ଗୋ ସୁରକ୍ଷା ପାଇଁ ସମର୍ପିତ ଅଶୋକ ବାରିକ

ରାଉରକେଲା, (ସସ୍ମିତା ପ୍ରଧାନ) : ସାମ୍ପ୍ରତିକ ପରିସ୍ଥିତିରେ ଗୋ ସମ୍ପଦର ସୁରକ୍ଷା ଉଭୟ ଜିଲ୍ଲା ପୋଲିସ ଓ ପ୍ରଶାସନ ପାଇଁ ଏକ ଆହ୍ୱାନ ହୋଇଥିବା ବେଳେ ସୁନ୍ଦରଗଡ଼ ଜିଲ୍ଲା ହେମଗିରି ବ୍ଲକ ମୁଣ୍ଡରକ୍ଷେତ ପଞ୍ଚାୟତ ଅନ୍ତର୍ଗତ ଛତାବର ଗ୍ରାମର ନୃପ ବାରିକ ଓ ସରୋଜିନୀ ବାରିକଙ୍କ ପୁଅ ଅଶୋକ ବାରିକ(୩୫)ଙ୍କ ଗୋ ସମ୍ପଦର ସୁରକ୍ଷା ପ୍ରତି ଚିନ୍ତା ଓ ଚେତନା ଜିଲ୍ଲାରେ ଚର୍ଚ୍ଚାର କାରଣ ପାଲଟିଛି । ଉଚ୍ଚ ଶିକ୍ଷିତ ଅଶୋକଙ୍କ ପିଲାଟି ଦିନରୁ ଗୋ ସେବା ପ୍ରତି ଅହେତୁକ ଅନୁରାଗ ରହିଥିବା ବେଳେ ଦୀର୍ଘ ୫ ବର୍ଷ ହେବ ସେ ଗୋ ସୁରକ୍ଷା ପାଇଁ ନିଜ ଜୀବନକୁ ସମ୍ପୂର୍ଣ୍ଣ ରୂପେ ଉତ୍ସର୍ଗିକୃତ କରିଛନ୍ତି । ସେଥିପାଇଁ ଜିଲ୍ଲାର ବିଭିନ୍ନ ଗାଁଗୁଡିକୁ ସେ ନିରନ୍ତର ଭାବେ ଗସ୍ତ କରୁଥିବା ବେଳେ ଯୁବକମାନଙ୍କ ଭିତରେ ଗୋ ସମ୍ପଦର ସୁରକ୍ଷାର ଆବଶ୍ୟକତା ତଥା ପଶୁ ନିଷ୍ଠୁରତା ଆଇନ ଓ ଗୋ ହତ୍ୟା ନିଷେଧ ଆଇନ ସମ୍ୱନ୍ଧରେ ବ୍ୟାପକ ସଚେତନତା ସୃଷ୍ଟି କରୁଛନ୍ତି । ତା’ ସହିତ କୌଣସି ସ୍ଥାନରେ ଗୋ ଚାଲାଣ କିମ୍ବା ଗୋ ହତ୍ୟା ଘଟଣା ସାମ୍ନାକୁ ଆସିଲେ ସଙ୍ଗେ ସଙ୍ଗେ ସ୍ଥାନୀୟ ପୋଲିସର ସହାୟତା ନେବାକୁ ସେ ଯୁବ ବର୍ଗକୁ ଉତ୍ସାହିତ କରୁଛନ୍ତି । ମୁଖ୍ୟତଃ ରାଜପଥରେ କୌଣସି ଗାଈ ଗୋରୁ ଦୁର୍ଘଟଣାଗ୍ରସ୍ତ ହୋଇ ମୃତ୍ୟୁବରଣ କଲେ ଏହାକୁ ଦେଖି ଅତ୍ୟନ୍ତ ଭାବବିହ୍ୱଲ ହୋଇ ପଡନ୍ତି ଅଶୋକ । ତାପରେ ମୃତ ଗାଈ ଗୋରୁଙ୍କୁ ନିଜ ସହଯୋଗୀମାନଙ୍କ ସହିତ ଧାର୍ମିକ ରୀତିନୀତିରେ ଧୂପ ଦୀପ, ପୁଷ୍ପ, ଘିଅ ଓ ଲୁଣ ଲେପନ କରି ଅନ୍ତିମ ସତ୍କାର କରିବାକୁ ଆଗେଇ ଆସିଥାନ୍ତି । ପୂର୍ବରୁ ଗାଈ ଗୋରୁ ମୃତ୍ୟୁବରଣ କଲେ ଲୋକମାନେ ଫିଙ୍ଗି ଦେଉଥିବା ବେଳେ ଅଶୋକଙ୍କ ଏଭଳି ପ୍ରୟାସ ଯୋଗୁଁ ବର୍ତ୍ତମାନ ଜିଲ୍ଲାର ହେମଗିରି, ଲେଫ୍ରିପଡା, ଟାଙ୍ଗରପାଲି, ବାଲିଶଙ୍କରା, ସବଦେଗା, ସଦର, ବଡ଼ଗାଁ, କୁତ୍ରା, ରାଜଗାଙ୍ଗପୁର ଆଦି ବ୍ଲକର ବହୁ ଗାଁର ଲୋକମାନେ ଗାଈ ଗୋରୁ ମୃତ୍ୟୁବରଣ କଲେ ଧାର୍ମିକ ରୀତିନୀତିରେ ଅନ୍ତିମ ସତ୍କାର କରିବାର ପରମ୍ପରାକୁ ଧୀରେ ଧୀରେ ଆପଣାଉଥିବା ଦୃଷ୍ଟିଗୋଚର ହୋଇଛି । ଏହି ଅବସରରେ ଅଶୋକକୁ ପଚାରିବାରୁ ସେ କହିଛନ୍ତି ଯେ, ମଣିଷର ସଫଳ ଜୀବନ ଧାରଣ ପାଇଁ ଗୋ ସମ୍ପଦର ଆବଶ୍ୟକତା ଅପରିହାର୍ଯ୍ୟ । ତେବେ ଅତ୍ୟନ୍ତ ନିଷ୍ଠୁରତାର ସହ ଜିଲ୍ଲାରୁ ରାଜ୍ୟ ତଥା ଦେଶ ବାହାରର କଂସେଇଖାନାମାନଙ୍କୁ ବେଧଡକ ଭାବରେ ଯେଭଳି ଗୋ ଚାଲାଣ ହେଉଛି, ତାହା ଅତ୍ୟନ୍ତ କଷ୍ଟଦାୟକ ଓ ଚିନ୍ତାଜନକ । ଯଦି ଗୋ ସମ୍ପଦର ସୁରକ୍ଷା ପାଇଁ ସାଧାରଣ ଲୋକେ ଆଗକୁ ନ ଆସିବେ, ସ୍ୱର ଉତ୍ତୋଳନ ନ କରିବେ, ତା’ ହେଲେ କିଛି ବର୍ଷ ଭିତରେ ସୁନ୍ଦରଗଡ଼ ଜିଲ୍ଲାରେ ଗୋ ସମ୍ପଦ ଲୁପ୍ତ ହେବା ସୁନିଶ୍ଚିତ । ତେଣୁ ଗୋ ସମ୍ପଦର ସୁରକ୍ଷା ପ୍ରତ୍ୟେକ ମଣିଷର ଧେୟ ହେବା ଉଚିତ ବୋଲି ଅଶୋକ କହିଥିବା ବେଳେ ଏଥିପାଇଁ ସମସ୍ତେ ସହାୟତାର ହାତ ବଢାଇବାକୁ ସେ ନିବେଦନ କରିଛନ୍ତି । ଆଜିର ପରିସ୍ଥିତିରେ ଯେଉଁଠି ଦିନ କୁଦିନ ଗାଈ ଗୋରୁ ତଥା ପଶୁ ପକ୍ଷୀଙ୍କ ପ୍ରତି ମଣିଷ ଦେହରୁ ଦୟାଭାବ ଲୁପ୍ତ ହେବାକୁ ବସିଛି, ସେଭଳି ପରିସ୍ଥିତିରେ କଥା କହିପାରୁ ନଥିବା ପ୍ରାଣୀଙ୍କ ବେଦନା ପ୍ରତି ଅଶୋକଙ୍କ ଏଭଳି ସମ୍ବେଦନଶୀଳତା ନିଶ୍ଚିତ ଭାବରେ ସମାଜ ପାଇଁ ଏକ ଉଦାହରଣ ବୋଲି ସାଧାରଣରେ ମତପ୍ରକାଶ ପାଇଛି ।

Leave A Reply

Your email address will not be published.