centurian jitm

ଷଢେ଼ଇକଳାରେ ଦ୍ରୁତ ଗତିରେ ଚାଲିଛି ରଥଯାତ୍ରାର ପ୍ରସ୍ତୁତି

ରାଉରକେଲା, (ସସ୍ମିତା ପ୍ରଧାନ) : ୧୯୩୬ ମସିହାରୁ ୧୯୪୮ ପର୍ଯ୍ୟନ୍ତ ଓଡ଼ିଶାର ଏକ ଗଡ଼ଜାତ ରାଜ୍ୟ ଥିଲା ଷଢେ଼ଇକଳା, ପରବର୍ତ୍ତୀ ସମୟରେ ବିହାର ଓ ଝାଡ଼ଖଣ୍ଡ ରାଜ୍ୟର ହୋଇ ରହିଯାଇଥିଲେ । ସୁଦ୍ଧା ଓଡ଼ିଆ ପର୍ବପର୍ବାଣୀ ଲୋକକଳା ସଂସ୍କୃତି ଓ ପରମ୍ପରାକୁ ଏ ପର୍ଯ୍ୟନ୍ତ ବଜାୟ ରଖିଛି । ପ୍ରତିବର୍ଷ ଏଠାରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ମହା ଧୁମଧାମରେ ପାଳିତ ହୁଏ ଏବଂ ଶ୍ରୀଗୁଣ୍ଡିଚା ରହଣି ସମୟରେ ମହାପ୍ରଭୁଙ୍କୁ ବିଭିନ୍ନ ବେଶରେ ସୁସଜ୍ଜିତ କରାଯାଇଥାଏ । ଏ ବର୍ଷ ଶ୍ରୀଜଗନ୍ନାଥ ସେବା ସମିତି ଷଢେ଼ଇକଳା ରଥ ନବକଳେବର କରିବା ଉଦ୍ଦେଶ୍ୟରେ ନୂଆ ରଥ ତିଆରି କରିବା ପାଇଁଁ ପୁରୀ ଜିଲ୍ଲାର କୋଣାର୍କରୁ ପ୍ରସିଦ୍ଧ ରଥଗଢା ବିଶ୍ଵକର୍ମା ମାନଙ୍କୁ ନିମନ୍ତ୍ରଣ କରି ପାଛୋଟି ଆଣିଛନ୍ତି । ପବିତ୍ର ଅକ୍ଷୟ ତୃତୀୟାରୁ ଆରମ୍ଭ ହୋଇଛି ପାରମ୍ପରିକ ରୀତିନୀତି ଅନୁଯାୟୀ ନୂଆ ରଥ ନିର୍ମାଣର ପ୍ରକ୍ରିୟା । ଏଥିରେ ଆର୍ଥିକ ସହାୟତା ଯୋଗାଇ ଦେଇଛନ୍ତି ଝାଡ଼ଖଣ୍ଡ ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ବର୍ତ୍ତମାନ ଷଢେ଼ଇକଳାର ବିଧାୟକ ଚମ୍ପାଇ ସୋରେନ, ଯାହାକି ଶ୍ରଜଗନ୍ନାଥ ସେବା ସମିତିକୁ ନୂଆ ରଥ ନିର୍ମାଣରେ ନୂତନ ଉତ୍ସାହ ଓ ଉଦ୍ଦୀପନା ଭରିଦେଇଛି । ଆଠ ଗୋଟି ଚକ ବିଶିଷ୍ଟ ଏହି ନୂତନ ରଥ ନିର୍ମାଣରେ ଦିନ ରାତି ଲାଗି ରହିଛନ୍ତି ବିଶ୍ଵକର୍ମା ଶିଳ୍ପୀବୃନ୍ଦ । ମୁଖ୍ୟ ରଥଶିଳ୍ପୀ ପ୍ରକାଶ ଚନ୍ଦ୍ର ଓଝା ମହାପ୍ରଭୁ ବିଶ୍ଵକର୍ମାଙ୍କ ବିଧିବଦ୍ଧ ଭାବରେ ପୂଜାର୍ଚ୍ଚନା କରି କାର୍ଯ୍ୟର ଶୁଭାରମ୍ଭ କରିଛନ୍ତି । ଗତ ରବିବାର ଦିନ ପୁରୀ ଶ୍ରୀମନ୍ଦିର ପରମ୍ପରା ଅନୁସାରେ ଚକ ଡେରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ଏବଂ ରଥଚକରେ ଅଖ ସଂଯୋଗ କରାଯାଇଛି । ଏ ବର୍ଷ ନୂଆ ରଥ ନିର୍ମାଣର ଗତିବିଧିକୁ ଲକ୍ଷ୍ୟ କରି ଷଢେ଼ଇକଳା ଅଞ୍ଚଳରେ ଗୁଣ୍ଡିଚା ଯାତ୍ରା ଓ ବାହୁଡା଼ ଯାତ୍ରା ତଥା ରଥ ମେଳାରେ ଲୋକ ଗହଳି ଦ୍ୱିଗୁଣିତ ହେବ ବୋଲି ଆଶା କରାଯାଉଛି।ଏ ନେଇ ସ୍ଥାନୀୟ ପ୍ରଶାସନ ମଧ୍ୟ ସତର୍କ ଅଛନ୍ତି । ରଥ ପର୍ବ ଅବସରରେ ବିଧି ବ୍ୟବସ୍ଥା ସଜାଗ ରହିବା ଏବଂ ଶାନ୍ତି ଶୃଙ୍ଖଳା ସହିତ ପର୍ବ ପାଳନ ଦିଗରେ ପ୍ରଶାସନ ବିଭିନ୍ନ ପ୍ରକାରର ସହଯୋଗ କରିବାପାଇଁ ଷଢେ଼ଇକଳା-ଖରସୁଆଁ ଜିଲ୍ଲାର ଜିଲ୍ଲାପାଳଙ୍କୁ ସମିତି ଅନୁରୋଧ କରିଛନ୍ତିି ।

Leave A Reply

Your email address will not be published.