ସୋନଗଡ ନଦୀରେ ଜଳ ପ୍ରକଳ୍ପ ପାଇଁ ୪୯କୋଟି ମଞ୍ଜୁର

  • ମୁଖ୍ୟମନ୍ତ୍ରୀ, ଫାଇଭ୍‌-ଟି ଅଧ୍ୟକ୍ଷ ଓ ନେତୃବର୍ଗଙ୍କୁ କୃତଜ୍ଞତା ଜଣାଇଲେ ଚାଷୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାର ଦେଓଗାଁ ବ୍ଲକ ଓ ସଦରବ୍ଲକ ଅଞ୍ଚଳର ଚାଷୀ ଦୀର୍ଘ ୨୦ବର୍ଷ ହେଲା ଦାବୀ କରୁଥିବା ସୋନଗଡ ଜଳସେଚନ ପ୍ରକଳ୍ପ ଶେଷରେ ଅନୁମୋଦିତ ହୋଇଛି । ରାଜ୍ୟ ସରକାର ସୋନଗଡ ନଦୀରେ ସିକୁଆଁ-ସିଲେଟକାନୀଠାରେ ୪୯କୋଟି ଟଙ୍କାର ଏକ ଭୂତଳ-ଜଳ ସଂରକ୍ଷଣ ପ୍ରକଳ୍ପ କରିବାକୁ ଅନୁମୋଦନ କରିଛନ୍ତି । ଏହା ସହିତ ଏଠାରେ ୫୬କୋଟି ଟଙ୍କାର ଏକ ମେଗା ଉଠାଜଳସେଚନ ପ୍ରକଲ୍ପ ମଧ୍ୟ ହେବାକୁ ଯାଉଛି । ଏହି ଖବର ଜଣାପଡିବା ପରେ ଚାଷୀଙ୍କ ମଧ୍ୟରେ ଖୁସି ଦେଖା ଦେଇଛି । ଆଜି ଦେଓଗାଁ ନିକଟସ୍ଥ ସୋନଗଡ ନଦୀଖଣ୍ଡିରେ ସୋନଗଡ କ୍ରିୟାନୁଷ୍ଠାନ କମିଟି ଓ ଦେଓଗାଁ ତଥା ସଦର ବ୍ଲକର ଶତାଧିକ ଚାଷୀ ସମ୍ମିଳିତ ହୋଇ ରାଜ୍ୟ ସରକାରଙ୍କୁ କୃତଜ୍ଞତା ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଫାଇଭ୍‌-ଟି ଅଧ୍ୟକ୍ଷ ଭି.କେ.ପାଣ୍ଡିଆନଙ୍କୁ ଚାଷୀମାନେ ଧନ୍ୟବାଦ ଜଣାଇଛନ୍ତି । ଗତ ଅଗଷ୍ଟ ମାସରେ ଦେଓଗାଁ ବ୍ଲକ ଜରାସିଂହାକୁ ଫାଇଭ୍‌-ଟି ସଚିବ ତଥା ବର୍ତ୍ତମାନର ଫାଇଭ୍‌-ଟି ଅଧ୍ୟକ୍ଷ ଭି.କେ. ପାଣ୍ଡିଆନଙ୍କ ଗସ୍ତ ସମୟରେ ଏହି ଅଞ୍ଚଳର ଚାଷୀମାନେ ଲିଖିତ ଭାବରେ ଏହି ପ୍ରକଳ୍ପ ପାଇଁ ଦାବୀ ଜଣାଇଥିଲେ । ଏହା ପରେ ବିଜେଡିର ବରିଷ୍ଠ ନେତା ଅନଙ୍ଗଉଦୟ ସିଂଦେଓ, ପୂର୍ବତନ ସାଂସଦ କଳିକେଶ ନାରାୟଣ ସିଂଦେଓ, ଜଳସମ୍ପଦ ବିଭାଗର ମନ୍ତ୍ରୀ ଟୁକୁନି ସାହୁ, ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ଅସୀତ ତ୍ରୀପାଠୀ, ବିଜେଡିର ସାଧାରଣ ସଂପାଦକ ପ୍ରଣବ ପ୍ରକାଶ ଦାସ, ଜିଲ୍ଲା ପର୍ଯ୍ୟବେକ୍ଷକ ସୁଶାନ୍ତ ସିଂ, ଯୁବନେତା ଅର୍କେଶ ନାରାୟଣ ସିଂହଦେଓ ମୁଖ୍ୟମନ୍ତ୍ରୀଙ୍କ ଦପ୍ତର ସହିତ ଯୋଗାଯୋଗ ରଖି ଆଲୋଚନା କରିଥିଲେ । ଏହା ସହିତ ରାଜ୍ୟ ସରକାରଙ୍କ ଉନ୍ନୟନ କମିଶନର ଅନୁ ଗର୍ଗ, ଜଳସଂପଦ ବିଭାଗର ସ୍ୱତନ୍ତ୍ର ସଚିବ ତ୍ରୀବିକ୍ରମ ପଧାନ ପ୍ରମୁଖ ଏହି ପ୍ରକଳ୍ପ ପାଇଁ ଯଥେଷ୍ଟ ସାହାର୍ଯ୍ୟ କରିଥିବା ସୂଚନା ଦିଆଯାଇଥିଲା । ତେଣୁ ଏହି ଅଞ୍ଚଳର ଚାଷୀଙ୍କ ତରଫରୁ ଏମାନଙ୍କୁ ଆମେ କୃତଜ୍ଞତା ଜଣାଉଛୁ ବୋଲି ସୋନଗଡ କ୍ରିୟାନୁଷ୍ଠାନ କମିଟିର ଆବାହକ ଲକ୍ଷ୍ମଣ କୁମାର ମେହେର କହିଥିଲେ । ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୋନଗଡ କ୍ରିୟାନୁଷ୍ଠାନ କମିଟିର ଆବାହକ ଲକ୍ଷ୍ମଣ କୁମାର ମେହେର ପ୍ରେସକୁ ସମ୍ବୋଧିତ କରି କହିଛନ୍ତି ଯେ, ସୋନଗଡର ଏହି ପ୍ରକଳ୍ପ ଯୋଗୁଁ ଦେଓଗାଁ ବ୍ଲକର ୨୦ଖଣ୍ଡ, ସଦର ବ୍ଲକର ୬ ଖଣ୍ଡ ଓ ଗୁଡଭେଲା ବ୍ଲକର ୫ ଖଣ୍ଡ ଗ୍ରାମର ଚାଷୀ ପ୍ରତ୍ୟକ୍ଷ ଓ ପରୋକ୍ଷରେ ଉପକୃତ ହେବେ । ମୋଟ ୩୧ଟି ଗ୍ରାମର ଚାଷଜମିକୁ ପାଣି ଯାଇ ପାରିବ । ରାଜ୍ୟ ସରକାର ବୃହତ ଉଠାଜଳସେଚନ ପ୍ରକଳ୍ପ ଜରିଆରେ ଏହି ଗ୍ରାମମାନଙ୍କୁ ଜଳସେଚନ ବ୍ୟବସ୍ଥା କରାଇବେ । ପୂର୍ବରୁ ବର୍ଷାଦିନେ ନଦୀରେ ଜଳ ତଳକୁ ବହିଯାଉଥିଲା । ଏବେ ଏହି ପ୍ରକଳ୍ପ ହେଲେ ବର୍ଷସାରା ନଦୀରେ ପାଣି ରହିବ । ଧାନଚାଷ, ମୁଗ, ବିରି, ରାଶି, ଆଖୁ ଇତ୍ୟାଦି