centurian jitm

ସ୍ୱାସ୍ଥ୍ୟ ସଚିବଙ୍କ ଦ୍ଵାରା ରଥଯାତ୍ରା ପାଇଁ ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ସମୀକ୍ଷା

nschool
  • ଆଗୁଆ ପୂର୍ଣ୍ଣ ପ୍ରସ୍ତୁତିରେ ରହିବା ପାଇଁ ନିର୍ଦ୍ଦେଶ
  • ଶ୍ରୀ ଜଗନ୍ନାଥ ମେଡିକାଲ କଲେଜ ଓ ହସ୍ପିଟାଲ ପରିଦର୍ଶନ
  • ରୋଗୀମାନଙ୍କ ସହ ସିଧାସଳଖ ଆଲୋଚନା

ଭୁବନେଶ୍ୱର/ପୁରୀ : ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଶାସନ ସଚିବ ଶ୍ରୀମତୀ ଶାଳିନୀ ପଣ୍ଡିତ ଗତକାଲି ପୁରୀ ଗସ୍ତ କରି ମହାପ୍ରଭୁଙ୍କ ଚଳିତବର୍ଷ ରଥଯାତ୍ରା ନିମନ୍ତେ ସ୍ୱାସ୍ଥ୍ୟ ସେବା ବ୍ୟବସ୍ଥାର ସମୀକ୍ଷା କରିଥିଲେ । ନବଯୌବନ ଦର୍ଶନଠାରୁ ଶ୍ରୀଗୁଣ୍ଡିଚା ଏବଂ ବାହୁଡା ସରିବା ପର୍ଯ୍ୟନ୍ତ ସ୍ୱାସ୍ଥ୍ୟସେବା ଯୋଗାଣ ନିଶ୍ଚିତ କରାଇବା ପାଇଁ ଆଗୁଆ ପୂର୍ଣ୍ଣ ପ୍ରସ୍ତୁତିରେ ରହିବା ପାଇଁ ଶ୍ରୀମତୀ ପଣ୍ଡିତ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ବୈଠକରେ ମୁଖ୍ୟତଃ ଗୁରୁତ୍ୱପୂର୍ଣ୍ଣ ସ୍ଥାନମାନଙ୍କରେ ଆଶୁ ଚିକିତ୍ସା କେନ୍ଦ୍ର (ଫାଷ୍ଟ୍ ଏଡ୍ ସେଣ୍ଟର୍) ସ୍ଥାପନ, ଆମ୍ବୁଲାନ୍ସ ସେବା ଯୋଗାଣ, ରଥଯାତ୍ରା ପାଇଁ ପୁରୀରେ ଅଧିକ ମାନବସମ୍ବଳ, ଡାକ୍ତର, ଚିକିତ୍ସା ଦଳ, ପାରାମେଡ଼ିକାଲ ଷ୍ଟାଫ୍ ମୁତୟନ, ଖାଦ୍ୟ ନିରାପତ୍ତା ଯାଞ୍ଚ ଦଳ ମୁତୟନ, ବିଭିନ୍ନ ପ୍ରକାର ସଂକ୍ରମଣ ରୋଗର ପ୍ରତିକାର, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ସେବା ସହ ସମ୍ପୃକ୍ତ ବିଭାଗମାନଙ୍କ ମଧ୍ୟରେ ସମନ୍ୱୟ, କୋଭିଡ ପରିଚାଳନା, ଜରୁରୀକାଳୀନ ସେବା ପାଇଁ ବିଭିନ୍ନ ହସ୍ପିଟାଲରେ ଅଧିକ ବେଡ୍ ବ୍ୟବସ୍ଥା, ତାପଘାତ (ହିଟ୍ ଷ୍ଟ୍ରୋକ୍) ଚିକିତ୍ସା ବ୍ୟବସ୍ଥା ଆଦି ବିଷୟରେ ସବିଶେଷ ଆଲୋଚନା ହୋଇଥିଲା ।

ଚଳିତ ବର୍ଷ ପାଇଁ ପୁରୀ ଜିଲ୍ଲା ଚିକିତ୍ସାଳୟ ଏବଂ ପାଖାପାଖି ଡାକ୍ତରଖାନାମାନଙ୍କରେ ଅଧିକ ୧୩୨ଟି ଜରୁରୀକାଳୀନ ବେଡ୍ ଏବଂ ୮୨ଟି ହିଟ୍ ଷ୍ଟ୍ରୋକ୍ ଚିକିତ୍ସା ବେଡ୍ ବ୍ୟବସ୍ଥା କରିବା ପାଇଁ ନିଷ୍ପତ୍ତି ହୋଇଥିଲା । କାଜୁଆଲିଟି ଏବଂ ଏମର୍ଜେନ୍ସି ମେଡିକାଲ ୟୁନିଟ୍ ସବୁକୁ ପୂର୍ଣ୍ଣ ପ୍ରସ୍ତୁତିରେ ରଖିବା ପାଇଁ ଶ୍ରୀମତୀ ପଣ୍ଡିତ ନିର୍ଦ୍ଦେଶ ଦେଇଥିଲେ । ବଡଦାଣ୍ଡ ସ୍ଥିତ ଗାଣ୍ଡୁଆଚଉରା ଛକ, ସିଂହଦ୍ୱାର, ଉତ୍କଳ ହିନ୍ଦୀ ବିଦ୍ୟାପୀଠ, ଜନତା ସିନେମା ହଲ୍, ଜଗନ୍ନାଥ ବଲ୍ଲଭ ପାର୍କିଂ, ବଗଳା ଧର୍ମଶାଳା, ବଡ ଶଙ୍ଖ, ଗଜପତି ନଗର ଛକ, ସଂଗ୍ରାମ କ୍ଲବ୍, ପଲ୍ଲିଶ୍ରୀ ମେଳା ସ୍ଥାନ, ଗୁଣ୍ଡିଚା ମନ୍ଦିର ନିକଟରେ ଫାଷ୍ଟ୍ ଏଡ୍ ସେଣ୍ଟର୍ ସ୍ଥାପନ ହେବ । ସେହିପରି ସମୁଦ୍ର କୂଳ ସ୍ଥିତ ଦିଗବାରେଣୀ ଖୁଣ୍ଟ, ସ୍ୱର୍ଗଦ୍ୱାର, ବତୀଘର, ତାଳବଣିଆ ବସ୍ ଷ୍ଟାଣ୍ଡ୍ ଓ ରେଳବାଇ ଷ୍ଟେସନ୍ ଠାରେ ଫାଷ୍ଟ୍ ଏଡ୍ କେନ୍ଦ୍ର ସ୍ଥାପନ ହେବ । ପୁରୀ-ଭୁବନେଶ୍ୱର ରାସ୍ତାର ଗୁଡ଼ିଆ ପୋଖରୀ, ପିପିଲି ଓଭର ବ୍ରିଜ୍, ଦାଣ୍ଡ ମୁକୁନ୍ଦପୁର, ପଟ୍ଟନାଇକିଆ, ମାଳତୀପାଟପୁର ବସ୍ ଷ୍ଟାଣ୍ଡ୍ ଏବଂ ଅଠରନଳା ପୁରୀ-କୋଣାର୍କ ରାସ୍ତାର ଗୋପାଳପୁର ଛକ ଓ ବାଲିଘାଇ ଛକ, ରାମଚଣ୍ଡୀ ମନ୍ଦିର ଏବଂ ପୁରୀ-ସାତପଡା ରାସ୍ତାର ମଙ୍ଗଳା ଘାଟ ଛକ ଓ ଗିରାଳ ଛକଠାରେ ମଧ୍ୟ ଫାଷ୍ଟ୍ ଏଡ୍ କେନ୍ଦ୍ର ସ୍ଥାପନ ହେବ ।

ଏହାଛଡା ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସ୍ଥାନମାନଙ୍କରେ ୩୦ ଗୋଟି ଆମ୍ବୁଲାନ୍ସ ପ୍ରସ୍ତୁତ ରଖାଯିବ । ଖାଦ୍ୟ ସୁରକ୍ଷା ଯାଞ୍ଚ ପାଇଁ ୨ ଗୋଟି ଦଳ ନିୟୋଜିତ ହେବା ସହିତ ସ୍ୱତନ୍ତ୍ର ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯିବ । ଇତି ମଧ୍ୟରେ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ୨୫ଟି ଅମ୍ଳଜାନ ସଂଯୁକ୍ତ ବେଡ୍, ଅପରେସନ୍ ଥିଏଟର୍ ଓ ଆଇସିୟୁକୁ ପୂର୍ଣ୍ଣ ପ୍ରସ୍ତୁତ କରାଯାଇଛି । ରଥଯାତ୍ରା ସମୟରେ ସଂକ୍ରାମକ ରୋଗ ବ୍ୟାପିବାର ସମ୍ଭାବନା ଏଡାଇବା ନିମନ୍ତେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ଖାଦ୍ୟ ସୁରକ୍ଷା ଏବଂ ପିଇବା ପାଣି ବ୍ୟବସ୍ଥା ଯାଞ୍ଚକୁ କଡାକଡି କରାଯାଇଛି । ରଥଯାତ୍ରା ସମୟରେ ଜିଲ୍ଲାରେ ଡାକ୍ତର ଏବଂ ପାରାମେଡିକସ୍ ଷ୍ଟାଫ୍ ସଂଖ୍ୟା ଯେପରି ଅଭାବ ନହୁଏ ସେଥିପ୍ରତି ଦୃଷ୍ଟି ଦେବାକୁ ଶ୍ରୀମତୀ ପଣ୍ଡିତ ସ୍ୱାସ୍ଥ୍ୟ ବିଭାଗର ନିର୍ଦେଶକଙ୍କୁ କହିଥିଲେ ।

