oum

ପାତାଳି ଶ୍ରୀକ୍ଷେତ୍ର ଠାରେ ଶ୍ରୀ ଜୀଉଙ୍କ ରଥଯାତ୍ରାକୁ ଶାନ୍ତି ଶୃଙ୍ଖଳା ସହ ଅନୁଷ୍ଠିତ କରିବା ନିମନ୍ତେ ପ୍ରସ୍ତୁତି ବୈଠକ

jsm

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ପାତାଳି ଶ୍ରୀକ୍ଷେତ୍ର ଠାରେ ଶ୍ରୀ ଜୀଉଙ୍କ ରଥଯାତ୍ରାକୁ ଶାନ୍ତି ଶୃଙ୍ଖଳା ସହ ପାଳନ କରିବା ନିମନ୍ତେ ଉପଜିଲ୍ଲାପାଳ ବୀରମହାରାଜପୁର ଲଲାଟେନ୍ଦୁ ସିଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଐତିହାସିକ ତଥା ପୌରାଣିକ ପୃଷ୍ଠଭୂମି ସହ ଜଡିତ ଏହି ପବିତ୍ର ପାବନ ପାତାଳି ଶ୍ରୀକ୍ଷେତ୍ର ସ୍ଥିତ ଶ୍ରୀ ଜୀଉଙ୍କ ରଥଯାତ୍ରା ଆସନ୍ତା ମାସ ୦୭ ତାରିଖରେ ଅନୁଷ୍ଠିତ ହେବ । ଏହି ପରିପ୍ରେକ୍ଷୀରେ ଭୋର ୫ଟାରେ ନେତ୍ରୋତ୍ସବ ଓ ପ୍ରତିଷ୍ଠା କାର୍ଯ୍ୟକ୍ରମ, ସକାଳ ୮ଟାରେ ଠାକୁରଙ୍କୁ ବେଶ ଲାଗି, ସକାଳ ୯ଟାରେ ଖେଚୁଡ଼ି ଭୋଗ ଓ ପୁଜା ନୀତି, ପୂର୍ବାହ୍ନ ୧୧ଟାରେ ପହଣ୍ଡି ଆରମ୍ଭ ହୋଇ ଅପରାହ୍ନ ୧ଟାରେ ଛେରା ପହରା ଏବଂ ଅପରାହ୍ନ ୨ ଟା ସମୟରେ ରଥ ଟଣା ହେବ । ଚଳିତ ବର୍ଷ ଜନସମାଗମକୁ ଦୃଷ୍ଟିରେ ରଖି ଜୀଉଙ୍କ ରଥଯାତ୍ରାକୁ ଶାନ୍ତି ଶୃଙ୍ଖଳା ତଥା ସମସ୍ତଙ୍କ ସହଯୋଗରେ ପାଳନ କରିବା ଉପରେ ବିଶେଷ ଆଲୋଚନା ପର୍ଯ୍ୟାଲୋଚନା କରାଯାଇଥିଲା । ଉପଜିଲ୍ଲାପାଳ ତଥା ଦେବୋତ୍ତର ଅଧିକାରୀ ବୀରମହାରାଜପୁର ବୈଠକ ପ୍ରାରମ୍ଭରେ ସମସ୍ତଙ୍କୁ ସ୍ୱାଗତ କରିବା ସହିତ ଚଳିତ ରଥଯାତ୍ରାକୁ ଯେପରି ସରସ ସୁନ୍ଦର ତଥା ବ୍ୟବସ୍ଥିତ ଭାବରେ ଅନୁଷ୍ଠିତ କରାଯାଇପାରିବ ସେଥିପାଇଁ ଉପସ୍ଥିତ ସମସ୍ତ ଟ୍ରଷ୍ଟ କମିଟି ସଦସ୍ୟ, ବିଭିନ୍ନ ବିଭାଗୀୟ ଅଧିକାରୀ, ସେବାୟତ, ବୁଦ୍ଧିଜୀବୀଙ୍କ ମତାମତ ଆହ୍ୱାନ କରିଥିଲେ । ଏହି ପରିପ୍ରେକ୍ଷୀରେ ଶ୍ରୀ ଜୀଉଙ୍କ ରଥର ସ୍ଥିତି ଉପରେ ଆଲୋଚନା ହୋଇଥିବା ବେଳେ ରଥଯାତ୍ରା ଠାରୁ ବାହୁଡା଼ ଯାତ୍ରା ପର୍ଯ୍ୟନ୍ତ ଠାକୁରଙ୍କ ବିଭିନ୍ନ ନୀତିକାନ୍ତି ସହ ସମୟ ନିର୍ଘଣ୍ଟ ଉପରେ ବୈଠକରେ ଆଲୋଚନା କରାଯାଇଥିଲା । ସମୟ ପୂର୍ବରୁ ସମସ୍ତ ରଥର ପ୍ରସ୍ତୁତିକୁ ସୁନିଶ୍ଚିତ କରାଯିବ ଉପରେ ନିଷ୍ପତି ଗ୍ରହଣ କରାଗଲା । ରଥର ଆବଶ୍ୟକ ମରାମତି ନିମନ୍ତେ ବନବିଭାଗ ଆବଶ୍ୟକ ସହଯୋଗ କରିବାକୁ ବୈଠକରେ ଗୁରୁତ୍ୱାରୋପ କରାଯାଇଛି । ରଥଯାତ୍ରା ଦିନ ସହ ଅନ୍ୟାନ୍ୟ ଦିନଗୁଡ଼ିକରେ ଜନସମାଗମକୁ ଦୃଷ୍ଟିରେ ରଖି ଆବଶ୍ୟକ ଗାଡି ପାର୍କିଙ୍ଗ ସ୍ଥାନ ନିରୂପଣ, ଜରୁରୀ ସ୍ୱାସ୍ଥ୍ୟ ସେବା ନିମନ୍ତେ ଅସ୍ଥାୟୀ ସ୍ୱାସ୍ଥ୍ୟ ସେବାକେନ୍ଦ୍ର ସହ ଅମୁଲେନ୍ସର ବ୍ୟବସ୍ଥା, ଅଗ୍ନିସମ ସେବା ଉପଲବ୍ଧ, ପାନୀୟ ଜଳ ବ୍ୟବସ୍ଥା ସହ ଆଇନ ଶୃଙ୍ଖଳାକୁ ସୁନିଶ୍ଚିତ କରିବାକୁ ଅଧ୍ୟକ୍ଷ ସମ୍ପୃକ୍ତ ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି । ଟ୍ରାଫିକ ସମସ୍ୟା ଦିଗରେ ବିଶେଷ ଯତ୍ନବାନ ହେବାକୁ ପୋଲିସ ବିଭାଗକୁ ବୈଠକରେ ଅନୁରୋଧ କରାଯାଇଛି । ଜନସାଧାରଣ ତଥା ଭକ୍ତ, ଶ୍ରଦ୍ଧାଳୁଙ୍କ ସୁବିଧା ଓ ଅବାଧ ଚଳପ୍ରଚଳ ନିମନ୍ତେ ବିଶେଷ ବ୍ୟବସ୍ଥା ସ୍ୱରୂପ ମୁଖ୍ୟ ପ୍ରବେଶ ଦ୍ୱାରରୁ ସମସ୍ତ ଯାନ ବାହନ ନିୟନ୍ତ୍ରଣ କରାଯିବ । ଯାତ୍ରୀଙ୍କ ସୁବିଧା ଦୃଷ୍ଟିରୁ ସମସ୍ତ ଚାରି ଚକିଆ ଯାନ ଡାକ୍ତରଖାନା ପାଖ ଖେଳ ପଡିଆରେ ରହିବ । ସେହିପରି ଦୁଇ ଚକିଆ ଯାନ ଉଲୁଣ୍ଡା ରାସ୍ତା ବାଏ ପାସ୍ ଦେଇ ନିର୍ଦ୍ଧାରିତ ପାର୍କିଙ୍ଗ ସ୍ଥାନରେ ରହିବ । ପୁନଶ୍ଚ ରାସ୍ତା ସହ ଯାତ୍ରା ପଡିଆ, ମନ୍ଦିର ସଂଲଗ୍ନ ଅଞ୍ଚଳରେ ପରିମଳ ବ୍ୟବସ୍ଥାକୁ ନିଶ୍ଚିତ କରିବାକୁ ବୈଠକରେ ଗୁରୁତ୍ୱାରୋପ କରାଯାଇଛି । ରଥଯାତ୍ରା ଦିନ ଠାରୁ ବାହୁଡା଼ ଦିନ ପର୍ଯ୍ୟନ୍ତ ପ୍ରତ୍ୟକ ଶ୍ରୀଜୀଉଙ୍କ ଦଶ ଅବତାର ବେଶ ଲାଗି ଅନୁଷ୍ଠିତ ହେବ । ରଥଯାତ୍ରା ନିମନ୍ତେ ବିଶେଷ ନିୟୋଗୀ ବୃନ୍ଦ ନିଜ ନିଜର ଦାୟିତ୍ୱକୁ ସୁସମ୍ପାଦନ କରିବାକୁ ବୈଠକରେ ଅନୁରୋଧ କରାଯାଇଛି । ରଥଯାତ୍ରା ପୂର୍ବରୁ ମନ୍ଦିର ଗୁଡିକରେ ଆବଶ୍ୟକ ରଙ୍ଗ ଲଗାଇବା ସହ ମରାମତି ପ୍ରଭୁତି କାର୍ଯ୍ୟକୁ ନିଶ୍ଚିତ କରିବା ଉପରେ ଆଲୋଚନା ହୋଇଥିଲା । ରଥଯାତ୍ରା ଓ ବାହୁଡା଼ ଦିନ ସହ ଅନ୍ୟାନ୍ୟ ନୀତିକାନ୍ତି ଦିନଗୁଡ଼ିକରେ ଶାନ୍ତି ଶୃଙ୍ଖଳା, ଆଲୋକୀକରଣ, ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଶ୍ରୀ ଜୀଉଙ୍କ ନୀତି କାନ୍ତିକୁ ବିଧି ମୁତାବକ ସମ୍ପାଦନ କରିବା ଉପରେ ବିଭିନ୍ନ ସମ୍ପୃକ୍ତ ଅଧିକାରୀ, ସେବାୟତ ମୁଖ୍ୟ, ପୂଜକ ତଥା କମିଟି ସଦସ୍ୟ, ସଦସ୍ୟା ପ୍ରଭୁତି ନିଜ ନିଜର ଦାୟିତ୍ୱକୁ ସୁସମ୍ପାଦନ କରିବାକୁ ବୈଠକରେ ଗୁରୁତ୍ୱାରୋପ କରାଯାଇଛି । ଏହି ବୈଠକରେ ବୀରମହାରାଜପୁର ଉପଖଣ୍ଡ ଆରକ୍ଷୀ ଅଧିକାରୀ ବାସୁଦେବ ଛତ୍ରିଆ, ସ୍ୱାସ୍ଥ୍ୟ ଅଧିକାରୀ ଉଲୁଣ୍ଡା ସିଏଚ୍‌ସି ଡ. ମୁକେଶ କୁମାର ମେହେର,ଏସିଏଫ୍‌. ଅଭିନାଶ ବରିହା, ରେଞ୍ଜ ଅଫିସର ଫରେଷ୍ଟ ସଂଜୀବ କୁମାର ରାଉତ ଓ ଆଇସି ଉଲୁଣ୍ଡା ଫାୟାର ଷ୍ଟେସନ୍‌ ସୁବାସ ଦେହୁରୀ, ତହସିଲଦାର ଉଲୁଣ୍ଡା ପ୍ରଶାନ୍ତ କୁମାର ମହାରଣା, ବିଡିଓ ଉଲୁଣ୍ଡା କରିସ୍ମା ବେସ୍ରା, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଶ୍ୱିନୀ କୁମାର ଭୋଇ, ଜିଲ୍ଲା ସଂସ୍କୃତି ଅଧିକାରୀ ଯମୁନା ପ୍ରଧାନ, ପାତାଳି ଟ୍ରଷ୍ଟ ସମ୍ପାଦକ ଉତ୍ତର କୁମାର ପାତ୍ର, ଟ୍ରଷ୍ଟି ସଦସ୍ୟ ପୂର୍ଣଚନ୍ଦ୍ର ପାଢ଼ୀ, ଜଗଦୀଶ କର୍ଣ୍ଣ, ଅନ୍ୟାନ୍ୟ ଟ୍ରଷ୍ଟ ସଦସ୍ୟ ଓ ରଥଯାତ୍ରା କମିଟିର ସଦସ୍ୟ, ସଦସ୍ୟା, ଛତିଶ ନିୟୋଗ ସେବାୟତ ମୁଖ୍ୟ, ପୂଜକ ସମାଜ, ବୁଦ୍ଧିଜୀବୀ ତଥା ସମ୍ପୃକ୍ତ ବିଭିନ୍ନ ଅଧିକାରୀ, ଅନୁଷ୍ଠାନର କର୍ମକର୍ତ୍ତା ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ଟ୍ରଷ୍ଟି ସଦସ୍ୟ ଶ୍ରୀ ପାଢ଼ୀ ବୈଠକ ପରିଚାଳନା ସହ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.