jayashree

ଜାତୀୟ ଯୁବ ମହୋତ୍ସବରେ ଆଦିବାସୀ ଲୋକନୃତ୍ୟ ପ୍ରଦର୍ଶିତ କରି ଓଡ଼ିଆ ପୁଅ ପୁରସ୍କୃତ

କଟକ, (କେପିଏନ୍‌ଏସ୍‌) : କର୍ଣ୍ଣାଟକର ହୁବଲୀ ଠାରେ ଜାନୁଆରୀ ୧୨ରୁ ୧୬ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହୋଇଥିବା ୨୬ତମ ଜାତୀୟ ଯୁବ ମହୋତ୍ସବରେ(କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରଣାଳୟ, ଭାରତ ସରକାର) ଯୋଗଦାନ କରି କୁଲିତା ଟୁକୁରା (ଗାନ୍ଧୀ ଟିକିରା)ର ଆଶୀର୍ବାଦ ମହାପାତ୍ର(ଅନୁପ) ତାଙ୍କ ଗାଁ ମାଁ ମାଟି ପାଇଁ ଗୌରବ ଆଣିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାର ଉଦ୍‌ଘାଟନୀ ସଭାରେ ଯୋଗଦାନ କରିବା ସହିତ ଯୁବକମାନଙ୍କୁ ଉଦ୍‌ବୋଧନ ଦେଇଥିଲେ । ଏହି ମହୋତ୍ସବରେ ଭାରତର ସମସ୍ତ ରାଜ୍ୟମାନଙ୍କରୁ ୭୫୦୦ ଜଣ ଯୁବ ପ୍ରତିଯୋଗୀମାନେ ଅଂଶଗ୍ରହଣ କରିଥିଲେ । ଆଶୀର୍ବାଦ ଏଥିରେ ଆଦିବାସୀମାନଙ୍କ ଜୀବନ ଶୈଳୀ ଉପରେ ତାଙ୍କ ଲୋକନୃତ୍ୟ ପ୍ରଦର୍ଶିତ କରି ଖୁବ ପ୍ରଂଶସିତ ହୋଇଥିଲେ । ଏଥି ସହ ସେ ଆର୍ଟିଫିସିଆଲ ରକ କ୍ଲାଇମିଙ୍ଗ ଓ ଏଭିଏସନରେ କୃତିତ୍ୱର ସହ ‘ଏ’ ଗ୍ରେଡ ହାସଲ କରିଥିଲେ । ଜାତୀୟ ସ୍ତରର ପର୍ବତାରୋହୀ ଆଶୀର୍ବାଦ ମାତ୍ର ୧୪ ସେକେଣ୍ଡ ସମୟରେ ତାଙ୍କ ରକ କ୍ଲାଇମିଙ୍ଗ ସମାପନ କରି ନିଜ ଉତ୍ତମ ଅନୁଭବ, କୌଶଳ ତଥା ଦକ୍ଷତାର ପରିଚୟ ଦେଇଥିଲେ । ଏହି ମହୋତ୍ସବ ଅବସରରେ କର୍ଣ୍ଣାଟକର ୩୩ଟି ଭିନ୍ନ ଭିନ୍ନ ସ୍ଥାନରେ ୪,୦୫,୨୫୫ ଜଣ ଯୋଗ କରି ଗ୍ରୀନିଜ ବୁକ୍‌ରେ ସ୍ଥାନ ହାସଲ କରିଥିଲେ । ସୂଚନାଯୋଗ୍ୟ କି, ଆଶୀର୍ବାଦ ମହାପାତ୍ର(ଅନୁପ) ବରଗଡ଼ ନେହେରୁ ଯୁବା କେନ୍ଦ୍ରର ଜଣେ ସଦସ୍ୟ । ଏହି ସଂଗଠନର ଜିଲ୍ଲାଧିକାରୀ ରୋଶନ ଟଣ୍ଡନ, ଉପଦେଷ୍ଟା କମିଟି ମେମ୍ବର ତ୍ରିଲୋଚନ ଶତପଥୀ ଆଶୀର୍ବାଦଙ୍କୁ ଦେଶ ପାଇଁ କିଛି କରିବାକୁ ସଦାସର୍ବଦା ପ୍ରେରଣା ତଥା ସହଯୋଗ ଯୋଗାଇ ଆସୁଛନ୍ତି । ଆଶୀର୍ବାଦ ତାଙ୍କ ସମାଜ ଉପଯୋଗୀ କାର୍ଯ୍ୟ ପାଇଁ ତାଙ୍କ ଗାଁ ଗାନ୍ଧୀ ଟିକିରା ତଥା ତାଙ୍କ କୁଲିତା ଟୁକୁରା ଗ୍ରାମ ପଞ୍ଚାୟତରେ ବେଶ ଜଣାଶୁଣା । ତାଙ୍କ ସଫଳତାରେ ତାଙ୍କ ବାପା ରାମନାରାୟଣ ମହାପାତ୍ର, ମା’ ଦମୟନ୍ତୀ ମହାପାତ୍ର, ଭାଇ ଆଦର୍ଶ ମହାପାତ୍ର, ଅବସରପ୍ରାପ୍ତ ପୂର୍ବତନ ପ୍ରଧାନ ଶିକ୍ଷୟିତ୍ରୀ ଇନ୍ଦିରା ଦେଈ ତଥା ମେଣ୍ଟର, ଲେଖକ ଓ ସମାଜସେବୀ ଅଭିଷେକ ପଣ୍ଡା ମାର୍ଗଦର୍ଶକ ସାଜି ଆସିଛନ୍ତି ।

Leave A Reply

Your email address will not be published.