ପ୍ରେମ ବିବାହ ହେଲା କାଳ : ୧୨ ଘଣ୍ଟା ପଡ଼ି ରହିଲା ଶବ

  • ଶବ ସତ୍କାର କଲା ବଲାଙ୍ଗିର ସ୍ୱେଚ୍ଛାସେବୀ ସଙ୍ଗଠନ

ଲୋଇସିଂହା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଲୋଇସିଂହା ବ୍ଲକ ଅନ୍ତର୍ଗତ ସରଗାଡ ଗ୍ରାମରେ ଜଣେ ବୃଦ୍ଧା ଅନ୍ୟ ଜାତିରେ ବିବାହ କରିଥିବାରୁ ବାସନ୍ଦ ଜୀବନ ଜିଇଁ ଆସୁଥିଲେ । ଗତ ସନ୍ଧ୍ୟାରେ ତାଙ୍କର ପରିଣତ ବୟସରେ ମୃତ୍ୟୁ ହୋଇଥିବା ବେଳେ ମଧ୍ୟ ତାଙ୍କ ଏକ ମାତ୍ର ପୁଅ କିମ୍ବା ଗ୍ରାମବାସୀ ପାଖ ମାଡ଼ି ନାହାନ୍ତି । ସେପଟେ ୧୨ ଘଣ୍ଟା ଶବ ଘରେ ଅସହାୟ ଭାବରେ ପଡ଼ି ରହିବା ପରେ ଆଜି ବଲାଙ୍ଗିର ସ୍ଵେଚ୍ଛାସେବୀ ସଂଗଠନ ତାର ଶବ ସତ୍କାର କରିଛି । ସୂଚନା ଅନୁସାରେ ସରଗାଡ ଗ୍ରାମର ମହିଳା ପ୍ରତିମା ବିଶ୍ଵାଲ ଗାଁର ଜଣେ ଅନ୍ୟଜାତିର ଯୁବକଙ୍କୁ ପ୍ରେମ ବିବାହ କରିଥିଲେ । ଯାହାପରେ ତାଙ୍କୁ ବାସନ୍ଦ ଜୀବନ କାଟିବାକୁ ପଡିଥିଲା । ୨୦ ବର୍ଷ ପୂର୍ବେ ଏହି ମହିଳାଙ୍କ ସ୍ଵାମୀଙ୍କ ମୃତ୍ୟୁ ହୋଇଥିଲା । ତେବେ ତାଙ୍କର ଏକମାତ୍ର ପୁଅ ମଧ୍ୟ ତାଙ୍କୁ ବୃଦ୍ଧା ଅବସ୍ଥାରେ ଛାଡି ଦେଇଥିଲେ । ତେବେ ବୃଦ୍ଧା ଜଣକ ତାଙ୍କ ଜଣେ ସମ୍ପର୍କୀୟ ଚୈତନ୍ୟ ପ୍ରଧାନଙ୍କ ଘରେ ରହି ଆସୁଥିଲେ । ସେପଟେ ଏହି ମହିଳାଙ୍କର ବୃଦ୍ଧା ଅବସ୍ଥାରେ ଗତକାଲି ସନ୍ଧ୍ୟାରେ ମୃତ୍ୟୁ ହୋଇଥିଲା । ତେବେ ମୃତ୍ୟୁ ପରେ ମଧ୍ୟ ତାଙ୍କ ପୁଅ କିମ୍ବା ଗ୍ରାମବାସୀ ତଥା ପାଖ ପଡୋଶୀ କେହି ସାହା ହୋଇ ନ ଥିଲେ । ସେପଟେ ବୃଦ୍ଧାଙ୍କ ଶବ ଦୀର୍ଘ ବାର ଘଣ୍ଟା ଅସହାୟ ଅବସ୍ଥାରେ ପଡ଼ି ରହି ଥିଲା । ତେବେ ଏହାର ସୂଚନା ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନ ପାଇବା ପରେ ସଂଗଠନର ସଦସ୍ୟମାନେ ସଂପୃକ୍ତ ଗାଁକୁ ଯାଇଥିଲେ ଏବଂ ଶବକୁ ଉଦ୍ଧାର କରି ହିନ୍ଦୁ ରୀତିନୀତିରେ ସମ୍ମାନର ସହ ଚାରି କାନ୍ଧ ଦେଇଥିଲେ । ସେହିପରି ଶବକୁ ସ୍ଥାନୀୟ ଶ୍ମଶାନ ଘାଟକୁ ନେଇ ଶବ ସତ୍କାର କରିଛନ୍ତି । ଏହି ଅବସରରେ ସୁମିତ ମିଶ୍ର , ସନ୍ତୋଷ ପଟ୍ଟନାୟକ, ଲିଙ୍କନ ସେଠ୍, ରବୀନ୍ଦ୍ର ପଧାନ, ରାଜୀବ ପରମାନିକ୍, ଏମ. ଡି ବାବଲୁ, ଆଲୋକ ପଟେଲ, ପିଙ୍କୁ ପୁଟେଲ, ସୁବାସ ଯାଦବ, ଜିତୁ ସାହୁ, ତନ୍ମୟ ପଟେଲ ପ୍ରମୁଖ ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନର ସଦସ୍ୟ ଉପସ୍ଥିତ ରହି ସହଯୋଗ କରିଥିଲେ । ଏବେ ପ୍ରଶ୍ନ ଉଠୁଛି ଭାରତ ସ୍ୱାଧୀନ ହେବାର ୭୫ ବର୍ଷ ବିତିଥିଲେ ମଧ୍ୟ ଆମ ବଲାଙ୍ଗିର ଭଳି ପଛୁଆ ଜିଲ୍ଲାରେ ଏଭଳି ମାନସିକତା ଚିନ୍ତାର ବିଷୟ ବୋଲି ସେ କହିଛନ୍ତି । ତେବେ ଏହି ଅସହାୟ ଶବକୁ ସେମାନେ ସମ୍ମାନର ସହ ଶବ ସତ୍କାର କରିଥିବାର ସେ କହିଛନ୍ତି । ଆଜିର ଯୁଗରେ ପ୍ରେମ ବିବାହ ସାଧାରଣ ହୋଇଥିବା ବେଳେ କେବଳ ଜାତି ପ୍ରଥାକୁ ନେଇ ନିଜ ଆତ୍ମୀୟଙ୍କ ପ୍ରତି ଏଭଳି ଅଭିଚାର କରିବାକୁ ବେଚ୍ଛାସେବୀମାନେ ନିନ୍ଦା କରିଛନ୍ତି । ସେମାନେ ଏହି ଦିଗରେ ଲୋକଙ୍କୁ ସଚେତନ କରୁଥିବା ବେଳେ ସରକାର ଓ ପ୍ରଶାସନ ମଧ୍ୟ ଏଭଳି ସଚେତନ କାର୍ଯ୍ୟକ୍ରମ ହାତକୁ ନେଉ ବୋଲି କହିଛନ୍ତି ।

Leave A Reply

Your email address will not be published.