ପ୍ରକୃତିର ଦାନ ଉପକାଗଙ୍ଗା ଓ କପାଟ ଦରହ

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲାରେ ଅନେକ ପର୍ଯ୍ୟଟନ ସ୍ଥଳୀ ଓ ପ୍ରାକୃତିକ ସୌନ୍ଦର୍ଯ୍ୟ ସ୍ଥାନ ରହିଛି । ପ୍ରାକୃତିକ ଦୃଶ୍ୟ ସହିତ ନିଆରା ପରିବେଶର ମଜା ନେବା ପାଇଁ ବର୍ଷ ସାରା ପର୍ଯ୍ୟଟକଙ୍କ ଭିଡ଼ ଲାଗି ରହିଥାଏ । ଜିଲ୍ଲାର ବୋଡେ଼ନ ବ୍ଲକ ଝରଣାମାଲ ଗାଁରେ ରହିଛି ଏଭଳି ଏକ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ସ୍ଥାନ ଉପକାଗଙ୍ଗା ଓ କପାଟ ଦରହ । ବୋଡେ଼ନ ବ୍ଲକ ନାଗପଡା ନିକଟରେ ପ୍ରାକୃତିକ ପରିବେଶ ଭିତରେ ରହିଛି ଉପକାଗଙ୍ଗା । ଏହାର ଚତୁରପାର୍ଶ୍ୱରେ ରହିଛି ବୋଲଧାଁ, ଭୂଇଁପାଣି, ନାଗପଡା ଓ ଦେଓଦରା ଗାଁ । ଉପକାଗଙ୍ଗାର ଅନତି ଦୂରରେ ରହିଛି ଜଗନ୍ନାଥ ଓ ମହାଦେବ ମନ୍ଦିର । ଏହିଠି ଭଗବାନଙ୍କୁ ପୂଜାର୍ଚ୍ଚନା କଲେ ମାନସିକ ପୂରଣ ହୁଏ ବୋଲି ଭକ୍ତଙ୍କ ଅତୁଟ ବିସ୍ଵାଶ ରହିଛି । କିମ୍ବଦନ୍ତୀ ଅନୁସାରେ ଦ୍ୱାପର ଯୁଗରେ ପଞ୍ଚୁ ପାଣ୍ଡବ ବନବାସ କାଳରେ ପଞ୍ଚୁ ପାଣ୍ଡବଙ୍କୁ ତୃଷା ଲାଗିବାରୁ ଅର୍ଜୁନ ତୀର ମାରି ପାଣି ବାହାର କରିଥିଲେ । ସେହି ପାଣିରେ ପଞ୍ଚୁ ପାଣ୍ଡବଙ୍କ ତୃଷ୍ଣା ମେଣ୍ଟିଥିଲା ବୋଲି ଲୋକଙ୍କ ବିଶ୍ୱାସ ରହିଛି । ଯାହାକି ବର୍ତମାନର ଉପକାଗଙ୍ଗା ନାମରେ ପରିଚିତ । ଏଠାରେ ବର୍ଷ ତମାମ ସ୍ୱତ ସ୍ପର୍ଶ ଭାବେ ପାଣି ଉପରକୁ ଉଠି ଥାଏ । ଏହାର ଚାରିପଟେ ସମତଲ ଭୂମି ସହ ପିଜୁଳି ଓ ଅନ୍ୟାନ୍ୟ ଫଳ ଗଛ ରହିଛି । ଏହି ପଡିଆରେ ଭୋଜି କରିବାର ମଜା ଅତି ନିଆରା । ଏହାର ତଳକୁ ରହିଛି କପାଟଦରହ । ସବୁଜ ବନାନୀ ସାଙ୍ଗକୁ ସୁଉଚ୍ଚ ଚଟାଣ । ପାହାଡ଼ ଓ ନୀଳ ଜଳ ରାଶି ପ୍ରକୃତି ପ୍ରେମୀଙ୍କୁ ଟାଣି ଆଣି ଥାଏ । ପଥର ଚଟାଣ ଏକ କପାଟ ସଦୃଶ୍ୟ ରହିଥିବାରୁ ଏହାକୁ କପାଟ ଦରହ କହନ୍ତି । କପାଟ ଦରହକୁ ନେଇ ଅନେକ ଲୋକ କଥା ରହିଛି । ଗୋଲ ଗୋଲ କଥାର, ରଙ୍ଗ ବେରଙ୍ଗ ପ୍ରଜାପତି ଏଠିକାର ଅନ୍ୟ ଏକ ଆକର୍ଷଣ । ଚାରିପଟେ ଉଚ୍ଚ ପାହାଡ଼ ଓ ତଳେ ନଦୀ ରହିଛି । ଏହି ନଦୀ ବାଲି ପଥର ଉପରେ ବସି ଲୋକେ ଭୋଜି କରିଥାନ୍ତି ।

Leave A Reply

Your email address will not be published.