ଅନ୍ୟାନ୍ୟ ଚାଷ ମଧ୍ୟ ହୋଇପାରିବ । ଏହା ସହିତ ଗାଁମାନଙ୍କୁ ପାନୀୟଜଳ ମଧ୍ୟ ଯୋଗାଣ ହୋଇପାରିବ । ଏହି ପ୍ରକଳ୍ପ ଯୋଗୁଁ ଲୋକଙ୍କ ଆର୍ôଥକ ସ୍ତରରେ ଉନ୍ନତି ହେବା ସହିତ ଏହି ଅଞ୍ଚଳରୁ ବାହାର ରାଜ୍ୟକୁ ଯାଉଥିବା ଦାଦନ ସମସ୍ୟା ମଧ୍ୟ ଦୂର ହେବ । ଭୂତଳ ଜଳସ୍ତର ବଢିବା ସାଙ୍ଗକୁ ପରିବେଶ ମଧ୍ୟ ସନ୍ତୁଳନ ହେବ । ପ୍ରାଣୀ ସଂମ୍ପଦ ପାଇଁ ମଧ୍ୟ ଉପଯୋଗୀ ହେବ ବୋଲି ଶ୍ରୀ ମେହେର କହିଥିଲେ । ଆଜିର ଏହି ସାମ୍ବାଦିକ ସମ୍ବିଳନୀରେ କ୍ରିୟାନୁଷ୍ଠାନ କମିଟିର ସଂପାଦକ ଶୈଳେନ୍ଦ୍ର ସାହୁ, ସିକୁଆଁର ପବିତ୍ର ମୋହନ ପଧାନ, କୁଡାସିଂହାର ସୁଭାଷ ପଧାନ, ଭୁତିଆରବାହାଲର ଆଶୀର୍ବାଦ ସାହୁ ପ୍ରମୁଖ ମଞ୍ଚାସୀନ ଥିବା ବେଳେ ସିକୁଆଁର ବରିଷ୍ଠ ନାଗରିକ ମୋହନ ପଧାନ, ହାତୀସରା ସରପଞ୍ଚ କେଲୋ ଡାଙ୍ଗ, ଅର୍ଡାର ଚାପ ବଗର୍ତ୍ତି, ପ୍ରମୋଦ ବହିଦାର, ସଂଜୀବ ପଧାନ, ମୁକେଶ ରଣା, ବଣମାଳି ବେହେରା, ଗଣେଶ ମେହେର, ରାକେଶ ଗଡତ୍ୟା, ହୃଦାନନ୍ଦ ଗଡତ୍ୟା, ଦିନବନ୍ଧୁ ବେହେରାଙ୍କ ସମେତ ଶତାଧିକ ଚାଷୀ ଉପସ୍ଥିତ ରହିଥିଲେ । ପ୍ରକାଶ୍ୟ ଯେ, ଏହି ପ୍ରକଳ୍ପ ପାଇଁ ଦେଓଗାଁ ଅଞ୍ଚଳବାସୀ ୨୦୨୧ ମସିହାରେ ସିକୁଆଁ ମନ୍ଦିରଠାରେ ଏକ ବିଶାଳ ଚାଷୀ ସମାବେଶ କରି ରାଜ୍ୟ ସରକାରଙ୍କ ପାଖରେ ଦାବୀ ରଖିଥିଲେ । ଏହା ସହିତ ବିଭିନ୍ନ ସମୟରେ ରାଜ୍ୟ ସରକାର ମନ୍ତ୍ରୀ, ପ୍ରତିନିଧିମାନଙ୍କ ପାଖରେ ମଧ୍ୟ ଦାବୀ ରଖି ଆସୁଥିଲେ । ଶେଷରେ ଫାଇଭ୍‌-ଟି ଅଧ୍ୟକ୍ଷଙ୍କ ଦ୍ୱାରା ଏହା ସମ୍ଭବ ହୋଇପାରିଛି ।

Leave A Reply

Your email address will not be published.