ପୁରୀ ସମୁଦ୍ର କୂଳରେ କିଛି ସମୟ ବିତାଇଲେ ରାଷ୍ଟ୍ରପତି

  • ପର୍ବତ, ଜଙ୍ଗଲ, ନଦୀ ଓ ବେଳାଭୂମି ଆମ ଭିତରେ ଥିବା ଗଭୀରତାକୁ ଆକୃଷ୍ଟ କରିଥାଏ : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଭୁବନେଶ୍ୱର, (ପିଆଇବି) : ବାର୍ଷିକ ରଥଯାତ୍ରାରେ ଯୋଗଦେବାର ଗୋଟିଏ ଦିନ ପରେ ଆଜି (ଜୁଲାଇ ୮, ୨୦୨୪) ସକାଳେ ପବିତ୍ର ସହର ପୁରୀର ସମୁଦ୍ର ବେଳାଭୂମିରେ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ କିଛି ସମୟ ବିତାଇଛନ୍ତି । ଏହାପରେ ସେ ପ୍ରକୃତି ସହିତ ଘନିଷ୍ଠ ସମ୍ପର୍କ ସ୍ଥାପନ କରିବାର ଅନୁଭୂତି ବିଷୟରେ ତାଙ୍କର ବିଚାର ଲେଖିଛନ୍ତି । ରାଷ୍ଟ୍ରପତି ଏକ୍ସରେ କରିଥିବା ପୋଷ୍ଟରେ ଲେଖିଛନ୍ତି : ‘ଏମିତି କିଛି ସ୍ଥାନ ଅଛି ଯାହା ଆମକୁ ଜୀବନର ସାରତତ୍ତ୍ୱ ସହିତ ଘନିଷ୍ଠ ସଂସ୍ପର୍ଶରେ ଆଣିଥାଏ ଏବଂ ଆମକୁ ମନେ ପକାଇଦିଏ ଯେ, ଆମେ ପ୍ରକୃତିର ଏକ ଅଂଶ । ପର୍ବତ, ଜଙ୍ଗଲ, ନଦୀ ଏବଂ ସମୁଦ୍ର ବେଳାଭୂମି ଆମ ଭିତରେ ଲୁଚି ରହିଥିବା ଗଭୀରତାକୁ ଆକର୍ଷିତ କରିଥାଏ । ଆଜି ସମୁଦ୍ର ବେଳାଭୂମିରେ ଚାଲିବା ବେଳେ ମୁଁ ପ୍ରକୃତି ସହିତ କିଛି ସମ୍ପର୍କ ଥିବା ଅନୁଭବ କଲି – କୋମଳ ପବନ, ଲହରୀର ଗର୍ଜନ ଏବଂ ବିପୁଳ ଜଳରାଶିର ବିସ୍ତାର । ଏହା ଏକ ଧ୍ୟାନମୟ ଅନୁଭୂତି ଥିଲା । ଏହା ମୋତେ ଏକ ଗଭୀର ଆଭ୍ୟନ୍ତରୀଣ ଶାନ୍ତି ଆଣି ଦେଇଥିଲା ଯାହା ମୁଁ ମଧ୍ୟ ଗତକାଲି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିବା ସମୟରେ ଅନୁଭବ କରିଥିଲି । ଆଉ ଏଭଳି ଅନୁଭୂତି ପାଇବାରେ ମୁଁ ଏକାକୀ ନୁହେଁ; ଯେତେବେଳେ ଆମେ ଆମଠାରୁ ବହୁତ ବଡ଼ କୌଣସି ଜିନିଷର ସମ୍ମୁଖୀନ ହୋଇଥାଉ, ଯାହା ଆମକୁ ବଞ୍ଚାଇ ରଖିଥାଏ ଏବଂ ଆମ ଜୀବନକୁ ଅର୍ଥପୂର୍ଣ୍ଣ କରିଥାଏ, ସେତେବେଳେ ଆମେ ସମସ୍ତେ ସେହି ଭଳି ଅନୁଭବ କରିପାରିବା । ଦୈନନ୍ଦିନ ଜୀବନର କୋଳାହଳ କାରଣରୁ ଆମେ ପ୍ରକୃତି ମାତାଙ୍କ ସହ ଏହି ସମ୍ପର୍କ ହରାଇଥାଉ । ମାନବ ଜାତି ପ୍ରକୃତି ଉପରେ ନିୟନ୍ତ୍ରଣ ହାସଲ କରିଛି ବୋଲି ବିଶ୍ୱାସ କରେ ଏବଂ ନିଜର ସ୍ୱଳ୍ପକାଳୀନ ଫାଇଦା ପାଇଁ ଏହାକୁ ଉପଯୋଗ କରିଥାଏ । ଏହାର ପରିଣାମ କ’ଣ ହୁଏ ତାହା ଆମ ସମସ୍ତଙ୍କ ଆଖି ଆଗରେ ରହିଛି । ଚଳିତ ଗ୍ରୀଷ୍ମ ଋତୁରେ ଭାରତର ଅନେକ ସ୍ଥାନରେ ଭୟଙ୍କର ଗ୍ରୀଷ୍ମ ପ୍ରବାହ ଅନୁଭୂତ ହୋଇଛି । ବିଗତ କିଛି ବର୍ଷ ମଧ୍ୟରେ ସମଗ୍ର ବିଶ୍ୱରେ ଅତ୍ୟଧିକ ଖରାପ ପାଣିପାଗ ଜନିତ ବିପତ୍ତିର ପୁନରାବୃତ୍ତି ଘଟୁଥିବା ଦେଖିବାକୁ ମିଳିଛି । ଆଗାମୀ ଦଶନ୍ଧିରେ ସ୍ଥିତି ଆହୁରି ଖରାପ ହେବ ବୋଲି ଆକଳନ କରାଯାଇଛି । ପୃଥିବୀ ପୃଷ୍ଠର ୭୦ ପ୍ରତିଶତରୁ ଅଧିକ ସମୁଦ୍ରରେ ଗଠିତ ଏବଂ ବିଶ୍ୱ ଉତ୍ତାପନ ଯୋଗୁଁ ବିଶ୍ୱର ସମୁଦ୍ର ପତ୍ତନ ବୃଦ୍ଧି ପାଉଛି, ଯାହା ଉପକୂଳବର୍ତ୍ତୀ ଅଞ୍ଚଳକୁ ଜଳମଗ୍ନ କରିବାର ଆଶଙ୍କା ସୃଷ୍ଟି କରୁଛି । ବିଭିନ୍ନ ପ୍ରକାର ପ୍ରଦୂଷଣ ଯୋଗୁଁ ସମୁଦ୍ର ଓ ସେଠାରେ ଥିବା ବିଭିନ୍ନ ପ୍ରକାରର ଉଦ୍ଭିଦ ଓ ଜୀବଜନ୍ତୁ ବହୁ ମାତ୍ରାରେ କ୍ଷତିଗ୍ରସ୍ତ ହୋଇଛନ୍ତି । ସୌଭାଗ୍ୟବଶତଃ, ପ୍ରକୃତି କୋଳରେ ରହୁଥିବା ଲୋକମାନଙ୍କର ପରମ୍ପରା ବଜାୟ ରହିଛି ଯାହା ଆମକୁ ବାଟ ଦେଖାଇଥାଏ । ଉଦାହରଣ ସ୍ୱରୂପ, ଉପକୂଳବର୍ତ୍ତୀ ଅଞ୍ଚଳର ବାସିନ୍ଦାମାନେ ପବନ ଓ ସମୁଦ୍ର ଲହଡ଼ିର ଭାଷା ଜାଣନ୍ତି । ଆମ ପୂର୍ବପୁରୁଷମାନଙ୍କୁ ଅନୁସରଣ କରି ସେମାନେ ସମୁଦ୍ରକୁ ଭଗବାନ ଭାବରେ ପୂଜା କରନ୍ତି । ମୁଁ ବିଶ୍ୱାସ କରେ, ପରିବେଶର ସୁରକ୍ଷା ଏବଂ ସଂରକ୍ଷଣ ଆହ୍ୱାନର ମୁକାବିଲା କରିବା ପାଇଁ ଦୁଇଟି ଉପାୟ ଅଛି; ତାହା ହେଲା – ସରକାର ଓ ଅନ୍ତର୍ଜାତୀୟ ସଙ୍ଗଠନ ପକ୍ଷରୁ ବ୍ୟାପକ ପଦକ୍ଷେପ ଏବଂ ନାଗରିକ ଭାବରେ ଆମେ ଗ୍ରହଣ କରୁଥିବା ଛୋଟ ଓ ସ୍ଥାନୀୟ ପଦକ୍ଷେପ । ଅବଶ୍ୟ ଏ ଦୁଇଟି ପରସ୍ପରର ପରିପୂରକ । ଏକ ଉନ୍ନତ ଭବିଷ୍ୟତ ପାଇଁ ଆମେ ବ୍ୟକ୍ତିଗତ ଭାବରେ, ସ୍ଥାନୀୟ ସ୍ତରରେ ଯାହା କରିପାରିବା ତାହା କରିବାକୁ ସଂକଳ୍ପ ନେବା । ଆମ ଭବିଷ୍ୟତ ପିଢ଼ି ପାଇଁ ଏହା ଆମର ଉତ୍ତରଦାୟିତ୍ୱ ।

Leave A Reply

Your email address will not be published.