ରାଉରକେଲା ,(ସସ୍ମିତା ପ୍ରଧାନ) : ସେକ୍ଟର ୩ସ୍ଥିତ ବାସନ୍ତୀ ପରିଷଦର ବାସନ୍ତୀ ପୂଜା ପଡିଆରେ ନିରନ୍ତର ଭାବେ ମାଁ ବାସନ୍ତୀ ଦୁର୍ଗା ପୂଜା ୪୯ ବର୍ଷ ଧରି ପାଳନ କରିଆସୁଛି । ଚଳିତ ବର୍ଷ ମାଁଙ୍କର ପୂଜା ୫୦ ବର୍ଷରେ ପଦାର୍ପଣ କରୁଥିବା ବେଳେ ସୁବର୍ଣ୍ଣ ଜୟନ୍ତୀକୁ ଧୂମଧାମରେ ପାଳନ ପାଇଁ ସମସ୍ତ ପ୍ରସ୍ତୁତିପର୍ବ ପରିଷଦ ପକ୍ଷରୁ ଆରମ୍ଭ ହୋଇଛି । ଏନେଇ ପରିଷଦ ତରଫରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇ କୁହାଯାଇଛି ଯେ, ବାସନ୍ତୀ ପରିଷଦ ସେକ୍ଟର ୨,୩,୪,୫ ଓ ଆଖପାଖ ଜନସାଧାରଣ ବଜାର ଶୁଭେଚ୍ଛୁ ଓ ଭକ୍ତଙ୍କ ସହଯୋଗରେ ପୂଜା ଆୟୋଜନ ହୋଇ୍ାଏ। ଚଳିତ ବର୍ଷ ପୂଜା ଅପ୍ରେଲ ୩ ତାରିଖ ଷଷ୍ଠୀ ଠାରୁ ଆରମ୍ଭ ହୋଇ ଅପ୍ରେଲ ୧୬ ତାରିଖ ପର୍ଯ୍ୟନ୍ତ ଚାଲିବ । ମାଁ ଙ୍କ ପୂଜା ସମସ୍ତ ବିଧି ଅନୁସାରେ ଦଶମୀ ପର୍ଯ୍ୟନ୍ତ ଚାଲିବା ପରେ ୧୬ ତାରିଖ ଦିନ ଭଷାଣୀ ଅନୁଷ୍ଠିତ ହେବ । ପୂଜା ସମୟରେ ପରିଷଦ ଓଡ଼ିଶାର ସଂସ୍କୃତି ପରମ୍ପରାକୁ ବଜାୟ ରଖି ଅଷ୍ଟମୀ, ନବମୀ ଓ ଦଶମୀରେ ତିନି ଦିନିଆ ପାଲା ମହୋତ୍ସବ ଅନୁଷ୍ଠିତ ହେବ । ଯେଉଁଥିରେ କଟକର ପାଲାଗାୟକ ଯୁବଜ୍ୟେତି କବି ପ୍ରସାଦ ତରାଇ ଓ ସାଥୀ ପାଲା ପରିବେଷଣ କରିବେ । ଅପ୍ରେଲ ୮ ଓ ୯ ତାରିଖ ଭଜନ ସଂଧ୍ୟା କାର୍ଯ୍ୟକ୍ରମ ଆୟୋଜିତ ହେବ, ଯେଉଁଥିରେ ଓଡ଼ିଶାର ସୁନାମଧନ୍ୟ ଭଜନ ଗାୟକ ଓ ଗାୟିକା ମଧ୍ୟରେ ଭୁବନେଶ୍ୱର, ବାଲେଶ୍ଵର, କଟକର ଗଗନ ଜେନା, ବାଦଲ ଆଚାର୍ଯ୍ୟ, ମାନସୀ ଦାସ, ପ୍ରିୟଙ୍କା ସ୍ୱାଇଁ, ସତ୍ୟରଞ୍ଜନ ମାହାନ୍ତି ଓ ପୂର୍ଣ୍ଣ ଜେନା ପ୍ରମୁଖ ଭଜନ ପରିବେଷଣ କରିବେ ।