jayashree

ଟ୍ରାକ୍ଟର ଚକ ତଳେ ଚାପି ହୋଇ ଶିଶୁକନ୍ୟାଙ୍କ ମୃତ୍ୟୁ, ଡ୍ରାଇଭର ଏବଂ ମାଲିକ ଫେରାର

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଥାନା ଅନ୍ତର୍ଗତ କନ୍ଦେନ୍‌ଝଲା ଗାଁରେ ଏକ ଟ୍ରାକ୍ଟର ଚକ ତଳେ ଚାପି ହୋଇ ଅଢେଇ ବର୍ଷର ଜଣେ ଶିଶୁ କନ୍ୟାଙ୍କ ମୃତ୍ୟୁ ଘଟିଛି । ମୃତ ଶିଶୁକନ୍ୟା ଜଣକ ହେଉଛନ୍ତି ଗାଁର ମାୟାଧର ମାଝିଙ୍କ ଝିଅ ଜ୍ୟୋତ୍ସ୍ନା ମାଝୀ । ସୂଚନା ଅନୁସାରେ ଆଜି ସକାଳ ପ୍ରାୟ ୯ଟା ବେଳେ ମାୟାଧର ମାଝିଙ୍କ ଘର ପାଖରେ ଟ୍ରାକ୍ଟର ନଂ ଓଡି୦୩ପି ୮୬୭୭ କୁ ଡ୍ରାଇଭର ଅମର ମାଝୀ ପଛକୁ ନେଉଥିବା ସମୟରେ ଶିଶୁ କନ୍ୟା ଚକ ତଳେ ଚାପି ହୋଇ ଯାଇଥିଲା । ଟ୍ରାକ୍ଟରରେ ଥିବା ଦୁଇ ଜଣ ଶ୍ରମିକ ଡ୍ରାଇଭରକୁ ତାଗିଦ କରୁଥିବା ସତେ୍‌ତ୍ୱ ଡ୍ରାଇଭର ଅମର ମାଝୀ ଟ୍ରାକ୍ଟରକୁ ଶିଶୁଙ୍କ ଉପରେ ଚଢେଇ ଦେଇଥିଲେ ଏବଂ ପରେ ଚକତଳୁ ମୃତ ଶିଶୁ କନ୍ୟାକୁ କାଢି ଟ୍ରାକ୍ଟର ନେଇ ଫେରାର ମାରିବାକୁ ଚେଷ୍ଟା କରିଥିଲା । କିନ୍ତୁ ସ୍ଥାନୀୟ ଲୋକେ ଟ୍ରାକ୍ଟରକୁ ଅଟକାଇବାରେ ସକ୍ଷମ ହୋଇଥିବା ବେଳେ ଡ୍ରାଇଭର ଫେରାର୍‌ ହୋଇଯାଇଥିଲେ । ଏହି ଘଟଣା ପରେ ଗ୍ରାମରେ ଶୋକାକୁଳ ବାତାବରଣ ଦେଖିବାକୁ ମିଳିଛି । ଦୁର୍ଘଟଣା ସମ୍ପର୍କରେ ଖବର ପାଇ ଖପ୍ରାଖୋଲ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଟ୍ରାକ୍ଟର ଏବଂ ଶବକୁ ଜବତ କରିଥିଲେ । ମୃତ ଶିଶୁକନ୍ୟାଙ୍କ ଶବ ବ୍ୟବଚ୍ଛେଦ ପାଇଁ ପଠେଇ ଦିଆଯାଇଥିବା ଜଣାପଡ଼ିଛି । ଅନ୍ୟପଟେ ଫେରାର୍‌ ଡ୍ରାଇଭର୍‌ ଅମର ମାଝୀଙ୍କୁ ପୋଲିସ ଗିରଫ୍‌ କରିଥିବା ସୂଚନା ମିଳିଛି । ଘଟଣାର ଅଧିକ ତଦନ୍ତ ଚାଲିଥିବା ଖପ୍ରାଖୋଲ ଥାନାଧିକାରୀ ରମାକାନ୍ତ ସାହୁ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.