
ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ରାଜ୍ୟ ସରକାରଙ୍କ ପରିବହନ ବିଭାଗ ଦ୍ୱାରା ଶୁଭାରମ୍ଭ କରାଯାଇଥିବା ରକ୍ଷକ ପ୍ରକଳ୍ପ ଦ୍ୱାରା ୩୦ ସପ୍ତାହରେ ୩୦ ଜିଲ୍ଲାରେ ୩୦୦ ମାଷ୍ଟର ଟ୍ରେନର ୩୦ ହଜାର ପ୍ରଥମ ଜୀବନ ରକ୍ଷାକାରୀ ବ୍ୟକ୍ତି ବିଶେଷଙ୍କୁ ତାଲିମ ପ୍ରଦାନ କରାଯାଇ ଆଗାମୀ ଦିନରେ ରାସ୍ତାରେ ହେଉଥିବା ଦୁର୍ଘଟଣା ଜନିତ ମୁତ୍ୟୁ ହାର ହ୍ରାସ କରାଯିବାକୁ ଯୋଜନା କରାଯାଇଛି । ଏହି କ୍ରମରେ ସମ୍ବଲପୁର ଜିଲ୍ଲା ପରିଷଦ କନଫରେନସ୍ ହଲ୍ରେ ସମ୍ବଲପୁର, ସୁବର୍ଣ୍ଣପୁର ଓ ବରଗଡ ଜିଲ୍ଲାର ୪୦ ଜଣ ଜୁନିଅର ରେଡକ୍ରସ ଓ ଯୁବ ରେଡକ୍ରସ ପରାମର୍ଶଦାତା ତଥା ଏନଜିଓର ସ୍ୱେଚ୍ଛାସେବୀମାନଙ୍କୁ ୫ ଦିନ ବ୍ୟାପୀ ତାଲିମ ପ୍ରଦାନ କରାଯାଇଛି । ସୁବର୍ଣ୍ଣପୁର ଜିଲ୍ଲାର ଜୁନିଅର ରେଡକ୍ରସ ଅଫିସର ରବିଚନ୍ଦ୍ର ପଶାୟତ, ସାଧନକର୍ମୀ ଚନ୍ଦ୍ରମଣି ବାଘ, ପରାମର୍ଶଦାତା ଆଶିଷ ନାଏକ, ସସ୍ମିତା ସାହୁ, ତପସ୍ୱିନୀ ଦାଶ, ଗୋପେଶ ପଣ୍ଡା, ଚନ୍ଦ୍ର ଶେଖର ମହାପାତ୍ର, ଯୁବରେଡକ୍ରସ ପରାମର୍ଶଦାତା ରୁପବନ୍ତ ପଧାନ, ଆଶୁତୋଷ ହୋତା ପ୍ରମୁଖ ଜୀବନ ସୁରକ୍ଷାକାରୀ କୌଶଳ ଗ୍ରହଣ କରିଛନ୍ତି । ସୁବର୍ଣ୍ଣପୁର ଜିଲ୍ଲା ଆରଟିଓଙ୍କ ତତ୍ୱାବଧାନରେ ସୁବର୍ଣ୍ଣପୁର ଆରଟିଏ ଅଫିସ କନଫେରେନସ୍ ହଲ୍ ଏବଂ ସଂସ୍କୃତି ଭବନର ସଭା ଗୃହରେ ଜାତୀୟ ସ୍ତରୀୟ ମାଷ୍ଟର ଟ୍ରେନର ଆର୍ଟିଓ ରବିନ୍ ପଟ୍ଟନାୟକ, ରଜନୀକାନ୍ତ ମିଶ୍ର ଏବଂ ପ୍ରଦିପ୍ତ ଭଟ୍ଟାଚାର୍ଯ୍ୟଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଉକ୍ତ ୯ ଜଣ ପ୍ରଶିକ୍ଷକ ଅଭ୍ୟାସ ମୂଳକ ଭାବରେ ଜିଲ୍ଲାର ବିଭିନ୍ନ ବ୍ଲାକ ସ୍ପଟ ଅଂଚଳରୁ ଆସିଥିବା ୪୦ ଜଣ ସ୍ୱେଚ୍ଛାସେବୀମାନଙ୍କୁ ରକ୍ଷକ ପ୍ରକଳ୍ପର ଲକ୍ଷ୍ୟ ଓ ଉଦ୍ଦେଶ୍ୟ, ଗୁଡସମରିତାନ, ସୋଲାସିଅମ୍ ଫଣ୍ଡ, ୨୧୨ ଆମାରଜେନ୍ସି ବ୍ୟବହାର କରି ଡାକ୍ତରଙ୍କ ଦ୍ୱାରା ଆହତମାନଙ୍କୁ କିଭଳି ବଂଚାଯାଇ ପାରିବ ସେ ବିଷୟରେ ତାଲିମ ପ୍ରଦାନ କରିଛନ୍ତି । ଜିଲ୍ଲା ପ୍ରଶାସନଙ୍କ ଦ୍ୱାରା ପର୍ଯ୍ୟାୟକ୍ରମେ ଜିଲ୍ଲାର ୧୩ ଗୋଟି ବ୍ଲାକ ସ୍ପଟରେ ବସବାସ କରୁଥିବା ହୋଟେଲ ମାଲିକ, ହୋଟେଲ ବୟ, ଫଳ ଦୋକାନୀ, ପରିବା ବିକାଳୀ, ମେକାନିକ, ଭେରାଇଟିଷ୍ଟୋରର ଷ୍ଟାଫ, ମନ୍ଦିର ପୂଜକ ତଥା ଚା ଦୋକାନୀମାନଙ୍କୁ ଆବଶ୍ୟକୀୟ ତାଲିମ ପ୍ରଦାନ କରାଯାଇ ଆଗାମୀ ବର୍ଷରେ ଦୁର୍ଘଟଣା ଜନିତ ମୃତ୍ୟୁ ହାର ହ୍ରାସ କରିବାକୁ ଲକ୍ଷ୍ୟ ରଖାଯାଇଛି ।