ଗୁଡଭେଲା/ତୁଷୁରା, (କେପିଏନ୍ଏସ୍) : ଅମର ଜ୍ୟୋତି ଫାଉଣ୍ଡେସନ ଏବଂ ରେକିଟ ଇଣ୍ଡିଆର ମିଳିତ ସହଯୋଗରେ ଡୁଙ୍ଗିବାହାଲ ୟୁପି ସ୍କୁଲ୍ ଠାରେ ଗୁଡଭେଲା ବ୍ଲକର ୧୦୦ଟି ସରକାରୀ ସ୍କୁଲର ଶିକ୍ଷକ, ଶିକ୍ଷୟିତ୍ରୀ ମାନଙ୍କ ପାଇଁ ଡିସେମ୍ବର ୧୨ ଓ ୧୩ ତାରିଖ ଦୁଇଦିନ ଧରି ଡେଟଲ ସ୍ୱଚ୍ଛତା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ଅଶୋକ ଦୋରା ଯୋଗ ଦେଇ “ଛାତ୍ରଛାତ୍ରୀ ସୁସ୍ଥ ରହିଲେ ସ୍କୁଲରେ ଅନୁପସ୍ଥିତି ହାର କମିବ ଓ ଶିକ୍ଷାର ମାନ ମଧ୍ୟ ବଢିବା ସହିତ ସୁସ୍ଥ ଶିଶୁଟିଏ ହିଁ ସୁସ୍ଥ ସମାଜ ଗଠନ କରିପାରିବ” ବୋଲି କହିଥିଲେ । ବିଶିଷ୍ଟ ଶିକ୍ଷାବିତ୍ ତଥା ଆଶୁକବି ଡ. ହେମନ୍ତ କୁମାର ଦାଶ ଉଦ୍ଘାଟକ ଭାବେ ଯୋଗ ଦେଇ କାର୍ଯ୍ୟକ୍ରମର ଉଦ୍ଘାଟନ କରିଥିଲେ । “ହାତ ଧୁଆର ଉପକାରିତା ଓ ବିଶେଷ କରି ଛାତ୍ରୀ ମାନଙ୍କର ସ୍ୱଚ୍ଛତା ପାଇଁ ସଚେତନତା ବିଷୟରେ ଡ. ଦାଶ ନିଜ ବକ୍ତବ୍ୟରେ କହିଥିଲେ । ସମ୍ମାନିତ ଅତିଥି ଭାବେ ସ୍କୁଲ ଚେୟାରମେନ ମକରଧ୍ୱଜ ରଣା, ପ୍ରଧାନ ଶିକ୍ଷୟିତ୍ରୀ ସରୋଜିନୀ ଭୋଇ ଓ ଉପେନ୍ଦ୍ର ସୁନା ମଞ୍ଚାସୀନ ଥିଲେ । ପ୍ରଧାନ ଶିକ୍ଷୟିତ୍ରୀ ଏହି କାର୍ଯ୍ୟକ୍ରମକୁ ପ୍ରଶଂସା କରି ତୃଣମୂଳ ସ୍ତରରେ ପହଞ୍ଚାଇବା ପାଇଁ କହିଥିଲେ । ଛାତ୍ରଛାତ୍ରୀଙ୍କ ମଧ୍ୟରେ ସ୍ୱଚ୍ଛତା, ଶିକ୍ଷାରେ ବ୍ୟବହାରିକ ପରିବର୍ତ୍ତନ ଆଣିବା, ସୁସ୍ଥ ଭାରତ ସ୍ୱଚ୍ଛ ଭାରତ ଗଠନରେ ଛାତ୍ରଛାତ୍ରୀଙ୍କୁ ଭାଗୀଦାର କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା । ବିଭିନ୍ନ ଖେଳ, ଷ୍ଟେମ କିଟ, ପଜଲ କିଟ, ଗପ ମାଧ୍ୟମରେ ଛାତ୍ରଛାତ୍ରୀଙ୍କୁ ସ୍ୱଚ୍ଛତା ପ୍ରତି ଆକୃଷ୍ଟ କରିବା ସହିତ ହାତ ଧୋଇବା, ଶୌଚାଳୟକୁ ସଫା ରଖିବା, ସଫା ଏବଂ ସ୍ୱଚ୍ଛ ମଧ୍ୟରେ ପାର୍ଥକ୍ୟ ଭଳି ବିଭିନ୍ନ ବିଷୟରେ ଆଲୋଚନା କରାଯାଇଥିଲା । ଅମର ଜ୍ୟୋତି ଫାଉଣ୍ଡେସନର ଆଞ୍ଚଳିକ ସଂଯୋଜିକା ରୀନ ପ୍ରଧାନ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବାବେଳେ ସୁରେନ୍ଦ୍ର ସୁନା ଓ ଲିଜା ଦଳବେହେରା ସହଯୋଗ କରିଥିଲେ ।