ପଦ୍ମପୁର, (ନିରୋଜ କୁମାର ପାଣି) : ବରଗଡ ଜିଲ୍ଲା ପଦ୍ମପୁର ବ୍ଲକ ଅନ୍ତର୍ଗତ ପଲ୍ସାପାଲି ପଞ୍ଚାୟତ ଘନାମାଲ ଗ୍ରାମର ଦୁଇ ପ୍ରକୃତି ବନ୍ଧୁ ଅନନ୍ତ କୁମାର୍ ମେହେର, ପିତା ଯାଦବ ମେହେର ଏବଂ ପ୍ରକୃତି ବନ୍ଧୁ ଗୋବିନ୍ଦ ମେହେର, ପିତା କାହ୍ନୁ ମେହେରଙ୍କ ନିଆରା ପ୍ରକୃତି ପ୍ରେମ ଏକ ସୁନ୍ଦର ପରିବେଶ ସହିତ ଏକ ଅନୁପମ ଉଦାହରଣ ସୃଷ୍ଟି କରିଛନ୍ତି । ଦୁଇ ବନ୍ଧୁ ଦୀର୍ଘ ୨୨ ବର୍ଷରୁ ଅଧିକ ହେବ ଏହି ସୁରକ୍ଷା ଦିଗରେ ସ୍ଵେଚ୍ଛାସେବୀ ଭାବରେ ଅନବରତ ବୃକ୍ଷରୋପଣ କରିବା ସହ ସେମାନଙ୍କ ଉଚିତ ରକ୍ଷଣାବେକ୍ଷଣ ମଧ୍ୟ କରି ଆସୁଛନ୍ତି । ନିଜ ଗାଁ ଘନାମାଲର ପୋଖରୀ ହିଡ, ସ୍କୁଲ ପରିସର ରାସ୍ତା କଡଠାରୁ ଆରମ୍ଭ କରି ଆଖପାଖ ଗାଁକୁ ଲାଗିଥିବା ପଲ୍ସାପାଲି, ସମାର୍ପାଲି ସାରଙ୍ଗପୁର୍, ଗନିଆଁପାଲି, ଅମାମୁଣ୍ଡା, ଜମଲା ଇତ୍ୟାଦି ରାସ୍ତା ମାନଙ୍କରେ ପାଖାପାଖି ୧୦/୧୨ କି. ମିରୁ ଅଧିକ ହେବ ବରଗଛ ପିପଳଗଛ, ଆମ୍ବଗଛ, ନିମ୍ବ, ଜାମୁ, କରଞ୍ଜ, ଅର୍ଜୁନ ଇତ୍ୟାଦି ବିଭିନ୍ନ ପ୍ରକାରର ବୃକ୍ଷରୋପଣ କରି ଶୀତ ବଷାର୍ ଖରାକୁ ଖାତିର ନକରି ଯତ୍ନ କରି ଦୂର ଦୂରାନ୍ତରୁ ପାଣି ଦେଇ ଆସୁଛନ୍ତି । ଅଦ୍ୟାବଧି ପ୍ରାୟ ୪/୫ ହଜାରରୁ ଅଧିକ ବୃକ୍ଷରୋପଣ କରିସାରିଲେଣି ଯାହା କି ପଥିକମାନଙ୍କୁ, ଗାଈଗୋରୁ ପକ୍ଷୀମାନଙ୍କୁ ଛାଇ ସହିତ ଫଳ ଏବଂ ଆଶ୍ରୟ ପ୍ରଦାନ କଲେଣି । ରାସ୍ତା କଡମାନ ସବୁଜ ସୁନ୍ଦର୍ ଦେଖାଗଲାଣି । ତତ୍ ସମେତ ଦୁଇ ବନ୍ଧୁ ବିଭିନ୍ନ ସମୟରେ ଗାଁ ଗାଁ, ସ୍କୁଲ ଯାଇ ଚାରା ବଣ୍ଟନ କରିବା ସହ ପରିବେଶ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଆୟୋଜିତ କରନ୍ତି । ଆହୁରି ମଧ୍ୟ ଆଖପାଖ ଅଞ୍ଚଳରେ ନିକଟ ଜଙ୍ଗଲରେ ନିଆଁ ଲାଗି ଗଲେ ଲୋକଙ୍କୁ ନେଇ ନିଆଁ ଲିଭାଇବାକୁ ଚେଷ୍ଟା କରିଥାନ୍ତି । ଏଭଳି ନିରନ୍ତର ପ୍ରକୃତି ସେବାରେ ଲୋକେ ମୁଗ୍ଧ ହୋଇ କେହି କେହି ସବୁଜ ବିପ୍ଳବୀ, ସବୁଜ ସୈନିକ ବୋଲି କହିଥାନ୍ତି । ସରକାରୀ ସ୍ତରରେ ବା ବେସରକାରୀ ସ୍ତରରେ ବିନା କୌଣସି ଆର୍ଥିକ ସହାୟତାରେ ଏହି ମହତ୍ କର୍ମକୁ ନିଜର୍ ବ୍ରତ ବୋଲି ନେଇଛନ୍ତି । ପରିବେଶ ସୁରକ୍ଷା ଓ ବନବିଭାଗ ଓଡିଶା ସରକାରଙ୍କ ଦ୍ୱାରା ଦୁହେଁ ପ୍ରକୃତି ବନ୍ଧୁ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି । ଏମାନଙ୍କ ଏଭଳି ମହାନ କର୍ମ ବର୍ତ୍ତମାନ ସମୟରେ, ପାଣିପାଗ ଓ ପରିବେଶ ସନ୍ତୁଳନତା ସହ ପରିବେଶ ପ୍ରଦୂଷଣକୁ ରୋକିବା ପାଇଁ ଅତ୍ୟନ୍ତ ଅତ୍ୟନ୍ତ ଆବଶ୍ୟକ । ଏଭଳି ବନ୍ଧୁମାନଙ୍କୁ ସରକାରଙ୍କ ଦୃଷ୍ଟି ଗୋଚର୍ କରାଇ ତାଙ୍କୁ ଉତ୍ସାହିତ କରିବା ସହ ଯଥା ସମ୍ଭବ ବନବିଭାଗ ପକ୍ଷରୁ ସଂପୁର୍ଣ୍ଣ ସହଯୋଗ କରାଯିବା ଉଚିତ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି ।
Prev Post