ସର୍ବ ଶିକ୍ଷା ଅଭିଯାନରେ ଶିକ୍ଷା ପାଲଟିଛି ପ୍ରତୀକାତ୍ମକ

ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ବ୍ଲକର ଶିକ୍ଷା ବ୍ୟବସ୍ଥା ମଧ୍ୟରେ ଅନେକ ନକରାତ୍ମକ ସ୍ଥିତି ଦେଖାଦେଉଥିବା ବେଳେ ବ୍ଲକ ମହକୁମାରୁ ୨୨କିଲୋମିଟର ଦୂରେ ଅବସ୍ଥିତ ପୋଡ଼ା ଖୋଲ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଅବସ୍ଥା ଦେଖିଲେ ଆମେ ଶିକ୍ଷା ପ୍ରତି କେତେ ସଚେତନ ତାହା ସହଜରେ ଅନୁମାନ କରିହୁଏ । ୯୪ଜଣ ଛାତ୍ରଛାତ୍ରୀ ବିଶିଷ୍ଟ ବିଦ୍ୟାଳୟରେ ଦୁଇଟି ଶ୍ରେଣୀ ଗୃହରେ ୯ଟି ଶ୍ରେଣୀ କେମିତି ଚାଲିଥିବ ତାହା ସମସ୍ତଙ୍କ ପାଇଁ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ଜୟପାଟଣା ବ୍ଲକ ଅନ୍ତର୍ଗତ ଅଁଳା ଭଟା ପଞ୍ଚାୟତର ପୋଡ଼ା ଖୋଲ ଗାଁ ବ୍ଲକ ମହକୁମା ରୁ ଦୂରତା କହିଲେ ୨୨କିଲୋମିଟର । ଗାଁରେ ୧୧୦ପରିବାର ଥିବା ବେଳେ ଜନ ସଂଖ୍ୟା ହାରାହାରି ୫୫୦ରେ ପହଞ୍ଚି ସାରିଛି । ଗାଁରେ ବିଦ୍ୟାଳୟ ଖୋଲିବାର ଇତି ମଧ୍ୟରେ ୬୫ବର୍ଷ ଅତିକ୍ରାନ୍ତ ହୋଇସାରିଛି । ଏବେ ବିଦ୍ୟାଳୟ ନିମ୍ନ ପ୍ରାଥମିକ ବିଦ୍ୟାଳୟରୁ ପରିବର୍ତ୍ତିତ ହୋଇ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ହେବା ସହିତ ପ୍ରଥମରୁ ଅଷ୍ଟମ ଓ ତତ ସହିତ ଶିଶୁ ବାଟିକା ଖୋଲି ସାରିଛି । ବିଦ୍ୟାଳୟର ଜଣେ ଶିକ୍ଷକଙ୍କୁ ପଚାରିବାରୁ ଚଳିତ ବର୍ଷ ୧୪ଜଣ ଛାତ୍ର ଛାତ୍ରୀ ଅଷ୍ଟମ ପାସ କରି ଅନ୍ୟତ୍ର ଅଧ୍ୟୟନ ପାଇଁ ଯାଇଥିବା ପ୍ରକାଶ କରିଥିଲେ । ବିଦ୍ୟାଳୟର ଆଭ୍ୟନ୍ତରୀଣ ବ୍ୟବସ୍ଥାକୁ ଅନୁଧ୍ୟାନ କଲା ବେଳେ ଶିଶୁ ବାଟିକାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୯୪ଜଣ ଛାତ୍ରଛାତ୍ରୀ ପାଠ ପଢୁଥିବା ଜଣା ପଡିଥିଲା । ଏକ ସଂକୁଚିତ ଓ ଅସ୍ୱାସ୍ଥ୍ୟ କର ପରିବେଶ ମଧ୍ୟରେ ବିଦ୍ୟାଳୟ ଟି ଚାଲିଥିବା ବେଳେ ମାତ୍ର ଦୁଇଟି ଶ୍ରେଣୀ ଗୃହରେ୯ ଟି ଶ୍ରେଣୀର ଛାତ୍ରଛାତ୍ରୀ ତିନି ଜଣ ଶିକ୍ଷକଙ୍କୁ ନେଇ କେମିତି ଶିକ୍ଷାଦାନ ଚାଲିଥିବ ତାହା ଏବେ ବୁଦ୍ଧିଜୀବୀଙ୍କ ପାଇଁ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ଛାତ୍ରଛାତ୍ରୀଙ୍କ ପାଠ ପଢା ତ ଦୂରର କଥା ମଧ୍ୟାହ୍ନ ଭୋଜନ ପାଇଁ ମଧ୍ୟ ପ୍ରତିକୂଳ ବାତାବରଣ ଦେଖିବାକୁ ମିଳିଥିଲା । ଗତ ଗୁରୁବାର ଦିନ ଜାତୀୟ କଂଗ୍ରେସ ଦ୍ଵାରା ଓଡ଼ିଶା ବନ୍ଦ ଡାକରା ଯୋଗୁଁ ସମସ୍ତ ସରକାରୀ ଶିକ୍ଷାନୁଷ୍ଠାନମାନଙ୍କୁ ବନ୍ଦ ଘୋଷଣା କରାଯାଇଥିବା ବେଳେ କିଛି ଛାତ୍ରଛାତ୍ରୀ ବିଦ୍ୟାଳୟକୁ ଆସୁଥିବାର ଦେଖିବାକୁ ମିଳିଥିଲା । ଜୟପାଟଣା ବ୍ଲକର ଅନେକ ଶିକ୍ଷାନୁଷ୍ଠାନମାନଙ୍କର ଏଭଳି ସ୍ଥିତି ରହିଥିବା ବେଳେ ସଂପୃକ୍ତ ପଞ୍ଚାୟତର ଟିଙ୍ଗୋ ପାଖାନ୍ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀ ବର୍ଷ ବର୍ଷ ଧରି ଗଛ ତଳେ ପାଠ ପଢୁଥିବା ଦୃଶ୍ୟ ପଟ ପ୍ରଶାସନ ପାଖରେ ଅଛପା ନାହିଁ । କିଛି ଦିନ ତଳେ ଧନ ସୁଳି ପଞ୍ଚାୟତ ପଣ୍ଡି ପ୍ରାଥମିକ ବିଦ୍ୟାଳୟର ପାଞ୍ଚଟି ଶ୍ରେଣୀର ୧୧୨ଜଣ ଛାତ୍ରଛାତ୍ରୀ ଗୋଟିଏ କୋଠରୀରେ ତିନିଜଣ ଶିକ୍ଷକଙ୍କ ତତ୍ତ୍ଵାବଧାନରେ ପାଠପଢୁଥିବା ଦୃଷ୍ଟାନ୍ତ ପ୍ରମେୟ ପୃଷ୍ଠାରେ ପ୍ରକାଶିତ ହୋଇଥିଲା । ଏପରି ପ୍ରତିକୂଳ ସ୍ଥିତିରେ ସର୍ବ ଶିକ୍ଷା ଅଭିଯାନ ବିନା ଭିତ୍ତିଭୂମିରେ ଶିକ୍ଷା ପ୍ରତୀକାତ୍ମକ ପାଲଟି ସାରିଥିବା ବେଳେ ବ୍ୟବସ୍ଥା ପ୍ରତି ସରକାରମାନେ ଅଧିକ ଗୁରୁତ୍ୱ ଦେବାପାଇଁ ସାଧାରଣରେ ଦାବୀ ହେଉଛି ।

jittmm
Leave A Reply

Your email address will not be published.