ଦେଓଗାଁ, (ମନୀଷ କୁମାର ସାହୁ) : ପ୍ରତି ହିତାଧିକାରୀ ଠିକ ଭାବେ ଖାଦ୍ୟ ସୁରକ୍ଷା ଆଇନ ଅନୁସାରେ ସାମଗ୍ରୀ ପାଇବେ ବୋଲି ପ୍ରତି ପଞ୍ଚାୟତ ଓ ଡିଲରକୁ ଇ-ପିଓଏସ ମେସିନର ବ୍ୟବହାର ପାଇଁ ବ୍ୟବସ୍ଥା କରାଯାଇଛି । ହେଲେ ଏହି ମେସିନ ବ୍ୟବହାର ଯୋଗୁଁ ଅଧିକ ପରିମାଣରେ କରୋନା ସଂକ୍ରମଣ ହେବା ଆଶଙ୍କା ଥିବାରୁ କିଛି ମାସ ପାଇଁ ଅନ୍ ଲାଇନ ନୁହେଁ ଅଫ୍ଲାଇନରେ ଖାଦ୍ୟ ସାମଗ୍ରୀ ଇସୁ କରିବାକୁ ଯୋଗାଣ ସହାୟକ ଓ ଗ୍ରାହାକ ମହଳରେ ଦାବୀ ହେଉଛି । ସୂଚନା ଯୋଗ୍ୟ ଯେ, ବଲାଙ୍ଗିର ଜିଳ୍ଲା ଯୋଗାଣ ସହାୟକ ସଂଘ ରାଜ୍ୟ ସରକାର, ବଲାଙ୍ଗିର ଜିଳ୍ଲାପାଳ ଓ ପ୍ରତି ବ୍ଳକରେ ବିଡିଓଙ୍କୁ ଲିଖିତ ଭାବେ ଜଣାଇଛନ୍ତି ଯେ, କରୋନା ଦ୍ୱିତୀୟ ଲହର ଯୋଗୁଁ ସାଧାରଣ ବଣ୍ଟନ ବ୍ୟବସ୍ଥାକୁ ଅନଲାଇନ ପରିବର୍ତ୍ତେ ଅଫ୍ଲାଇନ ମାଧ୍ୟମରେ ବଣ୍ଟନ କରାଯାଉ । କରୋନାର ପ୍ରଥମ ଲହର ଅପେକ୍ଷା ଦ୍ୱିତୀୟ ଲହର ବହୁ ମାରାତ୍ମକ । ପ୍ରତି ପଞ୍ଚାୟତରେ ନିର୍ଦ୍ଧାରିତ ଦିନ ମାନଙ୍କରେ ସାମଗ୍ରୀ ନେବାକୁ ନିର୍ଦେଶ ଥିବାରୁ ଲମ୍ବା ଲାଇନ ହେବାକୁ ପଡ଼ୁଛି । ଅନ୍ୟ ପକ୍ଷରେ ଇ-ପିଓଏସ ମେସିନରେ ଅଙ୍ଗୁଳି ଚିହ୍ନ ଓ ଆଖିରେ ସ୍କେନିଙ୍ଗ କରି ଗ୍ରାହାକ ଚିହ୍ନଟ ବ୍ୟବସ୍ଥା ଥିବାରୁ କେବଳ ଯୋଗାଣ ସହାୟକ ନୁହେଁ ସାଧାରଣ ଲୋକମାନେ ମଧ୍ୟ ଭୟଭୀତ ହେଉଛନ୍ତି । ପ୍ରକାଶ ଥାଉ କି, ଯୋଗାଣ ସହାୟକ ମାନେ ବିଡିଓ, ଜିଳ୍ଲାପାଳ, ବିଭାଗୀୟ ମନ୍ତ୍ରୀ, ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ ଦାବୀ ପତ୍ର ଦେଇଥିଲେ ମଧ୍ୟ ନୀରବ ଦ୍ରଷ୍ଟା ସାଜିଛନ୍ତି । କୋଭିଡ ୧୯ର ଦ୍ୱିତୀୟ ଲହରରେ ଆକ୍ରାନ୍ତ ହୋଇ ରାଜ୍ୟର ୩ ଜଣ ଯୋଗାଣ ସହାୟକ ଜୀବନ ହାରି ଥିବା ବେଳେ ଅନେକ ଆକ୍ରାନ୍ତ ହୋଇ ଜୀବନ ସହ ଯୁଦ୍ଧ କରୁଛନ୍ତି । ସେହିପରି ଅତି କମ ଦରମା ପାଉଥିବା ଯୋଗାଣ ସହାୟକ ସରକାର ଓ ହିତାଧିକାରୀଙ୍କ ମଧ୍ୟରେ ମୁଖ୍ୟ ଭୂମିକା କରୁଥିବାରୁ କରୋନା ଯୁଦ୍ଧା ଭାବେ ଘୋଷଣା କରିବାକୁ ମଧ୍ୟ ଦାବୀ କରୁଛନ୍ତି ବୋଲି ଦେଓଗାଁ ବ୍ଳକ ଯୋଗାଣ ସହାୟକ ସଂଘ ପକ୍ଷରୁ କୁହାଯାଇଛି ।
Next Post