ଜୟପାଟଣା, (ଶେଷଦେବ ବେହେରା) : ପ୍ରବାସୀ ଶ୍ରମିକଙ୍କ ସଂଖ୍ୟା ଦିନକୁ ଦିନ ବଢି ଚାଲି ଥିବାବେଳେ ଗତ ସୋମବାର ରାତିରେ ଜଣେ ଶ୍ରମିକଙ୍କ ଆନ୍ଧ୍ରପ୍ରଦେଶର ଗୁନ୍ଠୁର୍ ଠାରେ ମୃତ୍ୟୁ ହୋଇଥିବା ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି । ସୂଚନାରୁ ପ୍ରକାଶ ଯେ, ଜୟପାଟଣା ଥାନା ଅନ୍ତର୍ଗତ କୋଟପାଡ଼ି ଗ୍ରାମର ଧନୁର୍ଜୟ ପଟେଲ (୫୫) ଆନ୍ଧ୍ରପ୍ରଦେଶର ଗୁନ୍ଠୁର୍ ଠାରେ କୌଣସି ଏକ ତମ୍ବାଖୁ କାରଖାନାରେ ଗତ ଦୁଇବର୍ଷ ଧରି କାମ କରୁଥିଲେ । ଗତ ସୋମବାର ରାତିରେ ପେଟ ବ୍ୟଥା ହେବାରୁ ଡାକ୍ତରଖାନା ନିଆଯାଇଥିଲା । ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା । ପରିବାରର କୌଣସି ଆର୍ଥିକ ସମ୍ବଳ ନ ଥିବା ହେତୁ ସେଠାରେ ରହୁଥିବା ଦୁଇଜଣ ପରିଚିତ ଯୁବକ ଶବ ଗାଁକୁ ଆଣିବା ପାଇଁ ଚେଷ୍ଟା କରି ବିଫଳ ହୋଇଥିଲେ । ଫଳରେ ଚାଳିଶ ଘଣ୍ଟା ଧରି ସେଠାର ଶବ ପଡ଼ି ରହିଥିଲା । ପରେ କଳାହାଣ୍ଡି ପ୍ରଶାସନକୁ ଖବର ହେବା ପରେ ଉଭୟ ପ୍ରଶାସନର ସହାୟତାରେ ବୁଧବାର ସନ୍ଧ୍ୟାରେ ଏକ ଆମ୍ବୁଲାନ୍ସ ଯୋଗେ ଶବ ଘରକୁ ଫେରୁଥିବା ସୂଚନା ମିଳିଛି । ଅନ୍ୟପଟେ ୭୫ବର୍ଷୀୟା ବୁଢ଼ୀ ମାଆ ଟଙ୍କେ ପଟେଲ, ବିଧବା ପତ୍ନୀ କସ୍ତୁରୀ ଓ ଦୁଇ ପୁଅ ଝିଅ ଗାଁ ମାଟିର ଶୋକାକୁଳ ପରିବେଶରେ ଶବକୁ ଅପେକ୍ଷା କରି ରହିଥିବା ଦେଖିବାକୁ ମିଳିଛି । ଏକମାତ୍ର ରୋଜଗାରକ୍ଷମ ମୂରବୀକୁ ହରାଇବା ପରେ ପରିବାର ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଛି । ଏଭଳି ସ୍ଥିତିରେ ପରିବାର ଲୋକ ସରକାର ପାଖରେ ସହାୟତାର ହାତ ବଢ଼ାଇଥିବା ପ୍ରକାଶ କରନ୍ତି ।