
ରାଉରକେଲା, (ସସ୍ମିତା ପ୍ରଧାନ) : ଗୋଟିଏ ପଟେ ଶ୍ରୀକ୍ଷେତ୍ର ପୁରୀ ଜିଲ୍ଲାର ନିକଟସ୍ଥ ଅର୍କକ୍ଷେତ୍ର କୋଣାର୍କରୁ ଆସିଥିବା ବଢ଼େଇ ଦଳ ଅହରହ ଲାଗିଛନ୍ତି ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ନୂଆ ରଥ ନିର୍ମାଣରେ ତ ଅନ୍ୟ ପଟେ ସ୍ଥାନୀୟ ଚିତ୍ରକାର ଓ ରଙ୍ଗଶିଳ୍ପୀମାନେ ଆରମ୍ଭ କରିଛନ୍ତି ଐତିହାସିକ ଜଗନ୍ନାଥ ମନ୍ଦିରକୁ ନୂଆରଙ୍ଗରେ ସଜେଇବାରେ । ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ମହିମା ଯେ ଷଢେ଼ଇକଳାର ଶ୍ରୀଜଗନ୍ନାଥ ସେବା ସମିତିରେ ଆଜୀବନ ସଦସ୍ୟତା ଗ୍ରହଣ କରିବା ପାଇଁଁ ଆଖପାଖ ଅଞ୍ଚଳର ଯୁବଗୋଷ୍ଠୀ ମାନଙ୍କ ମଧ୍ୟରେ ଅତ୍ୟନ୍ତ ଉତ୍ସାହ ଦେଖା ଦେଇଛି । ନିତି ଷଢେ଼ଇକଳା ସହରର ବିଭିନ୍ନ ସାହି ସହିତ ଗ୍ରାମାଞ୍ଚଳରୁ ମଧ୍ୟ ଆଜୀବନ ସଦସ୍ୟତା ଗ୍ରହଣ ପାଇଁ ସମିତିର ସଭାପତି ଓ ସଚିବଙ୍କ ପାଖକୁ ବହୁ ପ୍ରସ୍ତାବ ଆସୁଛି ଓ ସଦସ୍ୟତା ଶୁକ୍ଳ ପଇଠ କରି ସଦସ୍ୟମାନେ ମହାପ୍ରଭୁଙ୍କ ସେବକ ଭାବେ ସାମିଲ ହୋଇ ବେଶ୍ ଆନନ୍ଦ ଅନୁଭବ କରୁଛନ୍ତି । ଷଢେ଼ଇକଳା ଜଗନ୍ନାଥ ମନ୍ଦିରର ଇତିହାସ ପ୍ରାୟ ସାତ ଶହ ବର୍ଷ ପୁରୁଣା । ଢେଙ୍କାନାଳର ଏକ ମହାପାତ୍ର ପରିବାର ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ବିଗ୍ରହ ଆଣି ସ୍ଥାପନ କରି ପୂଜାବିଧି ଆରମ୍ଭ କରନ୍ତି ଏବଂ ବସବାସ କରି ଏଯାବତ ରହି ଆସୁଛନ୍ତି । ପରବର୍ତ୍ତୀ ସମୟରେ ଷଢେ଼ଇକଳା ମହାରାଜା ଉଦିତ ନାରାୟଣ ସିଂହଦେବଙ୍କ ଅମଳରେ ୧୮୯୦ ମସିହାରେ ଏହି ଐତିହାସିକ ପ୍ରାଚୀନ ମନ୍ଦିରଟି ନିର୍ମାଣ ହୁଏ । ଅବିଭକ୍ତ ସିଂହଭୂମି ସହିତ ଧଳଭୂମି ଓ ମାନଭୁମ୍ (ପଶ୍ଚିମବଙ୍ଗର ପୁରୁଲିଆ ଅଞ୍ଚଳ)ର ସର୍ବ ପ୍ରଥମ ଓ ସର୍ବ ବୃହତ ଜଗନ୍ନାଥ ମନ୍ଦିର । ଏହି ମନ୍ଦିରର କାରୁକାର୍ଯ୍ୟ ଦେଖିଲା ଭଳି ଏବଂ ବହୁତ ଛୋଟ ଛୋଟ ମୂର୍ତ୍ତି ସହିତ ବିଭିନ୍ନ ରକମର ପଥର ଶିଳ୍ପର ସୁକ୍ଷ୍ମ କାରିଗରୀରେ ପରିପୂର୍ଣ ଏହି ମନ୍ଦିର କିଛି ବର୍ଷ ପୂର୍ବେ ଉପେକ୍ଷିତ ଓ ଜରାଜୀର୍ଣ୍ଣ ଅବସ୍ଥାରେ ଥିଲା । ଷଢେ଼ଇକଳାର ବିଶିଷ୍ଟ ବ୍ୟକ୍ତି ମାନେ ଶ୍ରୀଜଗନ୍ନାଥ ମନ୍ଦିର ସେବା ସମିତି ଗଠନ କରି ଏହି ମନ୍ଦିରର ସୁରକ୍ଷା ପାଇଁ ଅଣ୍ଟା ଭିଡ଼ି ବାହାରିଲେ, ପରିଣାମ ସ୍ୱରୂପ ଏହି ଐତିହାସିକ ମନ୍ଦିର ସୁରକ୍ଷିତ ହେବା ସଙ୍ଗେ ସଙ୍ଗେ ନିଜର ଭବ୍ୟତାର ଇତିହାସ ବଖାଣି ବସିଛି । ବର୍ତ୍ତମାନ ଏହି ମନ୍ଦିରରେ ନିତିକାନ୍ତି ସହିତ ପୂଜା ଅର୍ଚ୍ଚନା ଓ ସାମୁହିକ ଉତ୍ସବ ପାଳନ କରିବା ସହିତ ମନ୍ଦିରର ଉନ୍ନତି ପାଇଁ ଅନୁଷ୍ଠାନ ସର୍ବଦା ପ୍ରୟାସ କରି ଆସୁଛି ।