ବୌଦ୍ଧ, (ବଂଶୀଧର ମାଝୀ) : ଚଳିତ ବର୍ଷ ଶ୍ରୀକ୍ଷେତ୍ର ପୁରୀରେ ହେବାକୁଥିବା ଘୋଷଯାତ୍ରା ପାଇଁ ରଥ ନିର୍ମାଣ ସକାଶେ ଆବଶ୍ୟକ କାଠ ସଂଗ୍ରହ ପାଇଁ ମଙ୍ଗଳବାର ବୌଦ୍ଧ ବନଖଣ୍ଡ ଅଧିନସ୍ଥ ମାଧପୁର ରେଞ୍ଜ ଅନ୍ତର୍ଗତ ମୁଣ୍ଡେଶ୍ୱର ସଂରକ୍ଷିତ ଜଙ୍ଗଲରୁ ଗଛ ସଂଗ୍ରହ ପ୍ରକ୍ରିୟା ଶୁଭାରମ୍ଭ ହୋଇଛି । ପୁରୀ ରଥ ଖଳାର ବରିଷ୍ଠ ତତ୍ତ୍ୱାବଧାରକ ସୁଦର୍ଶନ ମେକାପଙ୍କ ନେତୃତ୍ୱରେ ୫ ଜଣିଆ ମହାରଣା ଦଳ ବୌଦ୍ଧରେ ଆଜ୍ଞାମାଳ ଧରି ପହଁଚିବା ପରେ ଆଡେଣିଗଡ ନିକଟସ୍ଥ ମାଆ ବନଦୁର୍ଗା ପୀଠରେ ହୋମଯଜ୍ଞ ସହିତ ପୁଜାର୍ଚ୍ଚନା କରିବା ପରେ ଚିହ୍ନଟ ହୋଇଥିବା ଗଛମୁଳେ ପୁଜା କରିବା ପରେ ଆରମ୍ଭ ହୋଇଥିଲା ରଥ କାଠ କଟା । ଏହି ଅବସରରେ ବୌଦ୍ଧ ବନଖଣ୍ଡ ଅଧିକାରୀ ଯୋଶବନ୍ତ ସେଠୀ, ସହକାରୀ ବନ ସଂରକ୍ଷକ ରାଜେନ୍ଦ୍ର ଗୋଛାୟତ, ସୌମ୍ୟ ରଞ୍ଜନ ଗୋଛାୟତ, ଜିତେନ୍ଦ୍ର କୁମାର ବେହେରା, ରେଞ୍ଜ ଅଧିକାରୀ ସରୋଜ କୁମାର ମିଶ୍ର, ପ୍ରଦୀପ ବେହେରା, ନିହାର ରଞ୍ଜନ ମଲ୍ଲିକ, କୁମାରୀ କ୍ଷୀରାଦ୍ଧି ପ୍ରଧାନଙ୍କ ସମେତ ମାଧପୁର ବନାଞ୍ଚଳର ସମସ୍ତ କର୍ମଚାରୀ ଯୋଗ ଦେଇଥିଲେ । ବିଭାଗୀୟ ସମସ୍ତ ଅଧିକାରୀ ପ୍ରଥମେ ମାଧପୁର ସ୍ଥିତ ମା’ ବନଦୁର୍ଗା ମନ୍ଦିରରେ ପୂଜାର୍ଚ୍ଚନା କରିବା ପରେ ସେଠାରୁ ସଂରକ୍ଷିତ ଜଙ୍ଗଲକୁ ଯାଇ ପୂର୍ବରୁ ଚିହ୍ନଟ ହୋଇଥିବା ଅଶନ ଗଛକୁ ଯଥାବିଧି ପୂଜାପାଠ କରି ଗଛ କଟା ଶୁଭାରମ୍ଭ କରିଥିଲେ । ପ୍ରଭୁ ଜଗନ୍ନାଥଙ୍କର ଘୋଷଯାତ୍ରା ପାଇଁ ହେବାକୁ ଗଛକଟା ଦେଖିବାକୁ ଆଡେନିଗଡ଼ ଆଦି ଆଖପାଖ ଗ୍ରାମରୁ ବହୁ ଶ୍ରଦ୍ଧାଳୁ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଥିଲା । ଚଳିତ ବର୍ଷ ତିନି ରଥ ନିର୍ମାଣ ପାଇଁ ୮୬୫ଖଣ୍ଡ କାଠ ଆବଶ୍ୟକ ଥିବାବେଳେ ବୌଦ୍ଧରୁ ୬୦୧ ଖଣ୍ଡ କାଠ ଯିବ। ଚତୁର୍ଥ ଥର ପାଇଁ ବୌଦ୍ଧରୁ ରଥକାଠ ଯାଉଥିବାରୁ ଏହାକୁ ନେଇ ଅଞ୍ଚଳବାସୀ ସୌଭାଗ୍ୟ ଶାଳୀ ମନେ କରୁଛନ୍ତି ।