jayashree

ଆଳୁ ଖୋଳୁ ଖୋଳୁ ମହାଦେବ : ନକଲିକୁ ବାନ୍ଧିଲା ଅସଲି ପୁଲିସ୍

  • ନୂଆପଡ଼ାରୁ ବୋଲେରୋ ଭଡାରେ ଆଣି ଦୁର୍ବୃତ୍ତଙ୍କ ମୁରିବାହାଲରେ ଲୁଟ୍ ଉଦ୍ୟମ ବିଫଳ ଘଟଣା
  • ଥାନାରେ ଅଟକ ୩ ଦୁର୍ଦ୍ଦାନ୍ତ ଡକାୟତଙ୍କ ପାଖରୁ ନକଲି ଆଇଜି ରେଙ୍କ ପୁଲିସ ପୋଷାକ ସହ ବହୁ ସାମଗ୍ରୀ ଜବତ, ଗିରଫ ପରେ କୋର୍ଟ ଚାଲାଣ, ଜେଲ୍ ଗଲେ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ନୂଆପଡ଼ା ଜିଲ୍ଲା ସଦର ମହକୁମାରୁ ଏକ ବୋଲେରୋକୁ ଭଡାରେ ଆଣି ଦୁର୍ବୃତ୍ତମାନଙ୍କ ମୁରିବାହାଲ ଥାନା ଅଞ୍ଚଳରେ ଲୁଟ୍ ଉଦ୍ୟମ ବିଫଳ ହୋଇଥିବା ଭଳି ଏକ ଘଟଣାରେ ପୁଲିସକୁ ଚାଞ୍ଚଲ୍ୟକର ତଥ୍ୟ ମିଳିଛି । ଏହି ଘଟଣାରେ ସଂପୃକ୍ତ ୩ ଜଣ ଦୁର୍ବୃତ୍ତଙ୍କୁ ମୁରିବାହାଲ ଥାନା ପୁଲିସ୍ ଅଟକ ରଖି ଅଧିକ ତଦନ୍ତ କରିଥିବା ବେଳେ ସେମାନଙ୍କ ପାଖରୁ ଅସଲି ଥାନା ପୁଲିସକୁ ନକଲି ପୁଲିସ ଆଇଜି ରେଙ୍କ ପୋଷାକ ସହ ବହୁ ନକଲି ସାମଗ୍ରୀ ମିଳିଛି । କଣ୍ଟାବାଞ୍ଜି ଏସ୍‌ଡିପିଓ ଗୌରାଙ୍ଗ ଚରଣ ସାହୁ ଥାନାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ସମସ୍ତ ଘଟଣା ପ୍ରକାଶ କରିଛନ୍ତି । ଗିରଫ ଡକାୟତମାନେ ହେଲେ ମୁଖ୍ୟ ଅଭିଯୁକ୍ତ ମୁରିବାହାଲ ଥାନା ବଡଉଡାର ଗ୍ରାମର ୠଶ୍ୟଶୃଙ୍ଗ ଲୁହା(୩୩) ଓରଫ ଅମର ଦାସ ଓରଫ ରାକେଶ ମେହେର, ବରଗଡ଼ ସଦର ଥାନା ସଅଁରାପାଲି ଗ୍ରାମର ଉକିଲ ଓରଫ ବାଦଲ କୁମାର(୩୪) ଓ ଉତ୍ତରପ୍ରଦେଶ ରାଜ୍ୟ ମାଉ ଜିଲ୍ଲା ରାନିପୂର ଥାନା ଦୌଲେସପୁର ଗ୍ରାମର ଶିବୁ କୌନୋଜିଆ(୧୯) । ବର୍ତ୍ତମାନ ସମସ୍ତେ ରାୟପୁରର ବିଭିନ୍ନ ସ୍ଥାନରେ ରହୁଥିବା ପ୍ରକାଶ କରିଥିଲେ । ଏହି ନକଲି ପୁଲିସମାନଙ୍କ ପାଖରୁ ଅସଲି ପୁଲିସ ନଗଦ ୨୪୨୦ଟଙ୍କା, ଭାରତ ସରକାରଙ୍କ କ୍ରାଇମ୍ ଇଣ୍ଟେଲିଜେନ୍ସ ବିଭାଗର ଏକ ପରିଚୟ ପତ୍ର, ଛତିଶଗଡ଼ ପୁଲିସର ଏକ ପରିଚୟ ପତ୍ର ଯାହା ବିକାଶ ସିଂ ରାଜପୁତଙ୍କ ନାମରେ ରହିଛି, ଛତିଶଗଡ଼ ପୁଲିସର ଏକ ପରିଚୟ ପତ୍ର, ସିଆଇଏସ୍‌ଏଫ୍‌ର ଏକ ପରିଚୟ ପତ୍ର, ଅଲଗା ଲୋକଙ୍କ ନାମରେ ଥିବା ଏକ ଡିଏଲ୍‌ ଓ ଦୁଇଟି ସ୍ମାର୍ଟ ଆର୍‌ସି କାର୍ଡ, ପୁଲିସ୍ ଲେଖା ଥିବା