pakka

ରାଉରକେଲା କଲେଜ ଓଡିଆ ବିଭାଗର ଦ୍ୱିତୀୟ ସଂପାନ ଆଲୋଚନାଚକ୍ର

  • ବିପ୍ଲବ ଓ ମାଗଦର୍ଶନର ଅନ୍ୟନାମ ଗଣମାଧ୍ୟମ ଓ ସୁରେନ୍ଦ୍ର ମହାନ୍ତି ଗଳ୍ପ ସାହିତ୍ୟର ଭାଗିରଥ ଥିଲେ

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୪ ସ୍ଥିତ ରାଉରକେଲା କଲେଜ, ରାଉରକେଲା ଓଡିଆ ବିଭାଗ ତରଫରୁ ତିନି ଥାକିଆ ଆଲୋଚନାଚକ୍ରର ଦ୍ୱିତୀୟ ସଂପାନ ଆଲୋଚନାଚକ୍ର ସ୍ୱାଧୀନତା ପରବର୍ତ୍ତୀ ଓଡିଆ କ୍ଷୁଦ୍ରଗଳ୍ପର ଶିଳ୍ପକଳା ଏବଂ ସ୍ୱାଧୀନତା ପରବର୍ତ୍ତୀ ଓଡିଆ ଗଣମାଧ୍ୟମ ସଂପର୍କରେ ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷା ସୁଜାତା ପ୍ରଧାନଙ୍କ ଅଧ୍ୟକ୍ଷତା ଓ ଓଡିଆ ବିଭାଗର ମୁଖ୍ୟ ଅଧ୍ୟାପିକା ରଶ୍ମିପ୍ରଭା ମଥାନଙ୍କ ସଭାପତିତ୍ୱ ତଥା ଅଧ୍ୟାପକ ଡଃ ଅରବିନ୍ଦ ଦାସଙ୍କ ସଂଯୋଜନାରେ ଆୟୋଜିତ ଏହି ଆଲୋଚନାଚକ୍ରରେ ପ୍ରଥମ ବିଷୟ ପାଇଁ ଆଲୋଚକ ସୁଶିଳାବତୀ ମହିଳା ମହାବିଦ୍ୟାଳୟର ଓଡିଆ ଅଧ୍ୟାପିକା ମହେଶ୍ୱେତା ସାହୁ ଓ ଦ୍ୱିତୀୟ ବିଷୟ ପାଇଁ ଆଲୋଚକ ଜର୍ଣ୍ଣାଲିଷ୍ଟ ଆସୋସିଏସନ୍‌ର ଉପସଭାପତି ତଥା କବି କୁଞ୍ଜବିହାରୀ ରାଉତ ଯୋଗଦେଇ ଆଲୋଚ୍ୟ ବିଷୟ ସଂପର୍କରେ ମତ ରଖିଥିଲେ । ଅଧ୍ୟାପିକା ଶ୍ରୀମତୀ ସାହୁ ସ୍ୱାଧୀନତା ପରବର୍ତ୍ତୀ ଓଡିଆ କ୍ଷୁଦ୍ରଗଳ୍ପର ଶିଳ୍ପକଳା ସଂପର୍କରେ ଆଲୋଚନା କରି କହିଲେ ଯେ, ଗଳ୍ପ ମାନବ ଜୀବନର ଏକ ଉଜ୍ୱଳ ନକ୍ଷତ୍ର ସଦୃଶ୍ୟ । ସାହିତ୍ୟର ଚିରନ୍ତନ ସୌନ୍ଦର୍ଯ୍ୟବୋଧକୁ ନେଇ ଗଳ୍ପର ଯାତ୍ରା । ମଣିଷର ସୃଷ୍ଟିଠାରୁ ଗଳ୍ପର ଆରମ୍ଭ । ମଣିଷ ମଧ୍ୟ ଗଳ୍ପର ଅବିଚ୍ଛେଦ ଅଙ୍ଗ ହୋଇ ରହିଥାଏ । କମ୍ ସମୟରେ ଗଳ୍ପ ଏକ ଚିରସ୍ଥାୟୀ ଅନୁଭୂତି ପ୍ରକାଶ କରାଏ । ୧୯୨୦ରୁ ୧୯୫୦ ମଧ୍ୟରେ ଗଳ୍ପର ବିକାଶ ଓ ଏହାପରେ ଗଳ୍ପର ସୁବର୍ଣ୍ଣଯୁଗ ବୋଲି କୁହାଯାଏ । ଗାଳ୍ପିକ ସୁରେନ୍ଦ୍ର ମହାନ୍ତି