ବିଜ୍ଞାନ ଓ ଆଧ୍ୟାତ୍ମିକତାର ସମନ୍ୱୟର ସେତୁ ଥିଲେ କବିସୂର୍ଯ୍ୟ ବଳଦେବ ରଥ : ଡ଼ଃ ଷଡ଼ଙ୍ଗୀ

ରାଉରକେଲା, (ସସ୍ମିତା ପ୍ରଧାନ) : ବିଜ୍ଞାନ ଓ ଆଧ୍ୟାତ୍ମିକତାର ସମନ୍ୱୟର ସେତୁ ଥିଲେ କବିସୂର୍ଯ୍ୟ ବଳଦେବ ରଥ ବୋଲି ଆଲୋଚକ ଡ଼ଃ କୃଷ୍ଣକେଶବ ଷଡ଼ଙ୍ଗୀ ମତପ୍ରକାଶ କରିଛନ୍ତି । ଛେଣ୍ଡ ସ୍ଥିତ ଚିନ୍ମୟ ବିଦ୍ୟାଳୟଠାରେ ସଚ୍ଚିଦାନନ୍ଦ ସ୍ମାରକୀ ନିଧି ପକ୍ଷରୁ ଆୟୋଜିତ ସଚ୍ଚିଦାନନ୍ଦ ସ୍ମାରକୀ ବକ୍ତୃତାମାଳାର କାର୍ଯ୍ୟକ୍ରମର ଦ୍ୱିତୀୟ ଦିନ ଆଲୋଚ୍ୟ ବିଷୟ ‘କବିସୂର୍ଯ୍ୟ ବଳଦେବ ରଥଙ୍କ ସାହିତ୍ୟରେ ଭକ୍ତିରସ’ ଶୀର୍ଷକ ଆଲୋଚନାଚକ୍ରରେ ବିଶିଷ୍ଟ ଆଲୋଚକ ଡ଼ଃ ଷଡ଼ଙ୍ଗୀ ଉପରୋକ୍ତ ମନ୍ତବ୍ୟ ଦେଇଥିଲେ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମନ୍ଦିରର ସୁରକ୍ଷିତ ନିର୍ମାଣ ପ୍ରଣାଳୀ କାଳରେ ରହିଥିବା ଦୂରଦୃଷ୍ଟି ସମ୍ପନ୍ନ ବୈଜ୍ଞାନିକ ଦୃଷ୍ଟିକୋଣ ପ୍ରୟୋଗ ଉପରେ ସେ ବର୍ଣ୍ଣନା କରିଥିଲେ । ଏହି ଅବସରରେ ବଳଦେବଙ୍କ ରଚନାରେ କିପରି ବିଜ୍ଞାନ ଓ ଆଧ୍ୟାତ୍ମିକତାର ଯୁକ୍ତି ସଙ୍ଗତ ସମନ୍ୱୟ ରହିଛି ତାକୁ ପ୍ରାଞ୍ଜଳ ଭାବେ ବୁଝାଇଥିଲେ । ସେହିପରି ଯଶୋଦା ନନ୍ଦିନୀ ରାଧାଙ୍କୁ ପ୍ରକୃତି ଓ ବ୍ରଜେନ୍ଦ୍ର ନନ୍ଦନ କୃଷ୍ଣଚନ୍ଦ୍ରଙ୍କୁ ପୁରୁଷ ସ୍ଵରୁପ ବର୍ଣ୍ଣନା କରି ବଳଦେବ କିପରି ସୂବର୍ଣ୍ଣକାନ୍ତି ଓ ନୀଳକାନ୍ତିର ମିଳନ ବିଷୟ ଦର୍ଶାଇଛନ୍ତି, ତାହା ସେ ବ୍ୟାଖ୍ୟା କରିଥିଲେ । ବଳଦେବଙ୍କ ଭକ୍ତି ଲେଖନୀରେ ପ୍ରିତ ହୋଇ ମୁକୁନ୍ଦ ଦେବ ସ୍ବତନ୍ତ୍ର ସନନ୍ଦ ଦେଇ ମହାପ୍ରଭୁଙ୍କ ଚାମର ସେବା ବିନା ବାଧାରେ ଯୋଗାଇଦେବା ପାଇଁ ଅନୁମତି ଦେଇଥିଲେ । କବିସୂର୍ଯ୍ୟଙ୍କ ରଚନାରେ କେବଳ ବର୍ଣ୍ଣନାତ୍ମକ ଚମତ୍କାରିତା ନଥିଲା, ଏଥିରେ ବହୁ ଗୁଢ ତତ୍ୱ ରହିଥିଲା ବୋଲି ଡ଼ଃ ଷଡ଼ଙ୍ଗୀ ଆଲୋଚନା କାଳରେ ମତ ରଖିଥିଲେ । ମୁଖ୍ୟ ଅତିଥି ଭାବେ ପ୍ରାକ୍ତନ ଶିକ୍ଷାଧିକାରୀ ଉପେନ୍ଦ୍ର ନାଥ ଷଡ଼ଙ୍ଗୀ ନିଜ ବକ୍ତବ୍ୟରେ ସଚ୍ଚିଦାନନ୍ଦ ଶତପଥୀଙ୍କ ନାମର ସାର୍ଥକତା ଓ ସାହିତ୍ୟ କ୍ଷେତ୍ରରେ ବ୍ୟାକରଣ କୁ ଭୁଲିଗଲେ ସାହିତ୍ୟ ଅମାନିଆ ଘୋଡା ସଦୃଶ୍ୟ ହୋଇଥାଏ ବୋଲି କହିଥିଲେ । କାର୍ଯ୍ୟକ୍ରମରେ ସଭାପତିତ୍ୱ କରୁଥିବା ଶିକ୍ଷା ବିତ ଶଙ୍କର ପ୍ରସାଦ ତ୍ରିପାଠୀ ଏକ ପାଖିଆ ପ୍ରେମ ସମ୍ପର୍କରେ ଅବତାରଣା କରି ଧନ୍ୟବାଦ ଅର୍ପଣ କରିଥିବା ବେଳେ ଇଂ ଆଲୋକ ରଂଜନ ମଲ୍ଲିକ ସ୍ବାଗତ ଭାଷଣ ଦେଇଥିଲେ । ଶେଷରେ ଆବାହିକା ଶର୍ମିଷ୍ଠା କବିଶତପଥୀ ସମସ୍ତ ଅତିଥି ଓ କାର୍ଯ୍ୟକ୍ରମର ସଫଳ ରୂପାୟନ ନେଇ କୃତଜ୍ଞତା ଜ୍ଞାପନ କରିଥିଲେ । ସେହିପରି ପ୍ରଥମ ଦିନରେ ମହେନ୍ଦ୍ର ପଟ୍ଟନାୟକ ଉଦଘାଟକ, ରାଜୀବ ପାଣିଙ୍କ ପୌରୋହିତ୍ୟରେ ଆୟୋଜିତ ସୃଜନ ଚର୍ଚ୍ଚାରେ ସମ୍ବଲପୁର ବିଶ୍ୱବିଦ୍ୟାଳୟର କୁଳସଚିବ ନୃପରାଜ ସାହୁ ମୁଖ୍ୟ ଅତିଥି, ଆଲୋଚିକା ମୋନାଲିସା ମିଶ୍ର, ବିଜୟ ରାୟଙ୍କ କବିତାରେ ରହସ୍ୟବାଦୀ ଚେତନା, ସଞ୍ଜୀବ କୁମାର ଭୋଇ, କାଶୀନାଥ ନନ୍ଦୀଙ୍କ ଗଳ୍ପର ଶିଳ୍ପ ନୈପୁଣ୍ୟ ସମ୍ପର୍କରେ ଆଲୋଚନା କରିଥିବା ବେଳେ ପ୍ରଣତୀ ବେହେରା ଶ୍ରୀ ନନ୍ଦୀଙ୍କ ଗଳ୍ପ ପାଠ ଓ ଶେଷରେ ପ୍ରାଧ୍ୟାପକ ପାରେଶ୍ବର ବିଶ୍ବାଳ ଉପସଂହାର କରିଥିଲେ । ସାରସ୍ୱତ ସମାବେଶରେ ଜୀବନ ଓ ଜୀବିକା ଶୀର୍ଷକରେ ସଭାମୁଖ୍ୟ ଭାବେ ଡ଼ା ଗୀତାଞ୍ଜଳି ପତ୍ରି ଓ କବିତା ପାଠୋତ୍ସବରେ ୧୦ଜଣ କବି କବିତା ପାଠ କରିଥିଲେ । ଏହି ଅବସରରେ ଡା କୃପାସିନ୍ଧୁ ନାୟକଙ୍କୁ ସଚ୍ଚିଦାନନ୍ଦ ସ୍ମୃତି ସାରସ୍ଵତ ସମ୍ମାନ, ମୋନାଲିସା ମିଶ୍ର ଓ ସୀମା ଚକ୍ରବର୍ତ୍ତୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଅବସରରେ ପୂର୍ବରୁ ଆୟୋଜିତ ହୋଇଥିବା ବକୃତା ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ ।

Leave A Reply

Your email address will not be published.