ସୁଭଦ୍ରା ଯୋଜନାର ସଫଳ ରୂପାୟନ ନିମନ୍ତେ ସାମ୍ବାଦିକ ସମ୍ମିଳନୀ

  • ସୁଭଦ୍ରା ଯୋଜନାର ପ୍ରକ୍ରିୟା ସମ୍ପୂର୍ଣ୍ଣ ଦେୟମୁକ୍ତ ଏବଂ ସାମିଲ ହେବା ଏକ ନିରନ୍ତର ପ୍ରକ୍ରିୟା, ଆବେଦନ ସମୟ ସୀମାର କୌଣସି ଅବଧି ନାହିଁ : ଜିଲ୍ଲାପାଳ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ମହିଳାଙ୍କୁ ଆର୍ଥିକ ସଶକ୍ତିକରଣ ପାଇଁ ରାଜ୍ୟ ସରକାରଙ୍କ ‘ସୁଭଦ୍ରା’ ଯୋଜନା ସୁବର୍ଣ୍ଣପୁର ଜିଲ୍ଲାରେ ଆରମ୍ଭ ହୋଇଛି । ଜିଲ୍ଲାରେ ଯୋଜନାର ଶାନ୍ତି ଶୃଙ୍ଖଳାର ସହ ସଫଳ ନିମନ୍ତେ ଆଜି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଶ୍ରୀମତୀ ଅନ୍ୟା ଦାସଙ୍କ ଅଧ୍ୟକ୍ଷତାରେ ଜିଲ୍ଳାସ୍ତରୀୟ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଜିଲ୍ଲାପାଳ ଯୋଜନାର ସଫଳ ରୂପାୟନ ନିମନ୍ତେ ସମସ୍ତଙ୍କ ସହଯୋଗ କାମନା କରିବା ସହ ପ୍ରଶାସନିକ ପ୍ରସ୍ତୁତି ଉପରେ ସୂଚନା ପ୍ରଦାନ କରିଥିଲେ । ଏହି ଯୋଜନା ନିମନ୍ତେ କୌଣସି ନିର୍ଦ୍ଧିଷ୍ଟ ସମୟ ଅବଧି ନଥିବା କହିବା ସହ ଏହି ଯୋଜନାର ପ୍ରକ୍ରିୟା ସମ୍ପୂର୍ଣ୍ଣ ଦେୟମୁକ୍ତ ଏବଂ ସାମିଲ ହେବା ଏକ ନିରନ୍ତର ପ୍ରକ୍ରିୟା ଏଣୁ ହିତାଧିକାରୀ ଫର୍ମ ଆବେଦନ ପାଇଁ କୌଣସି ପ୍ରକାର ଅଧର୍ଯ୍ୟ ନ ହେବାକୁ ଅନୁରୋଧ କରିଛନ୍ତି । ଜିଲ୍ଲପାଳ ଏହି ପରିପ୍ରେକ୍ଷୀରେ ଯୋଜନାରେ ଅନ୍ତର୍ଭୁକ୍ତ ହେବା ନିମନ୍ତେ ରହିଥିବା ସରକାରଙ୍କ ବିଧି ବ୍ୟବସ୍ଥା, ହିତାଧିକାରୀଙ୍କ ପାଇଁ ଯୋଗ୍ୟତା, ଫର୍ମ ଆବେଦନ ଓ ଗ୍ରହଣ ପକ୍ରିୟା, ଯୋଜନା କାର୍ଯ୍ୟକାରିତାରେ ସ୍ୱଛତା ତଥା ସଠିକ ପରିଚାଳନା ନିମିତ୍ତ ପ୍ରଶାସନିକ ବ୍ୟବସ୍ଥାର ସୂଚନା ଦେଇଥିଲେ । ଯୋଜନାରେ ଜିଲ୍ଲାର ୧ ଲକ୍ଷ ୫୨ ହଜାର ୧୭ ପରିବାରର ଅନ୍ୟୁନ୍ୟ ୨ଲକ୍ଷ ୯୦ ହଜାର ମହିଳାଙ୍କୁ ଅନ୍ତର୍ଭୁକ୍ତ କରିବା ଲକ୍ଷ୍ୟ ରଖାଯାଇଛି । ଯୋଜନାର ସୁବ୍ୟବସ୍ଥିତ ପରିଚାଳନା ପାଇଁ ଜିଲାର ୧,୧୫୬ ଟି ଅଙ୍ଗନବାଡ଼ି କେନ୍ଦ୍ରରେ ସମସ୍ତ ହିତାଧୂକାରୀଙ୍କ ନିକଟରେ ଆବେଦନ ଫର୍ମ ପହଞ୍ଚାଇବା ନିମନ୍ତେ ପଦକ୍ଷେପ ନିଆଯାଇଛି । ଜିଲ୍ଲାରେ ମୋଟ ୩୦୪ ଟି ଜନସେବା କେନ୍ଦ୍ର (ସିଏସ୍‌ସି) ଓ ୧୭୨ ଟି ମୋ’ ସେବା କେନ୍ଦ୍ର (ଏମଏସକେ) କେନ୍ଦ୍ରରେ ଆବେଦନ ଫର୍ମ ଗ୍ରହଣ କରାଯିବାର ବ୍ୟବସ୍ଥା ରହିଥିବା ସୂଚୀତ କରିଥିଲେ । କେନ୍ଦ୍ରକୁ ଆସୁଥିବା ହିତାଧିକାରୀଙ୍କ ସୁବିଧା ଦୃଷ୍ଟିରୁ କେନ୍ଦ୍ରରେ ପାନୀୟ ଜଳ, ଅପେକ୍ଷାସ୍ଥଳ ଓ ଶୌଚାଳୟ ଆଦିର ସୁବ୍ୟବସ୍ଥା ପାଇଁ ସମ୍ପୃକ୍ତ ବ୍ଲକସ୍ତରୀୟ ଅଧିକାରୀଙ୍କୁ ନିର୍ଦେଶ ଦିଆଯାଇଛି । କେନ୍ଦ୍ର ଗୁଡିକରେ ଆଇନଶୃଙ୍ଖଳା ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପୁଲିସ ପ୍ରଶାସନକୁ ସଜାଗ ରଖାଯାଇଛି । ଆଧାର ସମ୍ବନ୍ଧୀୟ ତଥ୍ୟ ସଂଶୋଧନ ନିମନ୍ତେ ଜିଲ୍ଲାର ସମସ୍ତ ବ୍ଲକରେ ସ୍ଥାୟୀ ଆଧାର କେନ୍ଦ୍ର ବ୍ୟତିରକେ ଆହୁରି ୫ ଟି ଲେଖାଏଁ ଆଧାର ସମ୍ୱନ୍ଧୀୟ ତଥ୍ୟ ସଂଶୋଧନ ନିମନ୍ତେ ଆଧାର କ୍ୟାମ୍ପ ଅନୁଷ୍ଠିତ କରାଯିବା ଉପରେ କହିଥିଲେ । ଆବେଦନ ନିମନ୍ତେ ହିତାଧିକାରୀ ମହିଳାଙ୍କ ୨୦୨୪ – ୨୫ ଆର୍ଥିକ ବର୍ଷ ପାଇଁ ଧାର୍ଯ୍ୟ ତା.୦୧/୦୭/୨୦୨୪ ରିଖ ସୁଦ୍ଧା ବୟସ ୨୧ ବର୍ଷ କିମ୍ବା ତା ଠାରୁ ଅଧୁକ ଏବଂ ୬୦ ବର୍ଷରୁ କମ ହେବା ଆବଶ୍ୟକ । ତେଣୁ, ଆବେଦନକାରୀଙ୍କ ଜନ୍ମତାରିଖ ୦୨/୦୭/୧୯୬୪ ଠାରୁ ୦୧/୦୭/୨୦୦୩ ପର୍ଯ୍ୟନ୍ତ ହେବା ଆବଶ୍ୟକ । ଯେଉଁ ମହିଳା ୦୧/୦୭/୨୦୨୪ ପରେ ୬୦ବର୍ଷ ପୂରଣ କରିବେ ତାଙ୍କୁ ଅବଧୂର ଅବଶିଷ୍ଟ ବର୍ଷଗୁଡିକ ପାଇଁ ଏହି ସହାୟତା ଦିଆଯିବ ନାହିଁ ବୋଲି ସୁଭଦ୍ରା ନିର୍ଦ୍ଦେଶାବଳୀରୁ ଜଣାପଡିଛି । ଆବେଦନକାରୀ ଓଡିଶାର ବାସିନ୍ଦା ହୋଇଥିବେ ଏବଂ ଏନ.