ଏହା ବ୍ୟତୀତ ପ୍ରତିବର୍ଷ କୁନି ଓ ଯୁବ କଳାକାରଙ୍କ ପ୍ରତିଭା ବିକାଶ ନିମନ୍ତେ ନୃତ୍ୟ ପ୍ରତିଯୋଗିତା ଆୟୋଜନ କରାଯାଇ ସୋଲୋ, ଗ୍ରୁପ ନୃତ୍ୟ ପ୍ରତିଯୋଗିତା ୫ ଦିନ ଧରି ଆୟୋଜିତ ହୋଇ ୧୫ ତାରିଖ ଦିନ ସମସ୍ତ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯିବ । ସୁବର୍ଣ୍ଣ ଜୟନ୍ତୀ ଅବସରରେ ଚଳିତବର୍ଷ କିଛି ବିଶିଷ୍ଟ ଚୁକ୍ତି ଓ ପରିଷଦ ପ୍ରତି ଅତୁଳନୀୟ ଅବଦାନ ଥିବା ବରିଷ୍ଠ ସଦସ୍ୟଙ୍କୁ ଏହି ଅବସରରେ ସମ୍ବର୍ଦ୍ଧିତ କରାଯିବାର କାର୍ଯ୍ୟକ୍ରମ ରହିଛି । ସୁନ୍ଦର ପୂଜା ତୋରଣ ସହ ଚଳିତବର୍ଷ ସେକ୍ଟର ୨ ରୁ ମଧୁବନ ଛକ ପର୍ଯ୍ୟନ୍ତ ଆଲୋକମାଳାରେ ସଜସଜ୍ଜା ଓ ମୀନା ବଜାର ମେଳା ପୂଜାରେ ମାଁ ଙ୍କ ଦର୍ଶନ ସହ ମନୋରଞ୍ଜନର ଖୋରାକ ଯୋଗାଇବ । ଜିଲ୍ଲାର ସାଂସଦଙ୍କ ସମେତ ସମସ୍ତ ବିଧାୟକ ସୁବର୍ଣ୍ଣ ଜୟନ୍ତୀ ସମାରୋହରେ ଅତିଥି ଭାବେ ଯୋଗ ଦେବା ସହ ଆରଏସପି ଡିଆଇସି ଆଲୋକ ବର୍ମା ଓ ଇଡି ମାନେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ତେଣୁ ୧୨ ଦିନ ବ୍ୟାପୀ ଏହି ସୁବର୍ଣ୍ଣ ଜୟନ୍ତୀ ପୂଜା କାର୍ଯ୍ୟମ ରାଉରକେଲା ବାସୀ ଭରପୂର ସହଯୋଗ ପାଇଁ ପରିଷଦ ପକ୍ଷରୁ ନିବେଦନ କରାଯାଇଛି । ଆୟୋଜିତ ସମ୍ବାଦିକ ସମ୍ମିଳନୀରେ ଉପଦେଷ୍ଟା ଅନିରୁଦ୍ଧ ବିଶ୍ୱାଳ, ଭାସ୍କର ପୁହାଣ ସାଧାରଣ ସମ୍ପାଦକ ସତ୍ୟବାନ ରାଉତ, କୋଷାଧ୍ୟକ୍ଷ ଏଚ କେ ପରିଡା, ଉପସଭାପତି ରବିନ୍ଦ୍ର କୁମାର ବାରିକ, ଉଗ୍ରସେନ ବିଶ୍ୱାଳ, ଇଶ୍ଵର ଚନ୍ଦ୍ର ଟୁଡୁ, ସଂଯୋଜକ ସଞ୍ଜୀବ କୁମାର ନାୟକ, ଯୁଗ୍ମ ସମ୍ପାଦକ ବି ଏସ ଦାସ, ରାଜପ୍ତି ପାଲ,ଏ କେ ସାହୁ, କାର୍ତ୍ତିକ ଚନ୍ଦ୍ର ଖଣ୍ଡୁଆଳ, ପ୍ରହ୍ଲାଦ ନାୟକ କାର୍ଯ୍ୟକାରୀ ସଦସ୍ୟ ଗିରିଶ ଚନ୍ଦ୍ର ଶତପଥୀ, କେଶବ ତାଣ୍ଡି, ସୁବାଷ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।
Prev Post