ଧଳା ରଙ୍ଗର ଏକ ଟି-ସାର୍ଟ, ମୁଖ୍ୟ ଅଭିଯୁକ୍ତର ଆଧାର କାର୍ଡ, ଦୁଇଟି ଷ୍ଟିଲ ଆଇପିଏସ୍‌ ଲୋଗୋ ସହ ଅଶୋକ ଚକ୍ର, ଖଣ୍ଡା ଲାଗିଥିବା ଆଇଜି ରେଙ୍କର ଏକ ପୁଲିସ ପୋଷାକ, ଦୁଇଟି ଷ୍ଟେଟ ବ୍ୟାଙ୍କ ପାସବୁକ, ୩ଟି ଚେକ୍ ବୁକ୍, ଦୁଇଟି ଏଟିଏମ୍‌ କାର୍ଡ, ରାୟପୁରରୁ ନୂଆପଡା ଟ୍ରେନ ଟିକେଟ, ସିବିଆଇ ଦିଲ୍ଲୀ ବ୍ରାଞ୍ଚରୁ ଋଷ୍ୟଶୃଙ୍ଗକୁ ମିଳିଥିବା କ୍ୟାରିୟର ସାର୍ଟିଫିକେଟ, ବାୟୋଗ୍ରାଫି ସାର୍ଟିଫିକେଟ, ସମ୍ବଲପୁର ଓ ନୂଆପଡା ଜିଲ୍ଲା ମେଡ଼ିକାଲରୁ ରାକେଶ ମେହେର ନାମରେ ଓ ବଲାଙ୍ଗିର ମେଡିକାଲରୁ ବନିତା ମେହେର ନାମରେ ଖାଲି ଓପିଡି କାଗଜ, ୬ଟି ମୋବାଇଲ ଫୋନ୍ ଓ ଏକ ଖୁରାକୁ ଜବତ କରିଛି । ନୂଆପଡ଼ାର ସାଲିକ୍ରାମ ଦଣ୍ଡସେନା(୪୬) ଦୁଇମାସ ତଳେ କିଣିଥିବା ନିଜର ନୂଆଁ ବୋଲେରୋ (ଓଡ଼ି ୨୬ଜି ୭୪୪୩)କୁ ଆଣି ନୂଆପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମ୍ମୁଖରେ ଘରୋଇ ଭାବେ ଭଡାରେ ଲଗାଉଥିବା ବେଳେ ଏହି ତିନି ଅଭିଯୁକ୍ତ ଭଡାରେ ଆଣି ବିଭିନ୍ନ ସ୍ଥାନ ବୁଲାଇ ଯମୁନା ଗ୍ରାମ ନିକଟରେ ଲୁଟ୍ ଉଦ୍ୟମ କରୁଥିଲେ । ସ୍ଵେଚ୍ଛାସେବୀ ଖଗେଶ୍ୱର ପଧାନ ଓ ଡ୍ରାଇଭର ମହାସଂଘ ପହଞ୍ଚି ତାଙ୍କୁ ଉଦ୍ଧାର କରି ଥାନାରେ ଜିମା ଦେଇଥିଲେ । ସାଲିକ୍ରାମଙ୍କ ଏତଲା ଆଧାରରେ କେସନଂ ୩୫୪/୨୪ ଓ ଥାନା ଏସ୍‌ଆଇ ପ୍ରମୋଦ କୁମାର ପଧାନଙ୍କ ଏତଲାରେ କେସନଂ ୩୫୫/୨୪ ଦୁଇଟି ମାମଲା ରୁଜ୍ଜୁ ହୋଇଥିଲା । ଅଭିଯୁକ୍ତମାନଙ୍କ ନାଁରେ ବିଭିନ୍ନ ଥାନାରେ ଗୁରୁତର ଅଭିଯୋଗ ରହିଛି । ଅସଲି ମୁରିବାହାଲ ଥାନା ପୁଲିସ୍ ନକଲି ଆଇଜି ରେଙ୍କ ପୁଲିସଙ୍କୁ ବାନ୍ଧିବା ଘଟଣାଟି ସବୁଠି ଚର୍ଚ୍ଚାର ବିଷୟ ହୋଇଛି । ସମସ୍ତ ତିନିଜଣ ଦୁର୍ଦ୍ଧାନ୍ତ ଡକାୟତଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଥିବା ବେଳେ ଜାମିନ ଆବେଦନ ଖାରଜ ହେବାରୁ ସମସ୍ତଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି ବୋଲି ସାମ୍ୱାଦିକ ସମ୍ମିଳନୀରେ ଉପସ୍ଥିତ ଥାନା ଆଇଆଇସି ସିପୋରା ସରାୟ ଲୁଗୁନ୍ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.