- ୨୦ଟି କ୍ରୀଡ଼ା ବର୍ଗରେ କ୍ରୀଡ଼ାବିତଙ୍କୁ ୫୬ ଲକ୍ଷ ୯୩ ହାଜର ଟଙ୍କାର ପୁରସ୍କାର ରାଶି
ଭୁବନେଶ୍ୱର : ଆଜି ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ଜାତୀୟ ତଥା ଅନ୍ତର୍ଜାତୀୟ କ୍ରୀଡ଼ାରେ ପଦକ ହାସଲ କରିଥିବା କ୍ରୀଡ଼ାବିତଙ୍କୁ ଅର୍ଥରାଶି ପୁରସ୍କାରରେ ସମ୍ମାନିତ କରାଯାଇଛି । ଏଥିରେ ୨୬୯ ପଦକ ପାଇଁ କୃତ୍ତି କ୍ରୀଡ଼ାବିତଙ୍କୁ ମୋଟ ୫୬ ଲକ୍ଷ ୯୩ ହଜାର ଟଙ୍କାର ପୁରସ୍କାର ରାଶି ପ୍ରାଦନ କରାଯାଇଛି । କଳିଙ୍ଗ ଷ୍ଟାଡ଼ିୟମ ସ୍ଥିତ ଟେନିସ ସେଣ୍ଟର ଅଡ଼ିଟୋରିୟମ୍ ଅନୁଷ୍ଠିତ ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେଇ ହକି ପ୍ରମୋସନ କାଉନସିଲ ଅଫ ଓଡ଼ିଶାର ଅଧ୍ୟକ୍ଷ ପଦ୍ମଶ୍ରୀ ଦିଲ୍ଲୀପ ତିର୍କୀ କ୍ରୀଡ଼ାବିତମାନଙ୍କୁ ଅର୍ଥରାଶି ପୁରସ୍କାର ପ୍ରଦାନ କରିଥିଲେ । ଏଥିରେ ଆଥଲେଟିକ୍ସ, ସ୍ୱିମିଙ୍ଗ, ରଗବୀ, ହକି, ବ୍ୟାଡ଼ମିଣ୍ଟନ, ଟେନିସ, ଭାରତ୍ତୋଳନ, ଭଲିବଲ୍, ବିଚ ଭଲିବଲ୍, ସୁଟିଂ, ଯୋଗାସନ ଏବଂ କରାଟେ ଆଦି ମୋଟ ୨୦ଟି ବର୍ଗରେ ଜାତୀୟ ତଥା ଅନ୍ତର୍ଜାତୀୟ କ୍ରୀଡ଼ାରେ ପଦକ ହାସଲ କରିଥିବା କ୍ରୀଡ଼ାବିତଙ୍କୁ ପୁରସ୍କାର ପ୍ରାଦନ କରାଯାଇଥିଲା । କ୍ରୀଡ଼ାବିତଙ୍କ ମଧ୍ୟରେ ପ୍ରତ୍ୟାଶା ରାୟ ଖେଲୋ ଇଣ୍ଡିଆ ୟୁନିଭରସିଟି ଗେମ ଏବଂ ଅଲ ଇଣ୍ଡିଆ ଇଣ୍ଟର ୟୁନିଭରସିଟି ଚମ୍ପିୟାନସିପରେ ସର୍ବାଧିକ ୧୨ଟି ପଦକ ହାସଲ କରି ମୋଟ ୩ଲକ୍ଷ ୮୨ ହଜାର ଟଙ୍କାର ଅର୍ଥରାଶି ପୁରସ୍କାର ପାଇଛନ୍ତି । ଏଠାରେ ସୂଚନା ଯୋଗ୍ୟ କି ରାଜ୍ୟ ସରକାର କ୍ରୀଡ଼ା ଓ କ୍ରୀଡ଼ାବିତଙ୍କ ଉନ୍ନତି ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି । ବିଭିନ୍ନ କ୍ରୀଡ଼ାରେ ପଦକ ବିଜେତାଙ୍କୁ ଅର୍ଥରାଶି ପୁରସ୍କାର ଏହାର ଅଂଶ ବିଶେଷ । ୫-ଟି ମନ୍ତ୍ରର ସଠିକ ଅନୁପାଳନ ସହ ପଦକ ବିଜେତାଙ୍କୁ ତତକ୍ଷଣାତ ଅର୍ଥ ପୁରସ୍କାର ପ୍ରଦାନକୁ କ୍ରୀଡ଼ା ଓ ଯୁବସେବା ବିଭାଗ ପାଳନ କରି ଆସିଛି । ଆଜିର ପୁରସ୍କାର ବିତରଣ ଉତ୍ସବରେ କ୍ରୀଡ଼ା ନିର୍ଦେଶକ ସିଦ୍ଧାର୍ଥ ଦାସ, ହକି ପ୍ରମୋସନ କାଉନସିଲ ଅଫ ଓଡ଼ିଶାର ସିଇଓ ଦୀପଙ୍କର ମହାପାତ୍ର ଏବଂ ଓଏସ୍ଡ଼ି ସିଦ୍ଧାର୍ଥ ଶଙ୍କର ସାହୁଙ୍କ ସମେତ ବିଭାଗୀୟ ଅଧିକାରୀ, କୋଚ ଏବଂ କ୍ରୀଡ଼ାବିତମାନେ ଉପସ୍ଥିତ ଥିଲେ ।