ଧଳପୁର-ଆଠମଲ୍ଲିକ ସେତୁରୁ ପଡି ୩ ଶ୍ରମିକଙ୍କ ମୃତ୍ୟୁ ପ୍ରସଙ୍ଗ

୦ ଲେଡିଗୁଡ଼ କୁହୁଣୀକୁ ବୋହିବା ପରେ ଭାଙ୍ଗିଲା କୁମ୍ଭକର୍ଣ୍ଣ ନିଦ୍ରା
୦ ସୁରକ୍ଷାର ତଦାରଖ କଲେ ଭିସୁଟ କଂସଲଣ୍ଟାଣ୍ଟ ଓ ଟିମ

ବୌଦ୍ଧ, (ବଂଶୀଧର ମାଝୀ) : ଗମନା ଗମନ ଓ ପରିବହନ କ୍ଷେତ୍ରରେ ଉତ୍ତର ଓ ଦକ୍ଷିଣ ଓଡିଶାକୁ ସଂଯୋଗ କରିବାରେ ମାଇଲଖୁଣ୍ଟ ସ୍ଥାପନ କରିବାକୁ ଯାଉଛି ଧଳପୁର-ଆଠମଲ୍ଲିକ ମହାନଦୀ ସେତୁ ପ୍ରକଳ୍ପ । ହେଲେ ଏହି ବହୁ ପ୍ରତୀକ୍ଷିତ ସେତୁ ନିର୍ଦ୍ଧାରିତ ସମୟ ଅବଧି ମଧ୍ୟରେ ନିର୍ମାଣ କାର୍ୟ୍ୟ ସଂମ୍ପନ କରିବାରେ ଟେଣ୍ଡର ପାଇଥିବା ରାଜ୍ୟ ବାହାରର ଏକ ଘରୋଇ ନିର୍ମାଣକାରୀ ଠିକାସଂସ୍ଥା ବିଫଳ ହୋଇଥିଲା । ପରବର୍ତ୍ତୀ ସମୟରେ ତରବରିଆ ଭାବେ ନିର୍ମାଣ କାର୍ୟ୍ୟ ସାରିବାକୁ ଯାଇ ଢିଲା ସୁରକ୍ଷା ବ୍ୟବସ୍ଥାରେ ଅସୁରକ୍ଷିତ ଭାବେ ଶ୍ରମିକଙ୍କୁ କାର୍ୟ୍ୟରେ ନିୟୋଜିତ କରିବା ଯୋଗୁଁ ଗତ ଦେଢ଼ ମାସ ମଧ୍ୟରେ ବାହାର ରାଜ୍ୟର ୩ଜଣ ନିରୀହ ଶ୍ରମିକଙ୍କର ପ୍ରାଣହାନୀ ଘଟିଥିଲା ପ୍ରଥମେ ଅଘଟଣଟି ଘଟିଥିଲା ଜାନୁୟାରୀ ମାସ ୧୬ତାରିଖରେ । ସେତୁ ଉପରେ କାମ କରୁଥିବା ବେଳେ ହଠାତ ନିୟନ୍ତ୍ରଣ ରକ୍ଷା କରିନପାରି ପ୍ରାୟ ୫୦ଫୁଟ ଉପରୁ ଖସି ତଳେ ଏକ ଲୁହା ଏଙ୍ଗେଲ ସହ ପିଟିହୋଇ ମୃତ୍ୟୁ ବରଣ କରିଥିଲେ ଝାଡ଼ଖଣ୍ଡ ରାଜ୍ୟ ଲାତେହାର ଜିଲ୍ଲା କେନରୁ ଗ୍ରାମର ମନୁ ଗଂଝୁ(୩୦) ଦ୍ୱିତୀୟ ଅଘଟଣଟି ଘଟିଲା ଗତ ମାର୍ଚ୍ଚ ମାସ ୪ତାରିଖରେ । ରାତ୍ରି ସାଢେ ୯ଟା ସମୟରେ ଏହି ସେତୁ ଉପରୁ ପ୍ରାୟ ୫୦ଫୁଟ ତଳକୁ ଖସି ପଶ୍ଚିମବଙ୍ଗ ମଲଦା ଜିଲ୍ଲା ପୂର୍ବ ସଇଦୁର ଗ୍ରାମର ସମୀର ଘୋଷ(୨୦)ନାମକ ଆଉ ଜଣେ ଶ୍ରମିକ ମୃତ୍ୟୁ ବରଣ କରିଥିଲେ । ମାତ୍ର୧୮ଦିନ ମଧ୍ୟରେ ଦୁଇ ଦୁଇଟି ବାହାର ରାଜ୍ୟରୁ ଆସିଥିବା ଶ୍ରମିକଙ୍କର ଶୋଚନୀୟ ମୃତ୍ୟୁ ଘଟିବା ପରେ ବି ନିର୍ମାଣ ଦାୟିତ୍ୱରେ ଥିବା ଠିକାସଂସ୍ଥା, ସେପ୍ଟି କଂସଲଣ୍ଟାଣ୍ଟ, ପୂର୍ତ୍ତ କତ୍ତୃପକ୍ଷ ଓ ଜିଲ୍ଲା ଶ୍ରମବିଭାଗ ସମସ୍ତେ ନିଦାବିଷ୍ଣୁ ସାଜି ନୀରବଦ୍ରଷ୍ଟା ହୋଇ ରହିଲେ । ଏହାର ଦଶା ଭୋଗିବାକୁ ପଡିଲା ଦ୍ୱିତୀୟ ଦୁର୍ଘଟଣାର ୪୮ଘଣ୍ଟା ନପୁରୁଣୁ ପଶ୍ଚିମବଙ୍ଗ ରାଜ୍ୟର ଆଉ ଜଣେ ଶ୍ରମିକ ଶେଖ ଜାହାଙ୍ଗିରଙ୍କୁ ସେ ମଧ୍ୟ ସମାନ ସେଇ ସେତୁ ଉପରୁ ଖସି ତଳେପଡି ମୃତ୍ୟର ଶିକାର ହେଲେ ।