ଏଫ.ଏସ.ଏ ଅଥବା ଏସ.ଏଫ.ଏସ.ଏରେ ଅନ୍ତର୍ଭୁକ୍ତ ହୋଇଥିବେ । ଏକ ମୁଦ୍ରିତ ଫର୍ମ ପୂରଣ ସହିତ ଅଫଲାଇନ ତଥା ସୁଭଦ୍ରା ପୋର୍ଟାଲ ମାଧ୍ୟମରେ ଅନ୍ ଲାଇନରେ କରାଯାଇପାରିବ । ଅଙ୍ଗନବାଡି କେନ୍ଦ୍ର, ବ୍ଳକ କାର୍ଯ୍ୟାଳୟ, ମୋ’ ସେବା କେନ୍ଦ୍ର, ସାଧାରଣ ସେବା କେନ୍ଦ୍ର ଇତ୍ୟାଦିରେ ମୁଦ୍ରିତ ଆବେଦନ ଫର୍ମ ମାଗଣାରେ ଉପଲବ୍ଧ ହେବ । ଆବେଦନକାରୀ ମାନେ ଫର୍ମ ପୂରଣ କରି ଏହାକୁ ନିକଟସ୍ଥ ମୋ’ ସେବା କେନ୍ଦ୍ର, ସାଧାରଣ ସେବା କେନ୍ଦ୍ରରେ ଦାଖଲ କରିବେ । ହିତାଧିକାରୀ ମାନେ ଏକକ ଧାରକ ସଞ୍ଚୟ ଖାତାକୁ ନିଶ୍ଚିତ କରିବାକୁ ପରାମର୍ଶ କରାଯାଇଥିବା ବେଳେ ହିତାଧିକାରୀ ସଞ୍ଚୟ ଖାତା ସମ୍ବନ୍ଧୀୟ କୌଣସି ଅସୁବିଧା ଥିଲେ ତୁରନ୍ତ ସମାଧାନ ନିମନ୍ତେ ପଦକ୍ଷେପ ନେବାକୁ ଜିଲ୍ଲାରେ ଅବସ୍ଥାପିତ ସମସ୍ତ ବ୍ୟାଙ୍କ ଓ ପୋଷ୍ଟ ଅଫିସ କତୃପକ୍ଷଙ୍କୁ ପ୍ରଶାସନ ତରଫରୁ ନିର୍ଦେଶ ଦିଆଯାଇଛି । ସୁଭଦ୍ରା ଯୋଜନା ସମ୍ପର୍କିତ କୌଣସି ସୁବିଧା ଅସୁବିଧାର ତୁରନ୍ତ ସମାଧାନ ପାଇଁ ପ୍ରତି ବ୍ଲକସ୍ତରରେ ପରିଚାଳନା ନିୟନ୍ତ୍ରଣ କକ୍ଷ ଖୋଲାଯାଇଛି । ସେହିପରି ଜିଲ୍ଲାସ୍ତରରେ ମଧ୍ୟ କଣ୍ଟ୍ରୋଲ ରୁମ ଖୋଲାଯାଇ ଜନସାଧାରଣଙ୍କ ସମସ୍ୟାର ତୁରନ୍ତ ସମାଧାନ ଉଚ୍ଚ ପଦସ୍ଥ ଅଧିକାରୀଙ୍କ ତତ୍ତ୍ୱାବଧାନରେ କରାଯିବ । ପୁନଶ୍ଚ ଯୋଜନା ସହାୟତା ନିମନ୍ତେ ବ୍ଲକ କାର୍ଯ୍ୟାଳୟ ସ୍ଥିତ ମହିଳା ଓ ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟାଳୟରେ ଜନସାଧାରଣଙ୍କୁ ଆବଶ୍ୟକ ସହଯୋଗ ଓ ସୂଚନା ନିମନ୍ତେ ‘ସହାୟତା କେନ୍ଦ୍ର’ ଖୋଲାଯାଇଛି । ଜିଲ୍ଲାର ପ୍ରତି ପଞ୍ଚାୟତସ୍ତରରେ ବିଶେଷ ସଚେତନ‌ତା ସୃଷ୍ଟି କରିବା, ଫର୍ମ ବଣ୍ଟନ ଓ ପୂରଣ ତଥା