ଡେଲାଙ୍ଗ, (ଦିଲୀପ କୁମାର ଧାଉଡିଆ) : କମଳା ଫାଉଣ୍ଡେସନ ଆନୁକୂଲ୍ୟରେ ସଡକ ସୁରକ୍ଷା ପ୍ରଶିକ୍ଷଣ ଶିବିର ଗତମାସ ଫେବୃଆରୀ ୨୦ତାରିଖ ଠାରୁ ଆରମ୍ବ ହୋଇ ଚଳିତ ମାସ ମାର୍ଚ୍ଚ ୩ତାରିଖ ଦିନ ଶେଷ ହୋଇଯାଇଛି । ଏହି ଶିବିରରେ ୫୦୦ରୁ ଉର୍ଦ୍ଧ୍ବ ଟ୍ରକ ଚାଳକମାନଙ୍କୁ ସଡକ ସୁରକ୍ଷାର ବିଭିନ୍ନ ଦିଗ ସମ୍ପର୍କରେ ସଚେତନତା ଓ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା । ସେମାନଙ୍କୁ ବିଭିନ୍ନ ଟ୍ରାଫିକ ସଙ୍କେତ, ଗୁଡ୍ ସମରିଟାନ ଆଇନ ଓ ସୋଲେଟିୟମ ସ୍କିମ୍ ଉପରେ ପ୍ରଶିକ୍ଷଣ ଦିଆଯାଇ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା । ଭାରତ ସରକାରଙ୍କ ରାଜପଥ ପ୍ରାଧିକରଣ ଏବଂ ଓଡ଼ିଶା ସରକାରଙ୍କ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ସହଯୋଗରେ ଏହି କାର୍ଯ୍ୟକ୍ରମ ସମ୍ପାଦନ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ କମଳା ଫାଉଣ୍ଡେସନର ଅର୍ଦ୍ଧକ୍ଷବିସ୍ୱନ୍ଦୁ ମହାରଣା ପରିଚାଳନା କରୁଥିଲେ । ଏହି କାର୍ଯ୍ୟକ୍ରମରେ ଆରଟିଓ ଭୁବନେଶ୍ୱର-୧ର ଅଧିକାରୀ ପ୍ରଦୀପ କୁମାର ମହାନ୍ତି, ଟ୍ରାଫିକ ଡିସିପି କିଶୋର କୁମାର ପ୍ରାଣିଗ୍ରାହୀ, ଆରଟିଓ-୧ର ଏମଭିଆଇ ମିଲି ସାହୁ, ଟ୍ରାଫିକ ଏସିପି ଶାଶ୍ୱତ ପଣ୍ଡା, ଏଜି ଛକ ଟ୍ରାଫିକ ଆଇଆଇସି ସୁରେନ୍ଦ୍ର ବଳ, ପଟିଆ ଟ୍ରାଫିକ ଆଇଆଇସି ଅଞ୍ଜଳି ଚକ୍ରବର୍ତ୍ତୀ, ମଂଞ୍ଚେସ୍ୱର ମିନିଟ୍ରକ୍ ସଂଘର ସଭାପତି ଗଣେଶ୍ୱର ମହାରୀ, ଆଇଗଣିଆ ଖୋର୍ଦ୍ଧା ଜିଲା ଟ୍ରକ କର୍ମଚାରି ସଂଘର ସେକ୍ରେଟାରୀ ବାବାଜି ସାହୁ, ଭୁବନେଶ୍ୱର ଟ୍ରକ ମାଲିକ ସଂଘର ସଭାପତି ପ୍ରଦୀପ ବାବୁ, ସେଫ୍ ଇଣ୍ଡିଆର ଅଧ୍ୟକ୍ଷ ଦିଲ୍ଲୀପ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ କମଳା ଫାଉଣ୍ଡେସନର କର୍ମଚାରୀ, ଭଲେନଟିଅର ଏବଂ ଟ୍ରେନର ଭାଇମାନେ ସହଯୋଗ କରିଥିଲେ ।