ବରଗଡ, (ନିରୋଜ କୁମାର ପାଣୀ) : କଳା ସଂସ୍କୃତିର ବିକାଶ ତଥା କଳାକାରଙ୍କ ହକ ଅଧିକାର ପାଇଁ କାର୍ୟ୍ୟ କରିଆସୁଥିବା ମଧୁମୟ କଳା ସଂସ୍କୃତି ସଂଗଠନ ସବୁବେଳେ କଳା ସାହିତ୍ୟ ସଂସ୍କୃତିର ବିକାଶ ପାଇଁ ଉଦ୍ୟମ କରି କଳାକାରଙ୍କ ସୁଖ ଦୁଃଖରେ ଛିଡା ହୋଇ ଆସୁଛି । ବରଗଡ ଜିଲ୍ଲା ସଂସ୍କୃତି ଅଧିକାରୀ ପଦବୀ ଦୀର୍ଘ ଦିନରୁ ଖାଲିଥିଲା ଯାହା ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ କଲ୍ୟାଣୀ ଦାଶ ଦାୟିତ୍ୱ ନେଇ ସଂସ୍କୃତି ବିଭାଗର କାର୍ଯ୍ୟ ନିର୍ବାହ କରି ଆସୁଥିଲେ । ଦୀର୍ଘ ଦିନର ଦାବୀ ତଥା କଳାକାରଙ୍କ ଆଶା ପୂରଣ ହୋଇଛି ଓଡିଶା ସରକାର ବରଗଡ ଜିଲ୍ଲା ସଂସ୍କୃତି ଅଧିକାରୀ ଭାବେ ସନ୍ତ୍ରାସ ନାରାୟଣ ପଣ୍ଡାଙ୍କୁ ନିଯୁକ୍ତି କରିଛନ୍ତି । ଶ୍ରୀ ପଣ୍ଡାଙ୍କ ଯୋଗଦାନ ପରେ କଳାକାରଙ୍କ ମଧ୍ୟରେ ଏକ ନୂତନ ଉତ୍ସାହ ଏବଂ ଖୁସିର ଲହରୀ ଖେଳି ଯାଇଛି । ଏହି ଅବସରରେ ମଧୁମୟ କଳା ସଂସ୍କୃତି ସଂଗଠନର ପ୍ରତିନିଧିମାନେ ସଂଗଠନର ସମସ୍ତ କଳାକାର ଏବଂ ସଦସ୍ୟଙ୍କ ତରଫରୁ ନୂତନ ସଂସ୍କୃତି ଅଧିକାରୀ ଶ୍ରୀ ପଣ୍ଡାଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ । ବରଗଡ ଜିଲ୍ଲାରେ କଳାକାରଙ୍କ ହକ ଅଧିକାର, ଗ୍ରାମାଞ୍ଚଳରେ କଳାକାରଙ୍କ ବିକାଶ, ଉଚିତ କଳାକାରଙ୍କ ଚିହ୍ନଟ, ସରକାରୀ ସ୍ତରରେ କଳାକାରଙ୍କ ପାଇଁ ଥିବା ସୁବିଧା ସୁଯୋଗର ସୁପରିଚାଳନା ବିଷୟରେ ଆଲୋଚନା କରିଥିଲେ । ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀ ପଣ୍ଡା ଏଥିପ୍ରତି ନଜର ରହିବ ଏବଂ କଳା ସଂସ୍କୃତିର ବିକାଶ ପାଇଁ ବିଭାଗୀୟ ସମସ୍ତ ସୁବିଧା ସୁଯୋଗ କଳାକାରଙ୍କୁ ଯୋଗେଇ ଦିଆଯିବ ବୋଲି କହିଛନ୍ତି । ଜିଲ୍ଲାରେ ଜଣେ ସଂସ୍କୃତି ଅଧିକାରୀଙ୍କୁ ନିଯୁକ୍ତି ଦିଆଯାଉ ବୋଲି ଅନେକ ଦିନରୁ ବିଭିନ୍ନ ସମୟରେ ଦାବୀ ହୋଇ ଆସୁଥିଲା ଏବଂ ତାହା ଏବେ ପୂରଣ ହୋଇଛି । ସଂସ୍କୃତି ଅଧିକାରୀ ଶ୍ରୀ ପଣ୍ଡାଙ୍କୁ ସାକ୍ଷାତ ସମୟରେ ମଧୁମୟ କଳା ସଂସ୍କୃତି ସଂଗଠନର ପ୍ରତିନିଧି ଦଳରେ ସଂଗଠନର ଆଇନ ପରାମର୍ଶଦାତା ଆଶୁତୋଷ ରଥ, ସମ୍ପାଦକ ମୋତିଲାଲ ବାଗ, କୋଷାଧ୍ୟକ୍ଷ ଜଗନ୍ନାଥ କୁମ୍ଭାର ପ୍ରମୁଖ ସାମିଲ ଥିଲେ ।