ଶୁଭେଚ୍ଛୁ ଗଣଙ୍କ ହୃଦୟରେ ତାଙ୍କର ପ୍ରତିଟି ମଧୁର ସ୍ମୃତି ଆଜି ବି ଜୀବନ୍ତ ଓ ଅମଳିନ ହୋଇ ରହିଛି ଓ ଚିରଦିନ ପାଇଁ ରହିଥିବ ମଧ୍ୟ । ଉକ୍ତ ଅବିସ୍ମରଣୀୟ ଆବେଗ ଭରା ମୁହୂର୍ତ୍ତରେ ସହରର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଉପସ୍ଥିତ ରହି ତାଙ୍କ ଫଟୋଚ୍ଚିତ୍ରରେ ଶ୍ରଦ୍ଧା ସୁମନ ଅର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଜଣାଇ ଥିଲେ । ଶିକ୍ଷାବିତ୍ ଡ଼ କିଶୋରୀ ଦାସ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ । ଫାଉଣ୍ଡେସନର ପ୍ରତିଷ୍ଠାତା ତଥା ଆବାହକ ନଳିନୀକାନ୍ତ ଧର ସ୍ୱାଗତ ଭାଷଣ ପ୍ରଦାନ ପୂର୍ବକ ଫାଉଣ୍ଡେସନର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ସୂଚନା ଦେଇଥିଲେ । ସ୍ୱର୍ଗତା ଧରଙ୍କ ଉଦ୍ଦେଶ୍ୟରେ ଏକ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା । ଏହି ଅବସରରେ ପଶ୍ଚିମ ଓଡ଼ିଶାର ଲୋକ କଳା ସଂସ୍କୃତି ଶୀର୍ଷକ ଉପରେ ମୁଖ୍ୟ ଆଲୋଚକ ଡ଼ ଶ୍ରୀ ଧର ନିଜର ସାରଗର୍ଭକ ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି ଲୋକ କଳା ଓ ସଂସ୍କୃତିକୁ ବଞ୍ଚାଇ ରଖିବା ପାଇଁ ବିଭିନ୍ନ ସ୍ତରରେ ଉଦ୍ୟମ ହେବା ଆବଶ୍ୟକ ବୋଲି ସେ ମତବ୍ୟକ୍ତ କରିଥିଲେ । ସ୍ୱର୍ଗୀୟା ଶ୍ରୀମତୀ ଧରଙ୍କ ସ୍ମୃତିରେ ଓଡ଼ିଶାର ବିଶିଷ୍ଟ କବି ଓ ସାହିତ୍ୟିକ ରାଜୀବ ପାଣିଙ୍କୁ ସାହିତ୍ୟ ସମ୍ମାନ, ସମାଜସେବୀ ସଞ୍ଜିବ ମହାନ୍ତିଙ୍କୁ ସମାଜସେବୀ ସମ୍ମାନ ତଥା ଉଦୀୟମାନ ଉଦ୍‌ଘୋଷିକା ସୁଶ୍ରୀ ମୋନାଲିସା ସାହୁଙ୍କୁ ଉଦ୍‌ଘୋଷିକା ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଥିଲା । ସୁପରିଚିତ କଣ୍ଠଶିଳ୍ପୀ ଡ଼ ସୁଶାନ୍ତ ପାଣି ମିନାକ୍ଷୀଙ୍କ ସ୍ମୃତିରେ ଏକ ଆବାହନୀ ସଂଗୀତ ପରିବେଷଣ କରିଥିଲେ । ପ୍ରାରମ୍ଭରେ ଅତିଥିଙ୍କ ଦ୍ୱାର ପ୍ରଦୀପ ପ୍ରଜ୍ୱଳନ କରାଯାଇଥିଲା । ଜ୍ୟୋତିର୍ମୟ ଆଚାର୍ଯ୍ୟ ଶ୍ଳୋକ ପାଠ କରିଥିଲେ ।
