ଯୁଗେ ଯୁଗେ ପ୍ରକୃତି ପ୍ରେମରେ କବି ଓ ଲେଖକ

ରାଉରକେଲା, (ସସ୍ମିତା ପ୍ରଧାନ) : ଯୁଗେ ଯୁଗେ କବି ଲେଖକମାନେ ପ୍ରକୃତି ପ୍ରିୟ, ପ୍ରକୃତିର ସୌନ୍ଦର୍ଯ୍ୟରେ ନିଜକୁ ହଜାଇ ଦିଅନ୍ତି । ପୁରାଣ ଯୁଗରେ ସେ ବାଲ୍ମୀକି ହୁଅନ୍ତୁ ବା ବ୍ୟାସଦେବ ହୁଅନ୍ତୁ ସମସ୍ତେ ପ୍ରକୃତି ପ୍ରେମରେ ବିଭୋର ହୋଇଛନ୍ତି। ପ୍ରକୃତିର ରୂପ ବର୍ଣ୍ଣନା କରିଛନ୍ତି ବହୁ ଉପମା ଓ ଅଳଙ୍କାର ଦେଇ ପ୍ରକୃତିର ରୂପକୁ ସଜେଇଛନ୍ତି, ସାହିତ୍ୟର ବିଭିନ୍ନ ଦିଗକୁ ତର୍ଜମା କଲାବେଳେ ପ୍ରଥମେ ଆସେ ପ୍ରକୃତିର ରୂପ ବର୍ଣ୍ଣନା । ଅତୀତରେ କାଳିଦାସ, ମେଘା, ବାଣଭଟ୍ଟଙ୍କ ଠାରୁ ଆରମ୍ଭ କରି ରୀତି ଯୁଗର କବି, ସବୁଜ ଯୁଗର କବି ଏବେକାର କବିମାନେ ପ୍ରକୃତିର ରୂପ ବର୍ଣ୍ଣନା କରିବାରେ ସିନ୍ଧହସ୍ତ । କବି ସୁଶାନ୍ତ କୁମାର ନାୟକଙ୍କ ଆବାହକତ୍ବ ପ୍ରଶାନ୍ତ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ଓ ନିରୁପମା ପତିଙ୍କ ମଞ୍ଚ ପରିଚାଳନାରେ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଡ.ମୁନୀନ୍ଦ୍ର ମହାଳିକ ଏହା କହିଥିଲେ, ସେ ଆହୁରି ମଧ୍ୟ କହିଥିଲେ ବିଭିନ୍ନ କବିଙ୍କ ଉଦାହରଣ ଦେଇ ସେମାନଙ୍କ ପ୍ରକୃତି ବର୍ଣ୍ଣନା କେତେ ଉଚ୍ଚକୋଟୀର ଥିଲା । କେବଳ କବି ବା ଲେଖକ ନୁହଁନ୍ତି ସାଧାରଣ ଲୋକଟିର ମଧ୍ୟ ପ୍ରକୃତି ପ୍ରତି ଅହେତୁକ ପ୍ରେମ ଉଦ୍ରେକ ହୋଇ ଥାଏ । ଏହି ଆସରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଡ.ପ୍ରଭାତ ମଲ୍ଲିକ କହିଥିଲେ ସାହିତ୍ୟ ହେଉଛି ଜୀବନର ଠିକଣା, ମୃତ୍ୟୁର ଚେତନା । କେବଳ କବିମାନେ ହିଁ ହେମନ୍ତ ଋତୁରେ ଶୀତର ପ୍ରକୋପ ଅନୁଭବ କରିପାରନ୍ତି । କବିର କଳ୍ପନା କଲମ ମୁନରେ ରୂପ ପାଇଥାଏ, ସ୍ୱର୍ଗଲୋକରୁ ମର୍ତ୍ତ୍ୟଲୋକକୁ ମହମ୍ମଦ ଙ୍କ ବାର୍ତ୍ତା ଥିଲା ଜୀବନର