ଥିଲେ ଗଳ୍ପ ସାହିତ୍ୟର ଭାଗିରଥି ଓ ବ୍ରହ୍ମାନନ୍ଦ ପଣ୍ଡା ଥିଲେ କ୍ଷୁଦ୍ରଗଳ୍ପର ପ୍ରତିଷ୍ଠାତା । ସେହିପରି ଅନ୍ୟତମ ଆଲୋଚକ ରାଉତ ସ୍ୱାଧୀନତା ପରବର୍ତ୍ତୀ ଓଡିଆ ଗଣମାଧ୍ୟମ ସଂପର୍କରେ ଆଲୋଚନା କରି କହିଲେ ଯେ, ବିପ୍ଳବ ଓ ମାଗଦର୍ଶନର ଅନ୍ୟନାମ ଗଣମାଧ୍ୟମ । ଗଣମାଧ୍ୟମ ଗଣତନ୍ତ୍ରର ଆଇନା ସଦୃଶ । ସ୍ୱାଧୀନତା ପୂର୍ବରୁ ସ୍ୱାଧୀନତା ସଂଗ୍ରାମ ଓ ସଂଗ୍ରାମୀଙ୍କ କଥାକୁ ବହନ କରିଥିବା ବେଳେ ସ୍ୱାଧୀନତା ପରେ ବହୁ ବାଧାବିଘ୍ନ ସତ୍ତ୍ଵେ ସମାଜର କଲ୍ୟାଣ ପାଇଁ, ଶାସନ ପ୍ରଶାସନ କ୍ଷେତ୍ରରେ ସ୍ୱଚ୍ଛତା ଓ ଉନ୍ନତି ପାଇଁ ଉଚିତ ପରାମର୍ଶ ଦେଇଛି । ବହୁ ପ୍ରତିକୂଳ ଆହ୍ୱାନ ସତ୍ତ୍ବେ ଭାରତୀୟ ସଂସ୍କୃତି ଓ ସାର୍ବଭୌମତ୍ୱ ରକ୍ଷା କ୍ଷେତ୍ରରେ ଗଣମାଧ୍ୟମ କେବେବି ପଛଘୁଞ୍ଚା ଦେଇନାହିଁ । ଏହାପରେ ଗଣମାଧ୍ୟମର ପରିଭାଷା ସଂପର୍କରେ ଆଲୋଚନା କରିଥିଲେ । ପ୍ରାରମ୍ଭରେ ସଭାପତିତ୍ୱ କରୁଥିବା ଅଧ୍ୟାପିକା ଶ୍ରୀମତୀ ମଥାନ ସଭାପତିତ୍ୱ ଅଭିଭାଷଣ ସହ ଅତିଥିଙ୍କ ପରିଚୟ ପ୍ରଦାନ କରିଥିଲେ । ଏହା ପରେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପ୍ରାରମ୍ଭରେ ମହାବିଦ୍ୟାଳୟର ଛାତ୍ରୀ ସୁଶ୍ରୀ ବବିତା, ଗୁଡ୍ଡି, ରୂପନୀ, ମମତା, ସଂଗୀତା, ଅନୁଶ୍ରୀ ବିଷ୍ଣୁପ୍ରିୟା, ମନସ୍ୱୀ ପ୍ରମୁଖ ସ୍ୱାଗତ ସଂଗୀତ ଗାନ କରିଥିବା ବେଳେ କାର୍ଯ୍ୟକ୍ରମ ଶେଷରେ ଉପଦେଷ୍ଟା ଅଧ୍ୟାପକ କରୁଣାକର ପାଟ୍ଟଶାଣୀ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନା ସୁଶ୍ରୀ ଶୃତି, ଦୀପିକା, ଅନପୂର୍ଣ୍ଣା, ପ୍ରୀତି, ଅଞ୍ଜଳୀ, ଶୁଭଶ୍ରୀ, ପୁଷ୍ପାଞ୍ଜଳୀ, ସୁମନ, ଲିପ୍‌ସା, ସୋନିଆ, ଭବାନୀ, ଗୁଡି, ସନ୍ତୋଷ, ବିଶ୍ୱଜିତ, ସୁବ୍ରତ, ସମିର, ସୂରଜ, ଆଦିତ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.

11 − 5 =