ସବୁଠାରୁ ଆଶ୍ଚର୍ୟ୍ୟର କଥାହେଲା ସେତୁ ପ୍ରକଳ୍ପ ନିର୍ମାଣ କରୁଥିବା ରାଜ୍ୟ ବାହାରର ଉକ୍ତ ଠିକାସଂସ୍ଥା ନିକଟରେ ଇଣ୍ଟର ଷ୍ଟେଟ ମାଇଗ୍ରାଣ୍ଟ ୱାର୍କର ଲାଇସେନ୍ସ, ଲେବର ଲାଇସେନ୍ସ ଓ ଏମଟିଡବ୍ଲୁ ଲାଇସେନ୍ସ ଅଛିନା ନାହିଁ ତାର ତଥ୍ୟ ଖୋଦ ଜିଲ୍ଲା ଶ୍ରମ ବିଭାଗ ନିକଟରେ ମଧ୍ୟ ନଥିବାରୁ ଶ୍ରମ ଅଧିକାରୀ ମୁଁ ଦେଖିଲା ପରେ ହିଁ କହିପାରିବି ବୋଲି କହିଥିଲେ । ଏ ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ରାଜ୍ୟ ସରକାରଙ୍କ କୁମ୍ଭକର୍ଣ୍ଣ ନିଦ୍ରା ଭଙ୍ଗହୋଇ ତତ୍ପରତା ପ୍ରକାଶ ପାଇଲା । ବୁର୍ଲା ଭିସୁଟର ସେପ୍ଟି କଂସଲଣ୍ଟାଣ୍ଟ ଏଚଓଡି ସିଭିଲ ଇଞ୍ଜିନିୟରିଂ ଡିପାର୍ଟମେଣ୍ଟ ଇଂ ଏସକେ ପାତ୍ରଙ୍କ ନେତୃତ୍ୱରେ ଏକ ୬ଜଣିଆ ଟିମ ନିର୍ମାଣଧିନ ସେତୁ ପ୍ରକଳ୍ପର କାର୍ୟ୍ୟ ତଦାରଖ ଆରମ୍ଭ ହୋଇଛି । ସେମାନେ ଶ୍ରମିକ ମୃତ୍ୟୁ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରି ସୁରକ୍ଷା ବ୍ୟବସ୍ଥା ଠିକଥିଲା ନାଁ ନାହିଁ ତାର ସରଜମିନ ତଦନ୍ତ କରିଥିଲେ । ଏହା ସହିତ ଶ୍ରମିକ ସୁରକ୍ଷା ପାଇଁ ସରକାରଙ୍କର ରହିଥିବା ନୀତି ନିୟମ ଓ ଠିକସଂସ୍ଥା କରିଥିବା ସତ୍ୟପାଠ ଅନୁଯାୟୀ ସୁରକ୍ଷା ବ୍ୟବସ୍ଥା ଅନୁପାଳନ କରାଯାଇଛି ନାଁ ନାହିଁ ସେସବୁର କାଗଜ ପତ୍ର ମଧ୍ୟ ଯାଞ୍ଚ ହୋଇଥିବା ଜଣାଯାଇଛି । ଆଗକୁ କାର୍ୟ୍ୟ କରିବା ସମୟରେ ଶ୍ରମିକଙ୍କ ସୁରକ୍ଷା ପାଇଁ ଫଳ ଆରେଷ୍ଟର ଭଳି ନୂତନ ଜ୍ଞାନ କୌଶଳକୁ କାର୍ୟ୍ୟକାରୀ କରିବା ପାଇଁ ନିର୍ଦେଶ ଦେଇଥିବା କୁହାଯାଇଛି । ତଦାରଖ ଦଳରେ ସେପ୍ଟି କଂସଲଣ୍ଟାଣ୍ଟ ଇଂପାତ୍ରଙ୍କ ସମେତ କ୍ୟୁଏସଏସଏମସି ଚନ୍ଦନ ଶର୍ମା, ବୌଦ୍ଧ ପୂର୍ତ୍ତ ନିର୍ବାହୀ ଯନ୍ତ୍ରୀ ଶାନ୍ତନୁ କୁମାର ନାଏକ, କଣ୍ଟାମାଳ ସହକାରୀ ଯନ୍ତ୍ରୀ ଏସ କେ ସାହୁ, ଯନ୍ତ୍ରୀ ଆର କେ ମଲ୍ଲିକ ପ୍ରମୁଖ ଆସିଥିଲେ ।

Leave A Reply

Your email address will not be published.