
ଦେଓଗାଁ, (ମନୀଷ କୁମାର ସାହୁ) : ‘ଛେର୍ ଛେର୍ ଛେର୍ ଛେରା, ଇ ଘରର ବୁଢ଼ୀ କାହିଁ ଗଲା…..’ ଆଜି ଭଳି ଦିନରେ ଏଭଳି ଗୀତରେ ଫାଟି ପଡୁଥିଲା ଗ୍ରାମାଞ୍ଚଳ । ଛୋଟରୁ ବଡ ପିଲାମାନେ ବସ୍ତାନି ଓ ବାଡ଼ି ଧରି ଘରକୁ ଘର ଯାଇ ଏହି ଗୀତ ଗାଇ ଚାନ୍ଦା ଆଦାୟ କରି ଭୋଜି ଭାତ କରିଥାନ୍ତି । ହେଲେ ଏବେ ଏଭଳି ପରମ୍ପରା କମିବାରେ ଲାଗିଥିଲେ ବି ଗ୍ରାମାଞ୍ଚଳରେ ଜାରି ରହିଛି । ପୌଷ ପୂର୍ଣ୍ଣିମା କୃଷି ସମ୍ବନ୍ଧିତ ଏକ ସାମାଜିକ ପର୍ବ । ପ୍ରଥମ ପାଚିଲା ଧାନକୁ ନେଇ ନୂଆଁଖାଇ ପାଳିତ ହେଲା ପରେ ଫସଲ ଅମଳ ହେବା ପରେ ପୌଷ ମାସର ପୂର୍ଣ୍ଣିମାକୁ ପୁଷ୍ପୁନି ବା ଛେର୍ଛେରା ଭାବେ ପଶ୍ଚିମ ଓଡ଼ିଶାରେ ଏକ ଗଣପର୍ବ ରୂପେ ପାଳନ କରାଯାଏ । ପୂର୍ଣ୍ଣମୀ ରାତିସାରା ପଶ୍ଚିମ ଓଡ଼ିଶାର ଗାଁ ମାନଙ୍କରେ ନୃତ୍ୟ-ଗୀତର ଆସର ଜମିଥାଏ । ସାଧାରଣତଃ ବିଭିନ୍ନ ଅଞ୍ଚଳରେ ଭିନ୍ନ ଭିନ୍ନ ଢଙ୍ଗରେ ପାଳନ କରାଯାଏ । ଏହି ଦିନ ଗାଁ ଗାଁରେ ଆବାଳ ବୃଦ୍ଧ ବନିତା ଦଳ ଦଳ ହୋଇ ଦ୍ୱାର ଦ୍ୱାର ବୁଲି ବାଡ଼ି ଠକ୍ଠକ୍ କରି ଶବ୍ଦର ତାଳେ ତାଳେ ଗୀତ ଗାଇ ଚାନ୍ଦା ଆଦାୟ କରିଥା’ନ୍ତି । ଗୀତରେ ବାରମ୍ବାର ଛେର୍ଛେରା ଶବ୍ଦ ଉଚ୍ଚାରିତ କରିଥାନ୍ତି । ଛେର୍ ଛେରା ଚାନ୍ଦାରେ ସାର୍ବଜନୀନ ଭୋଜି ଆୟୋଜନ କରାଯାଇଥାଏ । ଏବେ ଆଧୁନିକତାର ଛାପରେ ପୁଷ୍ପୁନି ମହକ ହଜି ଗଲାଣି । ହେଲେ ଏହିଦିନ ଘରେ ଘରେ ଭୋଜି ଭାତି, ପିଠା ମଣ୍ଡାର ଆୟୋଜନ କରି ମଉଜ ମଜଳିସ୍ କରି ଲୋକେ ପରିବାର ସହ ସମୟ ବିତାଇବାକୁ ପସନ୍ଦ କରନ୍ତି ।