ପୁଣି ଚାଷୀଙ୍କ ଆତ୍ମହତ୍ୟା ଉଦ୍ୟମ

ନୂଆପଡା : ପୁଣି ଜଣେ ଚାଷୀ ଆତ୍ମହତ୍ୟା ଉଦ୍ୟମ କରିଛ‌ନ୍ତି । ଏମିତି ଏକ ଘଟଣା ନୂଆପଡା ଜିଲ୍ଲା ସିନାପାଲି ଥାନା ଧିଙ୍ଗିଆମୁଣ୍ଡା ଗାଁରେ ଘଟିଛି ବୋଲି ଖବର ମଳିଛି । ରୋମାଚନ ଦଣ୍ଡସେନା ନାମକ ଜଣେ ଚାଷୀ ଖରିଫ ଋତୁରେ ତିନି ଏକର ଧାନ ଚାଷ କରିଥିବା ବେଳେ ସ୍ଥାନୀୟ କେନ୍ଦୁମୁଣ୍ଡା ମଣ୍ଡିରେ ଜାନୁଆରୀ ୧୭ ତାରିଖରେ ୮୪ ପ୍ୟାକେଟ୍ ଧାନ ପକାଇଥିଲେ । ବିଭିନ୍ନ ବାହାନାରେ ମଣ୍ଡିରୁ ଧାନ ଉଠି ପାରି ନଥିଲା । ଫେବୃଆରୀ ୧୭ ତାରିଖରେ ଟୋକନ ଅବଧି ଶେଷ ହୋଇ ଯାଇଥିଲା । ଅନ୍ୟପଟେ ରବି ଋତୁ ପାଇଁ ଉଠା ଜଳସେଚନ ମାଧ୍ୟମରେ ପୁଣି ଧାନ ଚାଷ ଆରମ୍ଭ କରିଥିବା ବେଳେ ଟଙ୍କା ଅଭାବରୁ ବିଦ୍ୟୁତ ବିଲ୍ ପୈଠ କରି ପାରିନଥିଲେ । ଫଳରେ ରବି ଋତୁର ଧାନ ମଧ୍ୟ କିଛି ନଷ୍ଟ ହୋଇଯାଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକ । ତେବେ ଶୁକ୍ରବାର ନିଜ ଚାଷ ଜମିରେ ପଡି ଛଟପଟ ହେଉଥିବା ଖବର ପାଇ ପରିବାରଲୋକ ପ୍ରଥମେ ତାଙ୍କୁ ସେଠାରୁ ଉଦ୍ଧାର କରିବା ସହ ପ୍ରଥମେ ସିନାପାଲି ଓ ପରେ ଖଡିଆଳ ଏବଂ ଏବେ ନୂଆପଡା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରି ଚିକିତ୍ସା କରାଯାଉଛି । ବର୍ତ୍ତମାନ ତାଙ୍କର ‌ସ୍ୱାସ୍ଥ୍ୟାବସ୍ଥା ସମ୍ପୂର୍ଣ୍ଣ ଠିକ୍ ରହିଥିବା ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ପ୍ରକାଶ କରିଛନ୍ତି । ମାନସିକ ଚିନ୍ତାଗ୍ରସ୍ତ ହୋଇ ଯୁବଚାଷୀ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିବା ପରିବାର ଲୋକେ ଅଭିଯୋଗ ଆଣିଥିବା ବେଳେ ତାଙ୍କର ଲାଭା ସାମ୍ପୁଲ ପରୀକ୍ଷା ନିମନ୍ତେ ବୁର୍ଲା ପଠାଯାଇଛି । ରିପୋର୍ଟ ଆସିଲା ପରେ ସେ କଣ ପିଇଥିଲେ ତାହା ଜଣା ପଡିବ ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ କହିଛନ୍ତି ।

Leave A Reply

Your email address will not be published.