oum

ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ପାଇଁ ପ୍ରସ୍ତୁତି ବୈଠକ

jsm

ବୌଦ୍ଧ, (ଜୟାନନ୍ଦ ମିଶ୍ର) : ବୌଦ୍ଧ ଜିଲ୍ଲାରେ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ସମ୍ଭାବ୍ୟ ପରିସ୍ଥିତିର ମୁକାବିଲା ପାଇଁ ଏକ ପ୍ରସ୍ତୁତି ବୈଠକ ଗୁରୁବାର ଦିନ ଜିଲ୍ଲାପାଳ ଜେ. ସୋନାଲଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦଭାବନା ସଭାଗୃହଠାରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ବୌଦ୍ଧ ବିଧାୟକ ସରୋଜ କୁମାର ପ୍ରଧାନ ଓ କଣ୍ଟାମାଳ ବିଧାୟକ କହ୍ନାଇଁ ଚରଣ ଡାଙ୍ଗ ଯୋଗଦେଇ ଜିଲାକୁ ବନ୍ୟା ଦାଉରୁ ରକ୍ଷା କରିବାକୁ ପ୍ରଶାସନ ତତ୍ପର ଭାବରେ ସମସ୍ତ ପଦକ୍ଷେପ ନେବାକୁ ପରାମର୍ଶ ଦେଇଥିଲେ । ବନ୍ୟାଜନିତ ସମ୍ଭାବ୍ୟ ପ୍ରାକୃତିକ ବିପର୍ଯ୍ୟୟକୁ ଦୃଷ୍ଟିରେ ରଖି ବିଭିନ୍ନ ବିଭାଗ ପକ୍ଷରୁ ହୋଇଥିବା ପ୍ରସ୍ତୁତି ସଂପର୍କରେ ଜିଲ୍ଲାପାଳ ସମୀକ୍ଷା କରିବା ସହ ସମସ୍ତ ବିଭାଗକୁ ସତର୍କ ରହିବାକୁ ପରାମର୍ଶ ଦେଇଥିଲେ । ବିଜ୍ଞାପିତ ଅଞ୍ଚଳ ପରିଷଦର ନିର୍ବାହୀ ଅଧିକାରୀ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ତହସିଲଦାରମାନେ ସମସ୍ତ ବନ୍ୟା ଆଶ୍ରୟସ୍ଥଳୀ ଗୁଡିକର ସ୍ଥିତି ସଂପର୍କରେ ଅନୁଧ୍ୟାନ କରିବା ସହିତ ସମସ୍ତ ସ୍ଥାନରେ ଖାଦ୍ୟ ପଦାର୍ଥ ମହଜୁଦ ରଖିବାକୁ ଯୋଗାଣ ବିଭାଗକୁ ଜିଲାପାଳ ନିର୍ଦ୍ଦେଶ ଦେଇଥିଲେ । ସଂପୃକ୍ତ ଅଧିକାରୀମାନଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ସମସ୍ତ ପ୍ରସ୍ତୁତି କାର୍ଯ୍ୟ କରାଯିବ ବୋଲି ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ବନ୍ୟା ଆଶ୍ରୟସ୍ଥଳୀ ଗୁଡିକର ଆବଶ୍ୟକୀୟ ମରାମତି, ପାନୀୟଜଳ ସମସ୍ୟା, ଶୌଚାଳୟ, ପରିଷ୍କାର ପରିଛନ୍ନତା ତୁରନ୍ତ ସମାଧାନ କରିବାକୁ ପୁର୍ତବିଭାଗ, ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗ ଓ ବ୍ଲକ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ଗୋଷ୍ଠୀ ଉନ୍ନୟନ ଅଧିକାରୀମାନେ ନିଜ ଅଞ୍ଚଳରେ ଥିବା ବନ୍ୟା ଆଶ୍ରୟସ୍ଥଳୀଗୁଡିକର ସ୍ଥିତି ଅନୁଧ୍ୟାନ କରି ସମସ୍ୟା ସଂପର୍କରେ ଜଣାଇବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ସେହିପରି ସହରର ଡ୍ରେନେଜ ବ୍ୟବସ୍ଥା ସନ୍ତୋଷଜନକ ନଥିବାରୁ ଏ ସଂପର୍କରେ ଅନୁଧ୍ୟାନ କରି ତୁରନ୍ତ ପଦକ୍ଷେପ ଗ୍ରହଣ କରାଯିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଏନ୍‌ଏସି ପକ୍ଷରୁ ପାୱାରବୋଟ୍ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଏହାବ୍ୟତୀତ ସମ୍ଭାବ୍ୟ ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ବିଭିନ୍ନ ବିଭାଗର ପ୍ରସ୍ତୁତି ନେଇ ସମୀକ୍ଷା କରାଯାଇ ନଦୀକୂଳ, ଆଡିବନ୍ଧ ଓ କେନାଲ ଗୁଡିକର ସୂରକ୍ଷା ସହିତ ବର୍ଷାର ପରିମାଣ ଓ ନଦୀପାଣିର ଗତି ରେକର୍ଡ କରାଯିବା, ବନ୍ୟା ସମୟରେ ଯୋଗାଯୋଗକୁ ଗୁରୁତ୍ୱ ଦିଆଯିବା ସହିତ ସଠିକ୍ ରୋଡମେପ୍ ତିଆରି କରିବା, ବନ୍ୟାଞ୍ଚଳ ଗୁଡିକୁ ଚିହ୍ନଟ କରିବା, ପାଣିପାଗ ସଂପର୍କରେ ଆଗୁଆ ସୂଚନା ସଂଗ୍ରହ କରିବା, ବନ୍ୟା ଚିହ୍ନଟ ଗ୍ରାମ ନିକଟରେ ଉଦ୍ଧାର ଏବଂ ରିଲିଫ କାର୍ଯ୍ୟ ପାଇଁ ପାୱାର ବୋଟ୍ ଓ ଦେଶୀଡଙ୍ଗା ବ୍ୟବସ୍ଥା କରାଯିବା, ଯୋଗାଯୋଗ ପାଇଁ ପୋଲିସ ପକ୍ଷରୁ ଓୟାରଲେସ ସେବା ସୁବିଧା ଉପଲବ୍ଧ କରାଇବା, ବନ୍ୟା ଆଶ୍ରୟସ୍ଥଳୀ ଗୁଡିକରେ ଆଗୁଆ ଶୁଖିଲା ଖାଦ୍ୟ, ଚାଉଳ, ଡାଲି, କିରୋସିନୀ ଆଦି ମହଜୁଦ ରଖାଯିବା, ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମୋବାଇଲ ହେଲଥ୍‌ ଟିମ୍ ସହିତ ସମସ୍ତ ଚିକିତ୍ସାଳୟରେ ଆବଶ୍ୟକୀୟ ଜରୁରୀ ଔଷଧ ମହଜୁଦ ରଖାଯିବା ଏବଂ ଗୃହପାଳିତ ପଶୁମାନଙ୍କ ପାଇଁ ଖାଦ୍ୟ ଓ ଔଷଧ ଆଦି ମହଜୁଦ ରଖିବା ଓ ସହରର ଡ୍ରେନେଜ ବ୍ୟବସ୍ଥା ପ୍ରତି ପୌର କର୍ତ୍ତୃପକ୍ଷ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ସେହିପରି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଯେକୌଣସି ପରିସ୍ଥିତିର ମୁକାବିଲା କରିବା ପାଇଁ ସବୁବେଳେ ପ୍ରସ୍ତୁତ ରହିବାକୁ ଅଗ୍ନିଶମ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଥିଲା । ଜିଲ୍ଲା ଓ ବ୍ଲକସ୍ତରରେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍‌ ଖୋଲାଯାଇ ବର୍ଷାର ପରିମାଣ, ଜଳସ୍ତର ରେକର୍ଡ କରାଯିବା ସହିତ ବନ୍ୟା ପରିସ୍ଥିତି ଉପରେ ଦୃଷ୍ଟି ରଖାଯିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଏହାବ୍ୟତୀତ ବିଦ୍ୟୁତ୍‌ ବିଭାଗର ସମସ୍ତ ଅଧିକାରୀ ଓ ଜନସାଧାରଣଙ୍କୁ ସେବା ଯୋଗାଇବା ପାଇଁ ନିର୍ଦ୍ଦିଷ୍ଟ ମୋବାଇଲ ନମ୍ବର ଲେଖି ବିଦ୍ୟୁତ କାର୍ଯ୍ୟାଳୟ ଆଗରେ ସାଇନବୋର୍ଡ ଲଗାଇବା ସହିତ ଜନସାଧାରଣ ଓ ଗଣମାଧ୍ୟମକୁ ଏହା ଅବଗତ କରାଇବାକୁ ଏସ୍‌ପି ରାଜ ପ୍ରସାଦ ମତ ରଖିଥିଲେ । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ବୌଦ୍ଧ ବ୍ଲକ ଅଧ୍ୟକ୍ଷ ପ୍ରିୟଦର୍ଶୀ ପ୍ରତ୍ୟୁଷ କୁମାର ରଥ, ହରଭଙ୍ଗା ବ୍ଲକ ଅଧ୍ୟକ୍ଷା ସ୍ନେହଲତା ପ୍ରଧାନଙ୍କ ସମେତ ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲଦାର ଓ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତଥିଲେ ।

Leave A Reply

Your email address will not be published.