ରାଜ୍ୟ ସ୍ତରରୁ ଅଧିକ ୨୪୦ ଜଣ ବିଶେଷଜ୍ଞ ଡ଼ାକ୍ତର, ନର୍ସ, ଫାର୍ମାସିଷ୍ଟ୍ ଓ ଅନ୍ୟାନ୍ୟ ପାରାମେଡିକ୍ ଷ୍ଟାପ୍ ପୁରୀକୁ ପଠାଇବା ପାଇଁ ମଧ୍ୟ ଶ୍ରୀମତୀ ପଣ୍ଡିତ ନିର୍ଦ୍ଦେଶ ଦେଇଥିଲେ । ଜିଲ୍ଲାର ସସସ୍ତ ଡାକ୍ତରଖାନାରେ ଆବଶ୍ୟକୀୟ ପରିମାଣର ଔଷଧ ମହଜୁଦ୍ ରଖିବା ସହ ସମସ୍ତ ଯନ୍ତ୍ରପାତି ଓ ଚିକିତ୍ସା ଉପକରଣର କାର୍ଯ୍ୟକାରିତା ପୁନଃ ତନଖି ନେବା ପାଇଁ କୁହାଯାଇଥିଲା । ରଥଯାତ୍ରା ସମୟରେ ରୋଗୀ ସେବା ନିମନ୍ତେ ଯାତାୟତ ପାଇଁ ସ୍ୱାସ୍ଥ୍ୟ ଅଧିକାରୀ ଓ କର୍ମଚାରୀମାନଙ୍କୁ ଜିଲ୍ଲା ପ୍ରଶାସନ ତରଫରୁ ପାଶ୍ ଦେବାପାଇଁ ନିଷ୍ପତ୍ତି ହୋଇଥିଲା ।

ଏହି ଗସ୍ତ କାଳରେ ଶ୍ରୀମତୀ ପଣ୍ଡିତ ଶ୍ରୀ ଜଗନ୍ନାଥ ମେଡିକାଲ୍ ଓ ହସ୍ପିଟାଲ୍ ପରିଦର୍ଶନ କରି ରୋଗୀମାନଙ୍କ ସହ ସିଧାସଳଖ ଆଲୋଚନା କରିଥିଲେ । ଡାକ୍ତରଖାନାରେ ସ୍ୱାସ୍ଥ୍ୟ ସେବା ଓ ଔଷଧ ଆଦି ଠିକ୍ ଭାବେ ମିଳୁଛି କି ନାହିଁ ପଚାରି ବୁଝିଥିଲେ । ରୋଗୀମାନେ ଦେୟମୁକ୍ତ ଗୁଣାତ୍ମକ ଔଷଧ ସେବା ବିଷୟରେ ନିଜ ନିଜର ସନ୍ତୋଷ ବ୍ୟକ୍ତ କରିଥିଲେ ।

ରାଜ୍ୟ ଔଷଧ ନିଗମ ପରିଚାଳନା ନିର୍ଦ୍ଦେଶକ ଡାକ୍ତର ପୋମା ଟୁଡୁ, ସ୍ୱାସ୍ଥ୍ୟ ବିଭାଗର ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର, ପୁରୀ ଭାରପ୍ରାପ୍ତ ଜିଲ୍ଲାପାଳ ପ୍ରଦୀପ ସାହୁ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଓ କାର୍ଯ୍ୟ ନିର୍ବାହୀ ଅଧିକାରୀ ଜ୍ୟୋତି ଶଙ୍କର ମହାପାତ୍ର, ଶ୍ରୀ ଜଗନ୍ନାଥ ମେଡିକାଲ୍ କଲେଜର ଡିନ୍ ଡାକ୍ତର ମାୟା ପାଢ଼ୀଙ୍କ ସମେତ ବରିଷ୍ଠ ସ୍ୱାସ୍ଥ୍ୟ ଅଧିକାରୀମାନେ ବୈଠକର ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।

Leave A Reply

Your email address will not be published.