
ବ୍ରହ୍ମପୁର, (କେପିଏନ୍ଏସ୍) : ଟାଟା ପାୱାର ଆସିକା ଅଧିକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ ପଦୋନ୍ନତିରେ ଅନିୟମିତତା ପ୍ରତିବାଦରେ ଓଏସଇବି ଶ୍ରମିକ ମହାସଂଘ ପକ୍ଷରୁ ଆନ୍ଦୋଳନ କରିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଏହି ସମ୍ପର୍କରେ ବୁଧବାର ଏକ ବୈଠକ ସ୍ଥାନୀୟ ନବୀନ ଭବନ ପରିସରରେ ସଂଗଠନର ବରିଷ୍ଠ ଉପଦେଷ୍ଟା ତଥା ସାମ୍ବାଦିକ ରବି ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ବୈଠକରେ ସଂଘର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରାଯାଇଥିଲା । ସେହିପରି କ୍ରମାଗତ ଭାବେ ଆସିକା ସର୍କଲରେ ହେଉଥିବା ପଦୋନ୍ନତିରେ ଅନିୟମିତତା ସମ୍ପର୍କରେ ସଂଘ ପକ୍ଷରୁ ବିଭାଗୀୟ କର୍ତ୍ତୃପକ୍ଷ ଓ ଶ୍ରମ ବିଭାଗକୁ ବାରମ୍ବାର ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ ଆସିକା ସର୍କଲର ଅଧିକ୍ଷଣ ଯନ୍ତ୍ରୀ ସମସ୍ତ ନିୟମକୁ ଉଲଂଘନ କରି ମନଇଚ୍ଛା ପଦୋନ୍ନତି ଓ ବଦଳି କରୁଥିବା ଘଟଣା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି କୁହାଯାଇଥିଲା । ସଂଘର ଅଭିଯୋଗକୁ ବିଭାଗୀୟ କର୍ତ୍ତୃପକ୍ଷ ଆଦୌ ଦୃଷ୍ଟି ଦେଉନଥିବାରୁ ଆଗାମୀ ଦିନରେ ଜୋରଦାର ଆନ୍ଦୋଳନ କରାଯିବ ବୋଲି ସଂଗଠନର ସାଧାରଣ ସମ୍ପାଦକ ଜଗନ୍ନାଥ ମହାରଣା, କାର୍ଯ୍ୟକାରୀ ସଭାପତି ଏନ. ଭାସ୍କର ରାଓ ଚେତାବନୀ ଦେଇଛନ୍ତି । ଏ ସମ୍ପର୍କରେ ସଂଘ ପକ୍ଷରୁ ବିଭାଗୀୟ ମନ୍ତ୍ରୀ, ସିଏମଡି ଗ୍ରୀଡ଼କୋ, ଓଇଆରସି ଚେୟାରମ୍ୟାନ, ମୁଖ୍ୟ ଶାସନ ସଚିବ, ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ଟିପିଏସଓଡିଏଲ)ଙ୍କ ଦୃଷ୍ଟି ଆକର୍ଷଣ କରାଯିବା ପାଇଁ ସଂଘ ପକ୍ଷରୁ ପ୍ରସ୍ତାବ ଗ୍ରହଣ କରାଯାଇଛି । ଅନ୍ୟମାନଙ୍କ ମଧ୍ୟରେ ସଂଘ କର୍ମକର୍ତ୍ତା ପ୍ରମୋଦ କୁମାର ଦାଶ, ସଦାନନ୍ଦ ଚୌଧୁରୀ, ଅଜିତ କୁମାର ପାତ୍ର, ମାନସ ରଞ୍ଜନ ବିଶ୍ୱାଳ, ଚନ୍ଦନ ଶତପଥୀ, ସମୀର କୁମାର ନାୟକ, କାଳୀ ପ୍ରସାଦ ମହାପାତ୍ର, ବସନ୍ତ କୁମାର ପାଣିଗ୍ରାହୀ, ଦ୍ୟୁତିକୃଷ୍ଣ ବିଶ୍ୱାଳ, ଟୁକୁନା କୁମାର ବିଷୋୟୀ, ପ୍ରଦୀପ କୁମାର ପାତ୍ର, ପ୍ରଶାନ୍ତ କୁମାର ମୁନି, ସନ୍ତୋଷ କୁମାର ପଣ୍ଡା ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରି ବିଭାଗୀୟ କର୍ତ୍ତୃପକ୍ଷଙ୍କ ବୈମାତୃକ ମନୋଭାବର ତୀବ୍ର ସମାଲୋଚନା କରିଥିଲେ ।