‘ସମୀକ୍ଷା’ ସମ୍ବାଦପତ୍ରର ୧୫ତମ ସ୍ଵନକ୍ଷତ୍ର ଦିବସ ପାଳିତ

ଭୁବନେ‌ଶ୍ୱର, (ସୁଶା‌ନ୍ତ ସାହୁ) : ସମୀକ୍ଷା ସାପ୍ତାହିକ ସମ୍ବାଦପତ୍ରର ୧୫ତମ ବାର୍ଷିକୋତ୍ସବ ଓ ସମ୍ମାନ ପ୍ରଦାନ ସମାରୋହ ଉତ୍କଳ କରାଟେ ସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ସଭା ସାଂସଦ ପଦ୍ମବିଭୂଷଣ ଡ: ରଘୁନାଥ ମହାପାତ୍ର ଯୋଗ ଦେଇ ଅନ୍ୟାୟ ବିରୁଦ୍ଧରେ ‘’ସମୀକ୍ଷା’ ତାର ଲେଖନୀ ଚାଳନା ଚାଲୁ ରଖୁ ବୋଲି କହିଥିଲେ । ବରିଷ୍ଠ ସାମ୍ବାଦିକ ଗୁରୁକଲ୍ୟାଣ ମହାପାତ୍ର ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଗଣମାଧ୍ୟମର ବିଭିନ୍ନ ସମସ୍ୟା ଉପରେ ଆଲୋକପାତ କରିଥିଲେ । ମୁଖ୍ୟବକ୍ତା ଭାବେ ଯୋଗ ଦେଇ ଓଡିଶା ଖଦୀ ବୋର୍ଡ ସଭାପତି ସଂଗ୍ରାମ କେଶରୀ ପାଇକରାୟ ସାମ୍ବାଦିକମାନଙ୍କ ସମାଜ ପ୍ରତି କର୍ତ୍ତବ୍ୟ ସମ୍ପର୍କରେ ଆଲୋଚନା କରିଥିଲେ । ଓଡିଶା ହାଇକୋର୍ଟର ଆଇନଜୀବୀ ଗୋକୁଳାନନ୍ଦ ପଟ୍ଟନାୟକଙ୍କ ସଭାପତିତ୍ଵରେ ଅନୁଷ୍ଠିତ ଏହି ସଭାରେ ‘ସମୀକ୍ଷା’ର ସମ୍ପାଦକ ଡ: ମହେଶ୍ଵର ସ୍ଵାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ଏହି ଅବସରରେ “ଶିଶୁ ଅଧିକାର” ଓ “ସୋସିଆଲ ମିଡିଆ” ନାମକ ଦୁଇଟି ପୁସ୍ତକର କଭର ଉନ୍ମୋଚନ କରାଯାଇଥିଲା । ବିଭିନ୍ନ କ୍ଷେତ୍ରରେ କୃତିତ୍ଵ ଅର୍ଜନ କରିଥିବା ପ୍ରଫେସର ଡ଼ ସୁବାସ କୁମାର-ଶିକ୍ଷା ସଂସ୍କାର, ଡାକ୍ତର କାଶୀନାଥ ନାୟକ- ଚିକିତ୍ସା, ସୁଧାଂଶୁ ମୋହନ ଦାଶ-ସମାଜସେବୀ, ଡାକ୍ତର ସୌମ୍ୟ କାନ୍ତ ମିଶ୍ର – ଶିଶୁ ଅଧିକାର, ଡ଼ ଗୌରୀ ମହାନ୍ତି -କ୍ରୀଡା, ଗୁଣଗ୍ରାହୀ ସାହୁ -ସାମ୍ବାଦିକତା, ଡ଼ ରଙ୍ଗାଧର ମହାପାତ୍ର – ଭାଷା ଗବେଷଣା, ରାଜକିଶୋର ଦାସ -ଆଇନଜୀବି କଲ୍ୟା, ଗଙ୍ଗାଧର ମହାରଣା -ପ୍ରସ୍ତର ଶିଳ୍ପୀ, ଉମାକାନ୍ତ ସାହୁ -ପୋଲିସ ସେବା ଏବଂ ରାକେଶ କୁମାର ମହାନ୍ତିଙ୍କୁ ଯୁବ ସାମ୍ବାଦିକ କ୍ଷେତ୍ରରେ ସମ୍ବର୍ଦ୍ଧିତ କରାଯାଇଥିଲା । ସେହିପରି “ସମୀକ୍ଷା”ର ୯ ଜଣ ସାମ୍ବାଦିକଙ୍କୁ ସମ୍ମାନିତ କରାଯାଇଥିଲା । ବରିଷ୍ଠ ସାମ୍ବାଦିକା ଦେବସ୍ମିତା ମହାନ୍ତି ମାନପତ୍ର ପାଠ କରିଥିଲେ । ସଭାପତିଙ୍କ ଅଭିଭାଷଣ ପରେ ବରିଷ୍ଠ ସାମ୍ବାଦିକ ଅନନ୍ତ ନାରାୟଣ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଉତ୍ସବରେ ୨୦୦ ସାମ୍ବାଦିକ, ବିଶିଷ୍ଟ ବ୍ୟକ୍ତି ତଥା ସମୀକ୍ଷା ପରିବାରର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ ।

Leave A Reply

Your email address will not be published.