ସ୍ଵାଧୀନତାର ଉଚ୍ଛ୍ୱାସ ପର୍ବ ପାଇଁ ସୁବର୍ଣ୍ଣପୁର ଜିଲ୍ଲାରୁ ପବିତ୍ର ମାଟି ଓ ଜଳ ସଂଗ୍ରହ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସ୍ଵାଧୀନତାର ଅମୃତ ମହୋତ୍ସବ ଏବଂ ସ୍ଵାଧୀନତାର ଉଚ୍ଛ୍ଵାସ ପର୍ବ ଉପଲକ୍ଷେ ସମସ୍ତ ଜିଲ୍ଲାରୁ ପବିତ୍ର ମାଟି ଓ ଜଳ ରାଜ୍ୟ ବିଧାନସଭାରେ ବୃକ୍ଷ ରୋପଣ ପାଇଁ ପଠା ଯିବାର କାର୍ଯ୍ୟକ୍ରମ ସରକାର କରିଛିନ୍ତି । ସେହି କ୍ରମରେ ରାଜ୍ୟ ରାଜଧାନୀ ଭୁବନେଶ୍ୱର ପ୍ରେରଣ ପାଇଁ ସୁବର୍ଣ୍ଣପୁର ଜିଲ୍ଲାର ସ୍ଵାଧୀନତା ସଂଗ୍ରାମ ଓ ପ୍ରଜାମଣ୍ଡଳ ଆନ୍ଦୋଳନର ବିଶିଷ୍ଟ ପାବନ ସ୍ଥଳି ବଗଛେରା ଗ୍ରାମରୁ ପବିତ୍ର ମାଟି ସଂଗ୍ରହ କାର୍ଯ୍ୟକ୍ରମ ଆଜି ସୁବର୍ଣ୍ଣପୁର ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟନାରାୟଣ ଦାଶଙ୍କ ଅଧକ୍ଷତାରେ ପୂର୍ବାହ୍ନରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଅତିଥି ଭାବରେ ବୀରମହାରାଜପୁର ଉପଜିଲ୍ଲାପାଳ ଅଶୋକ ଭୋଇ, ଆଡିସିନାଲ ଏସ୍‌ପି ହେମନ୍ତ କୁମାର ପାଢୀ, ଉଲୁଣ୍ଡା ପଞ୍ଚାୟତ ସମିତି ଅଧ୍ୟକ୍ଷା ଶାନ୍ତିଲତା ମିଶ୍ର, ବିଡିଓ ହେମସାଗର ଭୋଇ, କଳାପଥର ସରପଞ୍ଚ ପ୍ରମୁଖ ଯୋଗ ଦେଇଥିଲେ । ସ୍ଥାନୀୟ ଗ୍ରାମବାସୀ ଏକ ବିରାଟ ପଟୁଆରରେ ଅତିଥିଗଣଙ୍କୁ ପ୍ରଜାମଣ୍ଡଳ ଆନ୍ଦୋଳନର ସଭାସ୍ଥଳ ନେହେରୁ ନଗରକୁ ପାଛୋଟି ନେଇଥିଲେ । ସେଠାରେ ପବିତ୍ର ମାଟିକୁ ପୂଜା ପୂର୍ବକ ସ୍ଵାଧୀନତା ସଂଗ୍ରାମୀଙ୍କ ଦାୟାଦ ପ୍ରଶାନ୍ତ ଶତପଥୀ, ସତ୍ୟପ୍ରିୟ ପଣ୍ଡା ଏବଂ ଗ୍ରାମବାସୀ ଅତିରିକ୍ତ ଜିଲ୍ଲାପାଳଙ୍କୁ ମାଟି କଳସ ପ୍ରଦାନ କରିଥିଲେ । ଏହି ଅବସରରେ ଅତିଥିମାନେ ଏହି ମାଟିର ବୀର ସ୍ଵାଧୀନତା ସଂଗ୍ରାମୀମାନଙ୍କୁ ସେମାନଙ୍କ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ସେହିପରି ଅପରାହ୍ନରେ ଶତାଧିକ ସ୍ଵୟଂ ସହାୟକ ମହିଳା ମହାନଦୀ ଓ ତେଲନଦୀର ପାବନ ସଙ୍ଗମସ୍ଥଳ ରାମେଶ୍ଵର ଘାଟରୁ ପବିତ୍ର ଜଳ ଉତ୍ତୋଳନ କରି କଳସ ଅତିରିକ୍ତ ଜିଲ୍ଲାପାଳଙ୍କୁ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମକୁ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଶ୍ୱିନୀ କୁମାର ଭୋଇ ପରିଚାଳନା କରିଥିଲେ ଏବଂ ବିଦ୍ୟାପତି ପଣ୍ଡା ସହଯୋଗ କରିଥିଲେ । କାର୍ଯ୍ୟକ୍ରମରେ ସୋନପୁର ପୌର ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ସୂର୍ଯ୍ୟାଂଶୁ ରୁଟ ତଥା ସମସ୍ତ କାଉନସିଲରଙ୍କ ସମେତ କାର୍ଯ୍ୟାଳୟର ଶିବ ସାହୁ, ଅଜିତ ନାଏକ ଓ ଅନ୍ୟାନ୍ୟ କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହାୟତା କରିଥିଲେ ।

Leave A Reply

Your email address will not be published.