ଶବଦାହ ପାଇଁ କାଠ ନଥିବାରୁ ମୃତଦେହ ରଖି ଡିଏଫ୍‌ଓ ଅଫିସ୍‌ ସମ୍ମୁଖରେ ଧାରଣା

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ଶବଦାହ ପାଇଁ ବରଗଡ଼ ସହରରେ କାଠ ଅଭାବ ଦେଖାଦେଇଛି । ଫଳରେ ଶବଦାହ ପାଇଁ ଲୋକଙ୍କୁ ହଟହଟା ହେବାକୁ ପଡୁଛି । ଏ ସମ୍ପର୍କରେ ବାରମ୍ବାର ସ୍ଥାନୀୟ ବନଖଣ୍ଡ ଅଧିକାରୀ (ଡିଏଫ୍‌ଓ) ଏବଂ ଜିଲ୍ଲା ପ୍ରଶାସନକୁ ଅବଗତ କଲେ ସୁଦ୍ଧା କୌଣସି ପଦକ୍ଷେପ ନିଆଯାଇ ନାହିଁ । ଫଳରେ ଅସନ୍ତୋଷ ବଢ଼ି ଚାଲିଛି । ପ୍ରତିବାଦରେ ଆଜି ବରଗଡ଼ ସ୍ବେଚ୍ଛାସେବୀ ଅନୁଷ୍ଠାନର ସଦସ୍ୟମାନେ ଜଣେ ଅଜଣା ଲୋକଙ୍କ ମୃତଦେହ ରଖି ଡିଏଫ୍‌ଓ ଅଫିସ ସମ୍ମୁଖରେ ଧାରଣାରେ ବସିଥିଲେ । ସୂଚନା ଅନୁସାରେ ଗତ ତିନିଦିନ ତଳେ ବରଗଡ଼ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସାଧିନ ଅବସ୍ଥାରେ ସମ୍ପୃକ୍ତ ଅଜଣା ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା । ମୃତଦେହକୁ ଡାକ୍ତରଖାନା ଫ୍ରିଜରରେ ରଖାଯାଇଥିଲା । ମୃତକଙ୍କ ଶବଦାହ ପାଇଁ ପୋଲିସ ସୂଚନା ଦେବା ପରେ ସ୍ବେଚ୍ଛାସେବୀ ଅନୁଷ୍ଠାନର କର୍ମକର୍ତ୍ତାମାନେ ଡାକ୍ତରଖାନା ଫ୍ରିଜରରୁ ଆଣିଥିଲେ । ତେବେ କାଠ ପାଇଁ ସ୍ବେଚ୍ଛାସେବୀମାନେ ଗତକାଲି ବନ ବିଭାଗ କର୍ମଚାରୀଙ୍କୁ ଜଣାଇଥିଲେ । ମାତ୍ର କୌଣସି ସନ୍ତୋଷ ଜନକ ଉତ୍ତର ନ ମିଳିବାରୁ ଏହାର ପ୍ରତିବାଦରେ ମୃତଦେହକୁ ଡିଏଫ୍‌ଓ ଅଫିସରେ ରଖି ଧାରଣାରେ ବସିଥିଲେ । ଅଜଣା ଲୋକଙ୍କ ଶବଦାହ ପାଇଁ ମାଗଣାରେ କାଠ ଯୋଗାଇ ଦେବା ପାଇଁ ସେମାନେ ଦାବୀ କରିଛନ୍ତି । ଦୃଢ଼ ପ୍ରତିଶ୍ରୁତି ନ ମିଳିବା ପର୍ଯ୍ୟନ୍ତ ସେମାନେ ଧାରଣାରୁ ଉଠିବେ ନାହିଁ ବୋଲି ସ୍ବେଚ୍ଛାସେବୀମାନେ ଚେତାବନୀ ଦେଇଛନ୍ତି । ଏହି ଧାରଣାରେ ଅନୁଷ୍ଠାନର ସମ୍ପାଦକ ଅଶ୍ବିନୀ ତ୍ରିପାଠୀ, କୋଷାଧ୍ୟକ୍ଷ ଶ୍ୟାମସୁନ୍ଦର ସାହୁଙ୍କ ନେତୃତ୍ୱରେ ସ୍ବେଚ୍ଛାସେବୀମାନେ ଏଥିରେ ସାମିଲ ହୋଇଛନ୍ତି ।

Leave A Reply

Your email address will not be published.