ଏଥିସହ ଅନ୍ୟତମ କଣ୍ଠଶିଳ୍ପୀ ସ୍ମିତା ମିଶ୍ର ଓ ଝୁନୁ ନାୟକ ହୃଦୟସ୍ପର୍ଶୀ ସଙ୍ଗୀତ ଦିବଂଗତ ଅମର ଆତ୍ମାଙ୍କ ସଦ୍‌ଗତି ନିମନ୍ତେ ସମର୍ପିତ କରିଥିଲେ‌ । ବରିଷ୍ଠ ଶିକ୍ଷୟିତ୍ରୀ ସାହିତିକା ନିରୂପମା ପତି ମଞ୍ଚ ସଞ୍ଚାଳନ କରିଥିଲେ । କାର୍ଯ୍ୟକ୍ରମରେ ବିଶିଷ୍ଟ ସୁସାହିତ୍ୟିକା ଅଙ୍ଗୁରବାଳା ପରିଡ଼ା, ରାଷ୍ଟ୍ରପତି ପଦକ ପ୍ରାପ୍ତ ବରିଷ୍ଠ ଶିକ୍ଷକ ବ୍ରଜେନ୍ଦ୍ର ଦାଶ, ଲିନା ତ୍ରିପାଠୀ ମାନପତ୍ର ମାନ ପାଠ କରିଥିଲେ । ବରିଷ୍ଠ ସାମ୍ବାଦିକ ମନୋରଞ୍ଜନ ଦାଶ, ଆଦର୍ଶ ପାଠାଗାରର ସଭାପତି ଚନ୍ଦ୍ର ଶେଖର ଶତପଥି, ଅବସରପ୍ରାପ୍ତ ଡିଏଫ୍‌ଓ ଭଗବାନ ପତି, ଡ଼ କୃପାସିନ୍ଧୁ ନାୟକ ତଥା ଅନ୍ୟ ବୁଦ୍ଧିଜୀବୀମାନେ ସ୍ୱର୍ଗୀୟା ଶ୍ରୀମତୀ ଧରଙ୍କ ବଳିଷ୍ଠ ବ୍ୟକ୍ତିତ୍ୱ ବିଷୟରେ ନିଜ ହୃଦୟର ଅଭିବ୍ୟକ୍ତ ବଖାଣି ଥିଲେ । ପ୍ରାକ୍ତନ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ଲୋପାମୁଦ୍ରା ମହାନ୍ତିଙ୍କ ବାର୍ତ୍ତାକୁ ଶିଲି ମହାନ୍ତି ପାଠ କରିଥିଲେ । ଏହି ଅବସରରେ ପୂର୍ବରୁ ଅନୁଷ୍ଠିତ ବିଦ୍ୟାଳୟସ୍ତରୀୟ ସାଧାରଣ ଜ୍ଞାନ ପ୍ରତିଯୋଗିତାର କୃତି ପ୍ରତିଯୋଗୀମାନଙ୍କୁ ପ୍ରମାଣପତ୍ର ଓ ଟ୍ରଫି ପ୍ରଦାନ ପୂର୍ବକ ପୁରସ୍କୃତ କରାଯାଇଥିଲା । ଅଶୋକ ପଟ୍ଟନାୟକ କୃତି ପ୍ରତିଯୋଗୀମାନଙ୍କ ନାମ ଘୋଷଣା କରିଥିଲେ । ଆୟୋଜିତ କାର୍ଯ୍ୟକ୍ରମରେ ଶୈଳେନ୍ଦ୍ର ମହାନ୍ତି, କୁମାର ବେହେରା, ଅଭୟ କୁମାର ଦାସ, ଜଗନ୍ନାଥ ରାଉତ, ହୀରାଲାଲ ମହାପାତ୍ର, ସୂର୍ଯ୍ୟ ନାରାୟଣ ପାଢ଼ୀ, ରାଧାକାନ୍ତ ମିଶ୍ର, ଡ଼ ଶଙ୍କର ପ୍ରସାଦ ତ୍ରିପାଠୀ, ବିଭୁତି ଭୂଷଣ ଦାସ, ପୀତବାସ ପ୍ରଧାନ, ବିଜୟଲକ୍ଷ୍ମୀ ପଟ୍ଟନାୟକ, ପଦ୍ମିନୀ ପାଣିଗ୍ରାହୀ, ଶ୍ରୀକାନ୍ତ ଷଡ଼ଙ୍ଗୀ, କଳ୍ପନା ଶତପଥୀ, ପିଙ୍କି ମହାନ୍ତି, ମମତା ନାୟକ, ସୁକାନ୍ତ ଚନ୍ଦ୍ର ଖୁଣ୍ଟିଆ, ଡ଼ ନଗେନ ଦାସ, ଅକ୍ଷୟ ସାମଲ, ବିବେକାନନ୍ଦ ଦାସ, ସନ୍ତୋଷ ରଥ, ପରଭେଜ ଅରୋରା, ପୁର୍ଣ୍ଣଚନ୍ଦ୍ର ବେହେରା, ଆଲୋକ ଜେନା, ରାଜ କୁମାର ପଣ୍ଡା, ଗରିମା ପରିବାରର ସଦସ୍ୟା ଗଣଙ୍କ ସମେତ ଶତାଧିକ ବ୍ୟକ୍ତି ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଶେଷରେ ଶଙ୍କର ଜେନା ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.