ଆଶୁକବି ଡଃ ହେମନ୍ତ କୁମାର ଦାଶଙ୍କୁ ରାଜ୍ୟ ସ୍ତରୀୟ ସେବାରତ୍ନ ସମ୍ମାନ ପ୍ରଦାନ

ତୁଷୁରା, (କେପିଏନ୍‌ଏସ୍‌) : ଶ୍ରୀଚନ୍ଦନ ସାହିତ୍ୟ ସଂସ୍କୃତି ଏକାଡେ଼ମୀ କଟକର ୪୮ତମ ରାଜ୍ୟ ସ୍ତରୀୟ କବିତା ପାଠୋତ୍ସବ, ପୁସ୍ତକ ଉନ୍ମୋଚନ ଓ ସମ୍ବର୍ଦ୍ଧନା ପର୍ବ କଟକ ସ୍ଥିତ କର୍ମବୀର ଗୌରୀଶଙ୍କର ରାୟ ଟାଉନ ହଲଠାରେ ବିଶିଷ୍ଟ ସାହିତ୍ୟିକ ବୈକୁଣ୍ଠନାଥ ଶତପଥୀଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥିଭାବେ ବିଶିଷ୍ଟ ସିନେ ଅଭିନେତା, ନିର୍ଦ୍ଦେଶକ ତଥା ପ୍ରଡ୍ୟୁସର ଡଃ ପ୍ରଦ୍ୟୁମ୍ନ ଲେଙ୍କା ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ପୂଜ୍ୟପୂଜା ସଂଗଠନର ସଂପାଦକ ରାଜ କିଶୋର ଦାଶ ଯୋଗଦେଇଥିଲେ । ମୁଖ୍ୟବକ୍ତା ଭାବେ ଅଧ୍ୟାପକ ଡଃ ଭାଗବତ ପ୍ରସାଦ ଲେଙ୍କା ଯୋଗଦେଇଥିଲେ । ଅନୁଷ୍ଠାନର ସଭାପତି ଆର୍ଯ୍ୟକବି ପଣ୍ତିତ ଡଃ ପ୍ରମୋଦ କୁମାର ମିଶ୍ର ଆଶୀର୍ବଚନ ପ୍ରଦାନ କରିଥିଲେ ଓ ପ୍ରତିଷ୍ଠାତା ସଂପାଦକ କବି ସାରଥୀ ଡଃ ଶ୍ରୀଚନ୍ଦନ ମହାପାତ୍ର ବାର୍ଷିକ ବିବରଣୀ ଉପସ୍ଥାପନା କରିଥିଲେ । ଏହି ଅବସରରେ ଓଡିଶାର ୩୦ଟି ଜିଲ୍ଲାରୁ ଆସିଥିବା କବି, କଳାକାରମାନଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । ଏହି କ୍ରମରେ ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ତୁଷୁରା ସହରର ବିଶିଷ୍ଟ ସାହିତ୍ୟିକ ଆଶୁକବି ଡଃ ହେମନ୍ତ କୁମାର ଦାଶଙ୍କୁ ଅନୁଷ୍ଠାନ ତରଫରୁ ରାଜ୍ୟ ସ୍ତରୀୟ ସେବାରତ୍ନ ସମ୍ମାନରେ ସମ୍ମାନିତ କରିଥିଲେ । ଡଃ ଦାଶ ଏକାଧାରରେ ଜଣେ ବିଶିଷ୍ଟ କବି, ବାଗ୍ମୀ, ଗାଳ୍ପିକ, ପ୍ରାବନ୍ଧିକ, ସମାଜସେବୀ ଓ ଜଣେ ଆଦର୍ଶ ଶିକ୍ଷକ ଅଟନ୍ତି । ଏ ଖବରଟି ପ୍ରସାରିତ ହେବା ପରେ ତାଙ୍କର ଶୁଭେଚ୍ଛୁମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି ଓ ଶୁଭେଚ୍ଛାର ସୁଅ ଛୁଟୁଛି ।

Leave A Reply

Your email address will not be published.