ସାର ବିକ୍ରେତାଙ୍କ ଉପରେ ବିଭାଗୀୟ ଅଧିକାରୀଙ୍କ ଅଙ୍କୁଶ ନାହିଁ : ମନମୁଖୀ ଦର ଧାର୍ଯ୍ୟ କରି ବିକ୍ରି ଅଭିଯୋଗ

ପାଟଣାଗଡ଼, (ଗୋରେଖନାଥ ବରିହା) : ଚଳିତ ବର୍ଷ ଖରିଫ ଚାଷକୁ ନେଇ ଚାଷୀ ସନ୍ଦୀହୀନ ହେଉଛି । ବର୍ଷା ଆଶାନୁରୂପ ହେଉନଥିବା ଯୋଗୁଁ ପାଟଣାଗଡ଼ ଉପଖଣ୍ଡରେ ଅନେକ ସ୍ଥାନରେ ବେଉଷଣ ଓ ପହ୍ଲା ରୁଆ କାମ ଠପ୍ ହୋଇଯାଇଛି । ପାଣିର ସୁବିଧା ଥିବା ଜମି ଗୁଡ଼ିକରେ କିଛି ମାତ୍ରାରେ ବେଉଷଣ ଓ ରୁଆ କାମ ଚାଲିଛି । ପାଟଣାଗଡ଼ ଉପଖଣ୍ଡରେ କପା ଚାଷ ବହୁଳ ପରିମାଣରେ ଚାଷ ହୋଇଥାଏ । ଏହି ପରିପ୍ରେକ୍ଷୀରେ ଆବଶ୍ୟକ ହେଉଥିବା ୟୁରିଆ, ପଟାସ, ଡିଏପି, ଗ୍ରୋମର ଆଦି ସାର ଗୁଡିକର ସରକାରୀ ଦରଠାରୁ ଅଧିକ ହେଉଥିବାରୁ ଚାଷୀ ଶୋଷଣର ଶିକାର ହେଉଛି । ସରକାରୀ ଦର ଧାର୍ଯ୍ୟ ଅନୁଯାୟୀ ୟୁରିଆ ଦୁଇ ଶହ ୬୭ଟଙ୍କା ୫୦ ପଇସା, ଡିଏପି ୧୨ ଶହ, ପଟାସ ୧୦୦୦, ୨୦.୨୦.୦୩ ଭାଗ ରହୁଥିବା ସାର(ପିପିଏଲ) ୧୦୧୯ ଟଙ୍କା, ୧୦.୨୬.୨୬. ସାର ୧୩୭୫ ଟଙ୍କା, ସୁପର(ଏସ୍‌ଏସ୍‌ପି) ୪୫୦, ସରକାରୀ ଦରରେ ବିକ୍ରି କରିବା ନିୟମ ରହିଥିଲେ ହେଁ କରୋନା କଟକଣା ଯୋଗୁଁ ସାର ଆସିପାରୁ ନଥିବା ଓ ଟ୍ରାନ୍ସପୋର୍ଟିଂ ତଥା ଅନ୍ୟାନ୍ୟ ଖର୍ଚ୍ଚ ହେଉଥିବା ଆଳ ଦେଖାଇ ଦୋକାନୀ ମାନେ ଚାଷୀମାନଙ୍କ ଠାରୁ ୨ରୁ ୩ ଶହ ଟଙ୍କା ଅଧିକ ନେଉଥିବା ଅଭିଯୋଗ ହେଉଛି । ମିଳିଥିବା ସୂଚନା ଅନୁସାରେ ୟୁରିଆ ସାର ପ୍ୟାକେଟ ପିଛା ଟ୨୬୭.୫୦ ପଇସା ଥିବା ବେଳେ ମୁନାଫାଖୋର ବ୍ୟବସାୟୀମାନେ ଏହାକୁ ପ୍ୟାକେଟ ପିଛା ୫୧୦ ଟଙ୍କା ହିସାବରେ ବିକ୍ରି କରୁଥିବା ଦେଖାଯାଉଛି । ସ୍ଥାନୀୟ ସୋସାଇଟି ମାନଙ୍କରେ ଗ୍ରୋମର ସାର ମହଜୁଦ ନଥିବାରୁ ଚାଷୀ ଉଚିତ୍‌ ଦରରେ ନପାଇ ଶୋଷଣ ଶିକାର ହେଉଛି । ପାଟଣାଗଡ ଉପଖଣ୍ଡରେ କେତେ ଜଣ ଲାଇସେନ୍ସ ପ୍ରାପ୍ତ ସାର ଓ କୀଟନାଶକ ଔଷଧ ବିକ୍ରେତା ଅଛନ୍ତି ସେ ନେଇ ସ୍ଥାନୀୟ ଅତିରିକ୍ତ ଜିଲ୍ଲା କୃଷି ଅଧିକାରୀଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ ସେ ଫୋନ୍ ରିସିପ କରିନଥିଲେ । ଠିକ୍ ସମୟରେ ଚାଷୀ ଫସଲରେ ସାର ପ୍ରୟୋଗ ନକଲେ ତାର ଆଶା ଫସର ଫାଟିଯିବ । ଏଭଳି ପରିସ୍ଥିତିରେ ସାର ବିକ୍ରେତାଙ୍କ ଉପରେ ବିଭାଗୀୟ କତ୍ତୃପକ୍ଷଙ୍କ ଅଙ୍କୁଶ ନଥିବାରୁ ସେମାନେ ମନମୁଖୀ ଦର ଧାର୍ଯ୍ୟ କରି ବିକ୍ରି କରି ଚାଲିଛନ୍ତି । ସବୁ ଜାଣିଶୁଣି ପ୍ରଶାସନ ନୀରବ ରହୁଥିବାରୁ ସାଧାରଣରେ ଘୋର ପ୍ରତିକ୍ରିୟା ପ୍ରକାଶ ପାଉଛି ।

Leave A Reply

Your email address will not be published.