ଦ୍ୱିତୀୟ ରାଜ୍ୟ ସ୍ତରୀୟ ବଡଟିକା କପ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ : ଆଦର୍ଶ କ୍ଲବ ଝାରସୁଗୁଡା ପୁଲ୍-ବିର ସେମି ଫାଇନାଲକୁ ପ୍ରବେଶ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଡଟିକା କ୍ରୀଡା ସଂଘ ଆନୁକୂଲ୍ୟରେ ଆୟୋଜିତ ଦ୍ୱିତୀୟ ରାଜ୍ୟ ସ୍ତରୀୟ ବଡଟିକା କପ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ପୁଲ୍ – ବିର ପ୍ରଥମ କ୍ୱାର୍ଟର୍ ଫାଇନାଲ୍ ବେଦିକ୍ ଇଲେଭେନ୍ ସମ୍ବଲପୁର ଓ ଆଦର୍ଶ କ୍ଲବ ଝାରସୁଗୁଡା ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଆଜିର ଖେଳରେ ଆଦର୍ଶ କ୍ଲବ ଝାରସୁଗୁଡା ୪-୨ ଗୋଲରେ ବିଜୟୀ ହୋଇ ପୁଲ୍ -ବିର ସେମି ଫାଇନାଲକୁ ପ୍ରବେଶ କରିଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଲୋଇସିଂହା ବ୍ଲକ ଅଧ୍ୟକ୍ଷ ଯତୀନ୍ଦ୍ର କୁମାର ପଟେଲ ଯୋଗଦେଇ ଥିବାବେଳେ ବଡଟିକା ଗ୍ରାମ ପଞ୍ଚାୟତ ପୂର୍ବତନ ପେକ୍ସ୍ ସଭାପତି ଦାମୋଦର ବେହେରା, ଫୁଟବଲ୍ ଖେଳାଳି ତଥା ଆର୍‌ପିଏଫ୍ କନେଷ୍ଟବଲ୍ ସୁବାଷ ଚନ୍ଦ୍ର ବିଶ୍ୱାଲ, ପୂର୍ବତନ ବଡଟିକା ଗ୍ରାମ ପଞ୍ଚାୟତ ପିଇଓ ରାଜକିଶୋର ସାହୁ, ବଳରାମ ଧରୁଆ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗଦେଇଥିଲେ । ମ୍ୟାଚ୍ କମିଶନର୍ ସୁଦୟ କୁମାର ବାରିକଙ୍କ ପ୍ରତ୍ୟକ୍ଷ ତତ୍ତାବଧାନରେ ରାଜକୁମାର ମଣ୍ଡଳ, କରୁଣାକର ପଧାନ, ସୁଧାଂଶୁ ଶେଖର ସେଠ୍ଓ ରୋଶନ ମେହେର ଆଜିର ଖେଳକୁ ପରିଚାଳନା କରିଥିଲେ । ଆଦର୍ଶ କ୍ଲବ ଝାରସୁଗୁଡା ଦଳର ଟଙ୍କଧର ବାଗ ଆଜିର ଖେଳର ଶ୍ରେଷ୍ଠ ଖେଳାଳି ଭାବେ ମୁଖ୍ୟ ଅତିଥିଙ୍କଠାରୁ ପୁରସ୍କୃତ ହୋଇଥିଲେ । ବଡଟିକା କ୍ରୀଡା ସଂଘର କାର୍ଯ୍ୟକ୍ରମ ସଂଯୋଜକ ଋଷଭ ପଧାନ ମଞ୍ଚ ପରିଚାଳନା କରିଥିବା ବେଳେ ହିମାଶୁ ଦଳପତି ଧାରା ବିବରଣୀ ପ୍ରଦାନ କରିଥିଲେ । କ୍ରୀଡା ସଂଘର ସଭାପତି ଭୁବନେଶ୍ୱର ଧରୁଆ, ଉପସଭାପତି ଗୋପାଳ ବିଶ୍ୱାଳ, ସଂପାଦକ ଅନିରୁଦ୍ଧ ଭୋଇ, ସହ ସଂପାଦକ ମନରଞ୍ଜନ ବିଶ୍ୱାଳ, କୋଷାଧ୍ୟକ୍ଷ ରାଜୁ ପଧାନ, ସୁଶୀଲ ବିଶ୍ୱାଲ, ଯୁବ ସ୍ୱେଚ୍ଛାସେବୀ ଡୋଳାମଣି ଦଳପତି ତଥା କ୍ରୀଡା ସଂଘର ସମସ୍ତ ସଭ୍ୟ ତଥା ଗ୍ରାମବାସୀ ସହଯୋଗ କରିଥିଲେ । ଆସନ୍ତାକାଲି ପୁଲ୍ – ବିର ଦ୍ୱିତୀୟ କ୍ୱାର୍ଟର୍ ଫାଇନାଲ୍ ସୁରଜ-୧୧ ଫୁଲବାଣୀ ଓ ସ୍ପୋର୍ଟସ ହଷ୍ଟେଲ ବଲାଙ୍ଗିର ମଧ୍ୟରେ ଅନୁଷ୍ଠିତ ହେବ ବୋଲି ଆୟୋଜକଙ୍କ ସୂତ୍ରରୁ ପ୍ରକାଶ ।

Leave A Reply

Your email address will not be published.