ଅଧ୍ୟୟନ ହିଁ ସାହିତ୍ୟ । ସାହିତ୍ୟର ସଜ୍ଞା ନିରୂପଣ କରିବାକୁ ଯାଇ ସେ କହିଥିଲେ ସା’ର ମାନେ ସାହସର ସହିତ ସତ୍ୟକୁ ପରିପ୍ରକାଶ କରିବା, ହି’ର ଅର୍ଥ ହିତ ସାଧନ କରିବା ସମାଜର, ତ୍ୟ’ର ଅର୍ଥ ତ୍ୟାଗ, କବି ବା ଲେଖକମାନେ ନିଜ ମନରୁ ହିଂସା ଅସୂୟା ଅହଂ ପ୍ରଥମେ ତ୍ୟାଗ କରିବା ଉଚିତ୍ । ଅନ୍ୟତମ ବରେଣ୍ୟ ବକ୍ତା ଡ.ମଞ୍ଜୁବାଳା ପଣ୍ଡା ଏକ ଗଳ୍ପ ମାଧ୍ୟମରେ ସମାଜକୁ ବାର୍ତ୍ତା ଦେଇ କହିଥିଲେ ମୃତ୍ୟୁ ପରେ ବି ଜଣେ ତା’ର ଅଙ୍ଗ ଦାନ କରି ଅନେକଙ୍କ ନିକଟରେ ଅମରତ୍ବ ଲାଭ କରିପାରିବ । ଏହି ବର୍ଣ୍ଣାଢ଼୍ୟ ସାହିତ୍ୟ ସଭାରେ ଧାମରା ସଂଘର ସାଧାରଣ ସମ୍ପାଦକ ଭଗବାନ ରାଉତ ଧାମରା ସାହିତ୍ୟ ସଂସଦର ଆଭିମୁଖ୍ୟ ସ୍ପଷ୍ଟ କରିବା ସହିତ ରାଉରକେଲାର ସମସ୍ତ କବି ଲେଖକମାନଙ୍କୁ ଆହ୍ବାନ ଦେଇଥିଲେ ଧାମରା ସାହିତ୍ୟ ସଂସଦ ରେ ଯୋଗଦାନ କରିବାପାଇଁ । ସହସମ୍ପାଦକ ଅକ୍ଷୟ କୁମାର ଦାସ ସ୍ବାଗତ ଭାଷଣ ଓ ଅତିଥି ପରିଚୟ ଦେଇଥିଲେ । ଦ୍ବିତୀୟ ପର୍ଯ୍ୟାୟରେ ଡ.ଉମାକାନ୍ତ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଏକ ସ୍ମରଣୀୟ କବିତା ଆସର ଅନୁଷ୍ଠିତ ହୋଇଥିଲା, ସମ୍ମାନୀତ ଅତିଥି ଡ.ସୁଚିତ୍ରା ମହାନ୍ତି ଦିଗଦର୍ଶନ ଦେଇଥିଲା ବେଳେ ସହରର ବିଶିଷ୍ଟ କବି ତ୍ରିନାଥ ସିଂହ, ହରପ୍ରିୟା ସାମଲ, ରୀନାରାଣୀ ସ୍ବାଇଁ କବିତା ଗୁଡ଼ିକ ସଂଯୋଜନା କରିଥିଲେ । ଏହି କବିତା ଆସରରେ ରାଉରକେଲା, ସୁନ୍ଦରଗଡ଼, ବୀରମିତ୍ରପୁର,ବଣେଇରୁ ଆସିଥିବା ଶତାଧିକ କବି କବିତା ପାଠ କରିଥିଲେ , ରାଉରକେଲାର ପ୍ରାୟ ସବୁ ଅନୁଷ୍ଠାନ କର୍ମକର୍ତ୍ତା ଯୋଗଦାନ କରିଥିଲେ, ଶେଷରେ ସୁଶ୍ରୀସଂଗୀତା ଦାଶ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।

Leave A Reply

Your email address will not be published.