ଦାଖଲ କାର୍ଯ୍ୟର ତଦାରଖ ନିମନ୍ତେ ବିଡ଼ିଓ ଆଇସିଡିଏସ୍ ସୁପରଭାଇଜର, ସିଆର୍‌ପି, ଏମ୍‌ବିକେଙ୍କୁ ନୋଡାଲ ଅଧିକାର ଭାବେ ଦାୟିତ୍ଵ ଦିଆଯାଇଛି । ସେହିପରି ବ୍ଲକସ୍ତରରେ ବିଡ଼ିଓଙ୍କ ଅଧ୍ୟକ୍ଷତାରେ ଓ ଜିଲ୍ଲାସ୍ତରରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଯୋଜନାର ସୁପରିଚାଳନା ନିମନ୍ତେ ତଦାରଖ କମିଟି ଗଠନ କରାଯାଇଛି । ଯୋଜନାର ବ୍ୟବସ୍ଥିତ ଓ ସୁନିଶ୍ଚିତ ସଫଳତା ପାଇଁ ପ୍ରତ୍ୟହ କାର୍ଯ୍ୟର ସମୀକ୍ଷା କରାଯାଉଥିବା ଜିଲ୍ଲାପାଳ ବୈଠକରେ ସୂଚୀତ କରିଥିଲେ । ସମସ୍ତ ଗ୍ରାହକ ସେବା କେନ୍ଦ୍ର ଓ ମୋ’ ସେବା କେନ୍ଦ୍ରରେ ଫର୍ମ ଗୁଡ଼ିକର ଡିଜିଟାଇଜେସନ କାର୍ଯ୍ୟର ତଦାରଖ ନିମନ୍ତେ ସମ୍ପୃକ୍ତ ଗ୍ରାମ ପଞ୍ଚାୟତ ନିମନ୍ତେ ନିୟୋଜିତ ଥିବା ନୋଡାଲ ଅଧିକାରୀ ଓ ଅଙ୍ଗନବାଡି କର୍ମୀଙ୍କୁ ଦାୟିତ୍ଵ ଦିଆଯାଇଛି । ଜିଲ୍ଲା ପରିଚାଳକ ଗ୍ରାହକ ସେବା କେନ୍ଦ୍ର ଓ ମୋ’ ସେବା କେନ୍ଦ୍ରର ପରିଚାଳକଙ୍କୁ ନିଶୁଳ୍କ ସେବା ପ୍ରଦାନ କରିବାକୁ ନିର୍ଦେଶ ଦିଆଯାଇଛି । ଯଦି କୌଣସି କେନ୍ଦ୍ରରେ ବେନିୟମ ଆର୍ଥିକ କାରବାର ଅଭିଯୋଗ ହୁଏ, ତେବେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲାପାଳ କଡ଼ା ନିର୍ଦେଶ ଦେଇଛନ୍ତି । ଆପତ୍ତି ଅଭିଯୋଗ ଅଥବା ତଦଜନିତ କୌଣସି ସହାୟତା ନିମନ୍ତେ ଟୋଲ ଫ୍ରି ନଂ. ୧୪୬୭୮ରେ ଯୋଗାଯୋଗ କରିପାରିବେ । ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଅନୁପମା ପଣ୍ଡା ଏବଂ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଶ୍ୱିନୀ କୁମାର ଭୋଇ, ସମେତ ଜିଲ୍ଲାର ଗଣମାଧ୍ୟମ ପ୍ରତିନିଧି ପ୍ରମୁଖ ଯୋଗ ଦେଇଥିଲେ ।

Leave A Reply

Your email address will not be published.